ପୁରୀ,୧୯/୦୮: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି (୫-ଟି) ସଚିବ ଭି.କେ.ପାଣ୍ଡିଆନ୍ । ଶ୍ରୀ ପାଣ୍ଡିଆନ୍ ଗୁରୁବାର ସନ୍ଧ୍ୟାରେ ପୁରୀ ଗସ୍ତ କରି ସେଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ସଂପର୍କରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୫-ଟି ସଚିବ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ପୁରୀ ସହରର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସେ ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି)ର ଅଫିସର ଏବଂ ଠିକାସଂସ୍ଥା ଟାଟା ପ୍ରୋଜେକ୍ଟର ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପକୁ ୯ମାସ ମଧ୍ୟରେ ଶେଷ କରିବାକୁ ପୂର୍ବରୁ ସରକାର ନିଷ୍ପତ୍ତି ନେଇଥିଲେ ।ତଦନୁସାରେ ଏବେ ଦକ୍ଷିଣ ଦ୍ୱାର ପରିକ୍ରମା ପଥ କାମ ଶେଷ ହୋଇଛି । ଏହା ପରେ ଉତ୍ତର ଦ୍ୱାର ଓ ପଶ୍ଚିମ ଦ୍ୱାର ପରିକ୍ରମା ପଥ ନିର୍ମାଣ ଅଗ୍ରଗତି ଚାଲିଛି । ଏହି କାମକୁ ଶୀଘ୍ର ଶେଷ କରିବାକୁ ଓବିସିସି ପ୍ରସ୍ତୁତ କରିଥିବା କାର୍ଯ୍ୟସୂଚୀକୁ ମଧ୍ୟ ୫ଟି ସଚିବ ଅବଲୋକନ କରିଥିବା ଜଣାପଡିଛି । ପରେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ । ୫-ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୂର୍ତ୍ତବିଭାଗର ବରିଷ୍ଠ ଅଧିକାରୀ ତଥା କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାୟିତ୍ୱରେ ଥିବା ଟାଟା କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ୫-ଟି ସଚିବ କ୍ଷେତ୍ର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ ଓ ଆବଶ୍ୟକ ପରାମର୍ଶ ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |