ଲୋଚାପଡା ଅଞ୍ଚଳର ରାସ୍ତା ଓ ନାଳପାଣି ସମସ୍ୟାର ସମାଧାନ ନେଇ ଅଞ୍ଚଳବାସୀଙ୍କ ସତ୍ୟାଗ୍ରହ ।

ବ୍ରହ୍ମପୁର,୬/୯/୨୨(ମନୋଜ କୁମାର ପାତ୍ର):ଯେଉଁ ପର୍ଯ୍ୟନ୍ତ ପ୍ରଶାସନ ଓ ପୂର୍ତ୍ତି ବିଭାଗ ଅଧିକାରୀଙ୍କ ନିଦ ନଭାଙ୍ଗିଚି ସେତେ ଦିନ ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିବ । ବ୍ରହ୍ମପୁର ସହର ଉପକଣ୍ଠ ତଥା ରେଡ଼ିଓ ଷ୍ଟେସନ ଠାରୁ ଲୋଚାପଡା ଅଞ୍ଚଳର ମୁଖ୍ୟ ରାସ୍ତା ଏବଂ ନାଳ ପାଣିର ସମସ୍ୟା ନେଇ ଅଞ୍ଚଳବାସୀ ପୂର୍ତ୍ତ ବିଭାଗ ଓ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ଆସୁଥୁଲେ ସୁଦ୍ଧା ଏଯାବତ୍ କୌଣସି ସୁଫଳ ନ ମିଳିବାରୁ ଆଜି ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ଅଞ୍ଚଳବାସୀ ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ସତ୍ୟାଗ୍ରହ ମାଧ୍ୟମରେ ଗଣଧାରଣା ଦେଇଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଜାଣିବାକୁ ମିଳିଛି ,ରେଡ଼ିଓ ଷ୍ଟେସନ ଠାରୁ ଲୋଚାପଡା ହନୁମାନ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ଦିନ ହେଲା ନିର୍ମାଣଧିନ ଥିବା ମୁଖ୍ୟ ରାସ୍ତା ଏବଂ ରାସ୍ତା ପାର୍ଶ୍ଵ ଡ୍ରେନ୍ ନିର୍ମାଣ କାମ ସରିବାର ନାଁ ହିଁ ଧରୁନି । କାମର ଧିମାଗତିକୁ ଏବଂ କାମ କରିବାର ପ୍ରକ୍ରିୟାକୁ ଦେଖିଲେ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ,ବର୍ତ୍ତମାନ ଯେଉଁ କାମ ଚାଲିଛି ତାହା ଠିକାଦାରଙ୍କ ମର୍ଜିରେ ଓ ଖାମଖିଆଲ ଢ଼ଙ୍ଗରେ ଚାଲିଛି ।ସତେ ଯେମିତି ବିଭାଗର ଠିକାଦାର ଉପରେ ନିୟନ୍ତ୍ରଣ ନାହିଁ । ଏ ନେଇ ସ୍ଥାନୀୟ ଲୋକେ ବିଭାଗୀୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ନୀରବତା ପ୍ରକାଶ କରୁଛନ୍ତି । ତେଣୁ ଆଜି ସ୍ଥାନୀୟ ପ୍ରତିନିଧିଗଣ ଅଞ୍ଚଳ ବାସୀଙ୍କ ପ୍ରେରଣାରେ ଲୋଚାପଡା ରୋଡ଼ ସ୍ଥିତ ହନୁମାନ ମନ୍ଦିର ନିକଟରେ ଗଣଧାରଣା ଦେଇଛନ୍ତି ।ପୂର୍ତ୍ତ ବିଭାଗ ଓ ଠିକାଦାରଙ୍କ ମଧୁଚନ୍ଦ୍ରୀକାର ଚକ୍ରବ୍ୟୁହରେ ଲୋଚାପଡା ରାସ୍ତା ନିର୍ମାଣ କାମ ଫସିରହିଛି। ତୁରନ୍ତ ଏହି ରାସ୍ତା ଓ ଡ୍ରେନ୍ ନିର୍ମାଣ କାମ ସାରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସଂପୃକ୍ତ ଠିକାଦାର କିମ୍ବା ବିଭାଗ କେହି ହେଲେ ତପ୍ତରତା ଦେଖାଉନାହାନ୍ତି । ବିଭାଗର ଇଂଜିନିୟର ମାନେ ବାରମ୍ବାର କାର୍ଯ୍ୟସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ କାର୍ଯ୍ୟ ଯେଉଁଭଳି ଅଗ୍ରସର ହେବା କଥା ହୋଇପାରୁନାହିଁ । କେଉଁଠି ନାଳ ଅବରୋଧ ହେଉଛି ତୋ ଆଉ କେଉଁଠି ଇଲେକ୍ଟ୍ରିକାଲ ପୋଲ୍ ସ୍ଥାନାନ୍ତର ହୋଇପାରୁ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ,ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ବ୍ରହ୍ମପୁର ସହରକୁ ଯିବା ଆସିବା କରିଥାନ୍ତି ।ଏହା ଏକ ବ୍ୟସ୍ତବହୁଳ ରାସ୍ତା ହୋଇଥିବା ବେଳେ ରାସ୍ତାଟି ଖାଲ ଖମାରେ ପରିପୂର୍ଣ୍ଣ ହୋଇ କଦର୍ଯ୍ୟ ହୋଇ ଯାଇଥିବାରୁ ପ୍ରତିଦିନ କିଛି ନା କିଛି ଛୋଟ ବଡ ଦୁର୍ଘଟଣା ଘଟିବା ସହ ରାସ୍ତା ସାରା ଗାଡ଼ି ମୋଟର ଯିବା ଆସିବା କରିବା ଫଳରେ ପ୍ରଚୁର ଧୂଳି ଉଡ଼ି ଲୋକଙ୍କ ସ୍ଵାସ୍ଥ୍ୟକୁ ବିପଦରେ ପକାଉଛି । କିଛିଦିନ ତଳେ ଡ୍ରେନ୍ ନିର୍ମାଣ ଓ ଡିଜାଇନରେ ତ୍ରୁଟି କାରଣରୁ ଲୋଚାପଡ଼ା ମୁଖ୍ୟ ରାସ୍ତାରେ ନାଳ ନର୍ଦ୍ଧମା ପାଣି ଲହଡ଼ି ମାରି ସ୍ଥାନୀୟ ଲୋକଙ୍କ ଘରେ ପାଣି ପଶି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।ଏହି ପରିପ୍ରେକ୍ଷୀରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ତଥା ଲୋଚାପଡା ସରପଞ୍ଚ ଏଲ୍. ମୋହନ ଦାସ କହିଛନ୍ତି ଯେ,ଯେତେ ଦିନ ପର୍ଯ୍ୟନ୍ତ ଉକ୍ତ ସମସ୍ୟାର ସମାଧାନ ନହୋଇ ବିଳମ୍ବ ହେଉଥିବ ସେତେଦିନ ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରି ରହିବା ସହ ପ୍ରଶାସନ ଓ ପୂର୍ତ୍ତ ବିଭାଗ ଓ ଇଲେକ୍ଟ୍ରି ବିଭାଗ ଅଧିକାରୀଙ୍କ ନିଦ ହଜେଇଦେବୁ ।ଏହି ଲୋଚାପଡା ମୁଖ୍ୟ ରାସ୍ତା ଉପରେ ହଜାର ହଜାର ଖଟିଖିଆ ଓ ମଜୁରିଆ ଭରସା କରୁଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀ ମଧୁଚନ୍ଦ୍ରୀକା ଖେଳ ସେମାନଙ୍କ ପାଇଁ କାଳ ସାଜିଛି । ଏଥିପ୍ରତି ପ୍ରଶାସନର ହେଳା ପ୍ରକୃତିକୁ ତୀବ୍ର ସମାଲୋଚନା କରିଛନ୍ତି ଅଞ୍ଚଳବାସୀ ।ଏହି ସତ୍ୟାଗ୍ରହ ଧାରଣା ସ୍ଥଳେ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଜା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କେହି ହେଲେ ଶୁଣିନଥିଲେ ।ଆଜିର ଏହି ସତ୍ୟାଗ୍ରହ ଧାରଣା ସ୍ଥଳରେ ଲୋଚାପଡ଼ା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ,ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ,ସଞ୍ଜୀବ ପଟ୍ଟନାୟକ,ସ୍ୱଦେଶ ପାତ୍ର,ହରିହର ନାୟକ,ପୂର୍ବତନ ନିମଖଣ୍ଡି ହାଇସ୍କୁଲ ଶିକ୍ଷକ ଏସ୍.ଲକ୍ଷ୍ମଣ ପାତ୍ର,ସୁର୍ଯ୍ୟମଣି ପାତ୍ର, ଶିବପ୍ରସାଦ ପାତ୍ର,ଚନ୍ଦ୍ର ଶେଖର ପାତ୍ର, ଲିଟୁ ବେହେରା,ମହନ୍ତ ଚିନ୍ମୟନନ୍ଦ ଦାସ ମହାରାଜା,ବାବୁଲା ପାତ୍ର,ରବୀନ୍ଦ୍ର ସାହୁଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମକର୍ତ୍ତା ମାନେ ସାମିଲ ଥିଲେ ।

88b56625 a3dd 41b7 a29b 2dc36603fadf

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: