ମହାପ୍ରଭୁଙ୍କ ସେବାରେ ଆବାଳବୃଦ୍ଧ ବନିତା
ଖୋର୍ଦ୍ଧା,୧୪।୬: ଓଡିଆ ଜାତୀର କୁଳ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ବେଶ ଶୃଙ୍ଗାର ଭକ୍ତ ପ୍ରାଣକୁ ଭାବମୟ କରେ । ସକାଳର ମଙ୍ଗଳ ଆଳତୀ ପରେ ‘ମଇଲମ’ଠାରୁ ରାତିରେ ‘ବଡସିଂହାର’ବେଶ ମଧ୍ୟରେ ପ୍ରତିଦିନ ଶ୍ରୀ ଜୀଉ ମାନେ ବିବିଧ ବେଶ ଲାଗି ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ପର୍ବ ପର୍ବାଣୀ ପାଇଁ ମଧ୍ୟ ସ୍ୱତନ୍ତ୍ର ବେଶ ଓ ପରିପାଟୀରେ ଶ୍ରୀ ବିଗ୍ରହ ମାନେ ଦୃଶ୍ୟ ହୁଅନ୍ତି । ତେବେ,ମହାପ୍ରଭୁଙ୍କର ବେଶ ପାଇଁ ଲାଗି ହେଉଥିବା ସମସ୍ତ ବସ୍ତ୍ର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡା ଗାଁର ବୁଣାକାର ମାନେ ପ୍ରସ୍ତୁତ କରିବା କଥା ହୁଏତ ସମସ୍ତଙ୍କୁ ଜଣା ନଥିବ । ପାରମ୍ପରିକ ରୀତିରେ କୈାଳିକ ବୃତିକୁ ଆପଣେଇ ନେଇ ରାଉତପଡାର ୧୫ଟି ପରିବାର ବର୍ଷ ତମାମ ପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥାନ୍ତି । ବହୁ ବର୍ଷ ପୂର୍ବରୁ କଟକ ନୂଆ ପାଟଣା ଅଂଚଳରୁ ଶ୍ରୀ ମନ୍ଦିରକୁ ଶ୍ରୀ ଜୀଉ ମାନଙ୍କ ଲାଗି ବିବିଧ ବସ୍ତ୍ର ଆସୁଥିଲା । କିନ୍ତୁ,୧୯୯୩ ମସିହାରୁ ନିୟମିତ ଭାବେ ପ୍ରଭୁଙ୍କ ଅଙ୍ଗଲାଗି ଲୁଗା ପ୍ରସ୍ତୁତ କରୁଛନ୍ତି ରାଉତପଡାର ବୟନଶିଳ୍ପୀ ମାନେ । ପ୍ରାୟ ୩୫ ପ୍ରକାରର ବସ୍ତ୍ର ,ଶ୍ରୀମନ୍ଦିର ପ୍ରଶାସନ ଚାହିଦା ମୁତାବକ ଯୋଗାଇ ଆସୁଛନ୍ତି ‘ମଧୁସୂଦନ ତନ୍ତଶାଳା’ର ବୁଣାକାର । ମହାପ୍ରଭୁଙ୍କ ର ଗୀତଗୋବିନ୍ଦ ଖଣ୍ଡୁଆ,ବୋଇରାଣୀ ,ପତନି,ମଲମଲ,ନେତଖଣ୍ଡୁଆ,ଶ୍ରୀମୁଖ ଓତା,ନିଉଛାଳି ଗାମୁଛା,ନେତଫୁଟା,ସୁତାଫୁଟା,ଟଣାଖସା,ଅଧର ଗାମୁଛା,ନାଲି ଚେହେଲି, ଅଧିକା ଫୁଟା,ବାରହାତି ଗଡା, ଆଦି ଲୁଗା ପାଇଁ ରାଜ୍ୟ ବାହାରୁ କଂଚାମାଲ ଆଣି ବିବିଧ ରଙ୍ଗ ଓ ବିଗ୍ରହଙ୍କ ମାପ ଅନୁଯାୟୀ ବେଶ ଯତ୍ନର ସହ ଏହି ବୟନ କର୍ମ ସଂପାଦନ କରନ୍ତି ସମର୍ପିତ ସେବାଧାରୀ ମାନେ । ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ୧୫ ପ୍ରକାରର ଲାଗି ଲୁଗା ବୁଣି ସାରିଲେଣି ସେମାନେ ଓ ଚଳିତ ମାସ ୧୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର କାର୍ଯ୍ୟାଳୟରେ ତାହା ପହଁଚିବାର ବ୍ୟବସ୍ଥା ହୋଇଛି ବୋଲି ବରିଷ୍ଠ ବୁଣାକାର ଗୋପୀନାଥ ଦାସ କହିଛନ୍ତି । ମଧୁସୂଦନ ଦାସଙ୍କ ଦେହାନ୍ତ ପରେ ପରେ ଗୋବିନ୍ଦ ଦାସ ଓ ଗୋପୀନାଥ ଦାସଙ୍କ ପରିଚାଳନାରେ ବର୍ଷ ବ୍ୟାପି ଏହି ବୟନ ଚାଲୁରହିଛି । ରଥ ଯାତ୍ରା ପାଇଁ ପ୍ରାୟ ସାତ ଲକ୍ଷ ଟଙ୍କା ଓ ବର୍ଷର ଅନ୍ୟାନ ସମୟ ପାଇଁ ଦଶ ଲକ୍ଷ ଟଙ୍କା ଓ ନବ କଳେବର ସମୟରେ ପନ୍ଦର ଲକ୍ଷ ଟଙ୍କାର ଶ୍ରୀଅଙ୍ଗ ବସ୍ତ୍ର ଯୋଗାଇ ଆସୁଛନ୍ତି ରାଉତପଡାର ବୁଣାକାର ପରିବାର ।
ମହାପ୍ରଭୁଙ୍କ ପାଇଁ କୋରୋନାରୁ ବଂଚିଛନ୍ତି ଆସେଲି
ଅଣାନବେ ବର୍ଷ ବୟସରେ ପ୍ରାଣର ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ମନ ଦେଇ ଲାଗି ଲୁଗା ବୁଣା ପାଇଁ ସୁତା ପ୍ରସ୍ତୁତ କରୁଥିବା ଆସେଲି ଦାସ ଏହି ପାରମ୍ପରିକ କର୍ମକୁ ସେବା ଭାବରେ ଗ୍ରହଣ କରି ନେଇଛନ୍ତି । କାଳିଆ ସାଆନ୍ତ ଙ୍କ କରୁଣାରୁ ଅଳ୍ପ ଦିନ ତଳେ ମହାମାରୀ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି ସେ ଓ ଶେଷ ଜୀବନ ପର୍ଯ୍ୟନ୍ତ ଠାକୁରଙ୍କ ସେବାରେ ନିଜକୁ ସମର୍ପିତ କରୁଥିବେ ବୋଲି ଆବେଗପୂର୍ଣ୍ଣ ସ୍ୱରରେ କହିଛନ୍ତି ବୟବୃଦ୍ଧା ଆସେଲି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |