‘ଶୃଙ୍ଖଳିତ ସମାଜ ପାଇଁ କବିତା ସବୁବେଳେ ଦିଗ୍‌ଦର୍ଶନ ଦେଇଥାଏ’

କବି ନୃସିଂହ ବେହେରାଙ୍କ କବିତା ପୁସ୍ତକ ଉନ୍ମୋଚିତ

ରାଜକନିକା,୨୮୧(ଓଡିଆନ ମିଡିଆ): କବିତା ହିଁ ବଦଳାଇ ଦେଇପାରେ ମଣିଷର ଜୀବନଧାରା । ମଣିଷ ସମାଜ ପାଇଁ ସାହିତ୍ୟ ସବୁବେଳେ ମାର୍ଗ ଦର୍ଶନ କରିଆସୁଛି । ଭଲ କବିତା ଶୃଙ୍ଖଳିତ ସମାଜ ପାଇଁ ସବୁବେଳେ ଦିଗ୍‌ଦର୍ଶନ ଦେଇଥାଏ ବୋଲି ରାଜକନିକା ବ୍ଲକ୍ ଅନ୍ତର୍ଗତ ସମ୍ଭାବନା ପରିସରରେ ବିଶିଷ୍ଟ କବି ନୃସିଂହ ବେହେରାଙ୍କ କବିତା ପୁସ୍ତକ ‘ ହନ୍ତସନ୍ତ ବାଂଟୁଥିବା ହଳଦୀ ବସନ୍ତ’ ଉନ୍ମୋଚିତ ଉତ୍ସବରେ ଯୋଗଦେଇ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଓଳାଭର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା, ସମ୍ମାନିତ ଅତିଥି ଭାବେ ସୁଧା ସାହିତ୍ୟ ପତ୍ରିକାର ସଂପାଦକ ହରେକୃଷ୍ଣ ବାରିକ୍ ଏବଂ ମୁଖ୍ୟବକ୍ତା ଭାବେ ସାହିତ୍ୟିକ କୃତିବାସ ଜେନା ଯୋଗଦେଇ କବି ନୃସିଂହଙ୍କ ଜୀବନଧର୍ମୀ କବିତା ସଂପର୍କରେ ଆଲୋକପାତ୍ କରିଥିଲେ । କବି ଶ୍ରୀବେହେରା ନିଜର ପଂଚମ କବିତାପୁସ୍ତକ ‘ହନ୍ତସନ୍ତ ବାଂଟୁଥିବା ହଳଦୀ ବସନ୍ତ’ ସଂପର୍କରେ କହିଥିଲେଯେ, ଅଙ୍ଗେନିଭା ଘଟଣାବଳୀ ସହିତ ସମୟ ଚକ୍ରରେ ବଦଳିଯାଉଥିବା ମଣିଷମାନଙ୍କ ଜୀବନଧାରାର ପ୍ରତିଲିପି କବିତା ମାଧ୍ୟମରେ ପରିପ୍ରକାଶ କରିବାକୁ ଶତଚେଷ୍ଠା କରିଛନ୍ତି । ସମ୍ଭାବନାର ଶ୍ରୀକାନ୍ତ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିକେଜିପି ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀମନ୍ତ ଖୁଟିଂଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‘ଖରସ୍ରୋତା’ର ସଂପାଦକ ନିରଞ୍ଜନ ବେହେରା ଏବଂ ଶିକ୍ଷକ ପ୍ରସନ୍ନ କୁମାର ଧଳଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କବିତା ପାଠୋତ୍ସବରେ ଓଳାଭର ମହାବିଦ୍ୟାଳୟର ଅଧ୍ୟକ୍ଷ ନିରୂପମା ବଳ, ବିଶିଷ୍ଟ ଶିଶୁକବି ପୂର୍ଣ୍ଣଚନ୍ଦ୍ର ବଳ, କବି ଦାମୋଦର ଧଳ, ଚାନ୍ଦବାଲି ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ଦାସ, ଏସ୍‌ଏନ୍ କଲେଜର ଅଧ୍ୟାପକ ଡ଼ ଫକୀର ଚନ୍ଦ୍ର ପ୍ରଧାନ, କବି ମଙ୍ଗୁଳି ଚରଣ ବେହେରା, ନାରୀକବି ଅଲିଭା ବେହେରା, ସାଇସିପ୍ରା ନାୟକ, କିରଣବାଳା ରାଉତ, ଅକ୍ଷୟ କୁମାର ରାଉତ ଏବଂ ନୃସିଂହ ରାଉତଙ୍କ ସହିତ ଶତାଧିକ କବି କବିତା ପାଠ କରିଥିଲେ । ଏହି ଉତ୍ସବରେ ଆଳି, ରାଜକନିକା , ଚାନ୍ଦବାଲି ଏବଂ ଭୁବନେଶ୍ୱର ବହୁ କବି ଏବଂ ଲେଖକମାନେ ଯୋଗଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: