ପୁରୀ, ୭।୪ :ଶ୍ରୀମନ୍ଦିର ରୋଷଘରର ଚୁଲି ଭାଙ୍ଗିବା ପରେ ଏବେ ପ୍ରାଶାସନ ନୂଆ ଏସଓପି ଜାରି କରିବା ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଅନୁଷ୍ଠିତ ହୋଇଛି ବୈଠକ । ଶ୍ରୀମନ୍ଦିରର ପ୍ରଶାସନ ଅଫିସରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଶ୍ରୀମନ୍ଦିର ଆଭ୍ୟନ୍ତରୀଣରେ ଅଚଳ ଥିବା ସିସିଟିଭି ଗୁଡିକ ସଚଳ କରାଯିବା ସହ ସମୁଦାୟ ୧୩୫ ଟି ସିସିଟିଭି ଲଗାଯିବ। ଏଣିକି ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ ସହ ଓଡିଶା ପୋଲିସର ସୁରକ୍ଷା କର୍ମୀମାନେ ମୁତୟନ ରହିବା ସହ ଶ୍ରୀମନ୍ଦିରକୁ ଶୋଧ କରିବେ। ତେବେ ଶ୍ରୀମନ୍ଦିରରେ ଜେଟିପି ଓ କର୍ମଚାରୀଙ୍କ ଖାଲି ପଡିଥିବା ସ୍ଥାନକୁ ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ଆଗକୁ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପ୍ରତି ସପ୍ତାହରେ ବୈଠକ କରାଯାଇ ସମସ୍ତ ବ୍ୟବସ୍ଥାର ତର୍ଜମା କରାଯିବ। ରୋଷ ଶାଳାରେ ଚୂଲି ଭଙ୍ଗା ଘଟଣାରେ ଦାୟିତ୍ୱରେ ଥିବା ଚାରିଜଣ ଜେଟିପି କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି। ଏହାକୁ ତର୍ଜମା କରିବା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଆଜି ରାତିରୁ ମନ୍ଦିରରେ ଜେଟିପିଙ୍କ ସହ ପୋଲିସ କର୍ମଚାରୀ ମଧ୍ୟ ମୁତୟନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜଣେ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଏବଂ ଜେଟିପି ମୁତୟନ କରାଯିବ । ରୋଷଘର ଗେଟରେ ୪ଟି ସ୍ଥାନରେ ସିସିଟିଭି ବ୍ୟବସ୍ଥା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି । ବୈଠକରେ ଜିଲ୍ଲାପାଳ,ଏସପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |