ଶ୍ରୀମନ୍ଦିର ରୁପା ଦ୍ୱାର ଡିଜାଇନ୍‌କୁ ନାକଚ୍ କଲେ ଏଏସ୍‌ଆଇ

ପୁରୀ, ୧୦/୧୧: ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ୬ ରକମର ରୁପା ଦ୍ୱାର ଡିଜାଇନଗୁଡ଼ିକରେ ଉତ୍କଳୀୟ ପୁରାତନ କଳାର ପ୍ରତିଛବି ନଥିବା ଏଏସ୍‌ଆଇ ମତ ଦେଇଛି । ଏହି କାରଣରୁ ପୁଣି ଥରେ ଡିଜାଇନ ଖୋଜିବାକୁ ସୋମବାର ଏକ ସବ୍‌ କମିଟି ଗଠନ କରାଯାଇଛି । ଏହି ସବ୍‌ କମିଟି ଆଜି ପଟ୍ଟଚିତ୍ର ଗ୍ରାମ ରଘୁରାଜପୁର ଏବଂ ଶିଳ୍ପୀଗ୍ରାମ ନାୟକପାଟଣା ପରିଦର୍ଶନ କରିବ ବୋଲି ସୂଚନା ମିଳିଛି । ଏହି ସବ୍‌କମିଟି କଳିଙ୍ଗ କଳା, ସ୍ଥାପତ୍ୟର ପ୍ରତିଛବି ଏବଂ ଶ୍ରୀମନ୍ଦିର ସଂସ୍କୃତି ବାହକ ଡିଜାଇନକୁ ଖୋଜିବ । ବେହରଣ ଦ୍ୱାର, କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର, ସାତ ପାହାଚ ଦ୍ୱାର ସମେତ ଶ୍ରୀମନ୍ଦିର ପରିସରରେ ଥିବା ୮ଟି ଦ୍ୱାରର ଡିଜାଇନକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ନାକଚ କରି ଦେଇଛି । ଏଏସ୍‌ଆଇର ବିନା ଅନୁମୋଦନରେ ଶ୍ରୀମନ୍ଦିର ଭଳି ଜାତୀୟ ଐତିହ୍ୟର କୌଣସି ପୁରାତନ ଅଂଶକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ସୋମବାର ଅନୁଷ୍ଠିତ ରୁପାଦ୍ୱାର ରୂପରେଖ ନିର୍ଦ୍ଧାରଣ କମିଟି ବୈଠକରେ ଏଏସ୍‌ଆଇ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ମଲ୍ଲିକ ମତ ଦେଇଛନ୍ତି ।ନୂତନ ଡିଜାଇନ୍‌ ଚୟନ ପରେ ପୁଣି ଥରେ ଚଳିତ ୧୯ରେ ରୂପରେଖ କମିଟିର ବୈଠକ ଡକାଯିବ । ବୈଠକରେ ଏଏସ୍‌ଆଇ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ମଲ୍ଲିକ ଡିଜାଇନ୍‌ଗୁଡିକୁ ବିଶେଷଜ୍ଞଙ୍କ ପରାମର୍ଶରେ ସମୀକ୍ଷା କରିବେ । ବୈଠକରେ ଚୂଡ଼ାନ୍ତ ଡିଜାଇନଗୁଡିକୁ ଦିଲ୍ଲୀସ୍ଥିତ ଏଏସଆଇ ମହାନିର୍ଦ୍ଦେଶକଙ୍କ ଅନୁମୋଦନ ପାଇଁ ପଠାଯିବ । ଶ୍ରୀମନ୍ଦିର ରୁପା ଦ୍ୱାର ଡିଜାଇନଗୁଡିକ ଉପରେ ଏଏସ୍‌ଆଇ ମୋହର ଲାଗିବା ପରେ ଦ୍ୱାର ଉପରେ ରୁପା ଚାଦର ବିଛାଯିବା କାର୍ଯ୍ୟ ଆରମ୍ଭ ହେବାର ଆଭାସ ମିଳିଛି ।ଏହି ପ୍ରକ୍ରିୟାରୁ ସୂଚନା ମିଳିଛି ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଶ୍ରୀମନ୍ଦିରର ଆଠଟି ଦ୍ୱାରରେ ରୁପା ଚାଦର ଛାଉଣି ହେବ। ୮ଟି ଦ୍ୱାର ପାଇଁର୍ ତିନି ପ୍ରକାର ଡିଜାଇନ୍‌ ପ୍ରସ୍ତୁତ ହେବ ବୋଲି ବୈଠକରୁ ଖବର ମିଳିଛି। ଉଲ୍ଲେଖଯୋଗ୍ୟ ରୁପା ଛାଉଣି ପାଇଁ ମୁମ୍ବାଇର ଜଣେ ଦାତା ରୁପା ଦାନ କରିବେ । ସେ ବିବୈଠକରେ କିଛି ଡିଜାଇନ ଉପସ୍ଥାପନ କରିଥିଲେ। ନୀଳାଚଳ ଭକ୍ତନିବାସଠାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଶ୍ରୀମନ୍ଦିର ଯନ୍ତ୍ରୀ, ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ସବୁ ଦ୍ୱାର ଛାଉଣିରେ ଅଢ଼େଇ କୁଇଣ୍ଟାଲ ରୁପା ଲାଗିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: