ପୁରୀ,୧୨/୦୯: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଅପରପକ୍ଷ ବା ପିତୃପକ୍ଷ । ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃପକ୍ଷ ପାଳନ ହେବ । ଆସନ୍ତା ୨୫ ତାରିଖ ରବିବାର ମହାଳୟା । ଯେଉଁମାନେ ତିଥି ଅନୁସାରେ ତିଳ ତର୍ପଣ କରି ନପାରନ୍ତି ସେମାନେ ମହାଳୟାରେ ତର୍ପଣ କରିବାର ବିଧି ରହିଥିବା କୁହାଯାଏ ।ରବିବାର ଠାରୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ତିଳତର୍ପଣ କରାଯାଉଛି । ସକାଳୁ ଭିଡ଼ ଲାଗୁଛି ସହରବାସୀଙ୍କ ସମେତ ବ୍ରାହ୍ମଣମାନଙ୍କର । ହିନ୍ଦୁ ପରମ୍ପରା ଅନୁଯାୟୀ ମୁଖ୍ୟତଃ ପରିବାରର ଜ୍ୟେଷ୍ଠ ପୁତ୍ରମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ରବିବାର ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀମାନଙ୍କରେ ବହୁ ବ୍ୟକ୍ତି ତର୍ପଣ କରିଥିଲେ । ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ଲୋକେ ତିନିପୁରୁଷଙ୍କୁ ତିଳତର୍ପଣ ଦେଇ ସନ୍ତୁଷ୍ଟ କରିଥିଲେ । ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଓ ମାର୍କଣ୍ଡ ଆଦି ପୁଷ୍କରିଣୀରେ ଶତାଧିକ ବ୍ୟକ୍ତି ସାମୂହିକ ଭାବେ ତର୍ପଣ କରିଥିବା ଦେଖାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |