ମାଲକାନଗିରି, ୩/୯(ଶ୍ରୀନିବାସ ପଣ୍ଡା) – ଅଭିଭକ୍ତ କୋରାପୁଟ ଜିଲ୍ଲା। ଅତ୍ୟନ୍ତ ଦୁର୍ଗମ ଏବଂ ପଛୁଆ ଜିଲ୍ଲା ଦୃଷ୍ଟିରୁ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଉପରି ଠାଉରିଆ ସରକାରୀ ଯୋଜନା ହେତୁ କିଛି ଭ୍ରଷ୍ଟ ସରକାରୀ ଅଧିକାରୀ, ରାଜନେତା ଏବଂ ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ପାଇଁ ପୌଷମାସ ସାବ୍ୟସ୍ତ ହେଇଛି। ବଣ ମଲ୍ଲୀ ବଣରେ ଝଡ଼ିଯିବା ପରି ଅନେକ ପ୍ରତିଭାଷାଳି,ନିଜ ପ୍ରତିଭାକୁ ପ୍ରତିପାଦିତ କରିବାରୁ ବଞ୍ଚିତ। ଜିଲ୍ଲାରେ ପ୍ରତିଭା ଖୁନ୍ଦିହେଇ ରହିଛି। କେବଳ ରାଜ୍ୟ ନୁହଁ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନାଁ କମେଇଥିବା ଅନେକ ଖେଳାଳି ଏଠି ସରକାରୀ ଖାଦ୍ୟ ଯୋଜନାରେ ମିଳୁଥିବା ରେସନ ଉପରେ ନିର୍ଭରଶୀଳ। ରାଜ୍ୟ ସରକାର କିନ୍ତୁ ସମ୍ମାନିତ କରିବାକୁ ଭୁଲନ୍ତି ନାହିଁ। ପରବର୍ତୀ ସମୟରେ ଭୁଲିଯାନ୍ତି ସରକାର ଏମାନଙ୍କ କଥା। କାରଣ ଏମାନେ କେ ବି କେ ଅଞ୍ଚଳର। ସୁଦୂର ଭୁବନେଶ୍ୱରକୁ ସୁଭିବନି ଏମାନଙ୍କର ବିଳାପ। ତଥାପି ଥମିନାହିଁ ଏମାନଙ୍କର ପ୍ରଚେଷ୍ଟା। ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭାକୁ ପ୍ରତିଷ୍ଠିତ କରିବା ପରେ ଏବେ ଫେସନ ଦୁନିଆରେ ନିଜର ଦୃଢ ଉପସ୍ଥିତ ରାଜ୍ୟ ବାସୀଙ୍କୁ ଚକିତ କରିଛି।
ଶ୍ରୀମତୀ ସନ୍ଧ୍ୟା ଦଳେଇ। ଅଭିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା ସଦର ଠାରୁ ଚାଳିଶ କିଲୋମିଟର ଦୂର ଅଖ୍ୟାତ ପଲ୍ଲୀରେ ଏକ ରକ୍ଷଣଶୀଳ କୃଷକ ପରିବାରରେ ଜନ୍ମ। ବାପା ପରମାନନ୍ଦ ନେମାଲପୁରୀ ଜଣେ ଅଗ୍ରଣୀ ଚାଷୀ ଭାବେ ପରିଚିତ। ମାତା ଯମୁନା ନେମାଲପୁରୀଙ୍କ ଦ୍ୱିତୀୟ ଗର୍ଭରୁ ଜନ୍ମିତ ସନ୍ଧ୍ୟା ପିଲାଟି ଦିନରୁ ଉଚ୍ଚା ଭିଲାଷୀ। ନିଜର ସ୍କୁଲ ଜୀବନରୁ ତାଙ୍କର ପ୍ରତିଭା ବାରିହେଇଯାଉଥିଲା। ସନ୍ଧ୍ୟା ପିଲାଟି ଦିନରୁ ସ୍କୁଲରେ ହେଉଥିବା ଖେଳକୁଦ ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ନିଜର ପାର ଦର୍ଶିତା ଦର୍ଶାଇବାକୁ ଅକ୍ଲାନ୍ତ ପରିଶ୍ରମ କରନ୍ତି। ଗୋଟିଏ ପୁତ୍ର ସନ୍ତାନର ଜନନୀ ହେଇ ମଧ୍ୟ ସ୍ୱାମୀ ବଡି ବିଲଡର ଏବଂ ସମାଜସେବୀ ମିଥୁନ ଦଳେଇଙ୍କ ପ୍ରେରଣା ତାଙ୍କୁ ଆଜି ମିସେସ ଇଣ୍ଡିଆ ୨୦୨୦ ମୁକୁଟ ହାସଲ କରିବାକୁ ସକ୍ଷମ କରିପାରିଛି। ଶ୍ରୀମତୀ ସନ୍ଧ୍ୟା ଅନେକ ଦିନରୁ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ମିସେସ ଇଣ୍ଡିଆ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ପ୍ରସ୍ତୁତି ଚଳେଇଥିଲେ। ବହୁ ବାଧାବିଘ୍ନ ଅତିକ୍ରମ କରି, ଅନେକ ବଲିଉଡ ଏବଂ ଧାରାବାହିକ ଅଭିନେତ୍ରୀଙ୍କୁ ପଛରେ ପକାଇ ଭାରତ ସୁନ୍ଦରୀ ମୁକୁଟ ମଣ୍ଡନ କରିବା ରାୟଗଡ଼ା ବିଶେଷ କରି ଓଡିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ।
ସେତିକରେ ଥକି ନାହାନ୍ତି ସନ୍ଧ୍ୟା। ଚେଷ୍ଟା ତାଙ୍କର ଅବ୍ୟାହତ। ଆଉ ପାଦେ ଆଗକୁ ଯାଇ ହାସଲ କରିଛନ୍ତି ବେଷ୍ଟ ମଡେଲ ୨୦୨୧ ମୁକୁଟ। ଅଂଧେରି ମୁମ୍ବାଇର ରାଡ଼ିସନ ହୋଟେଲରେ blissful india ଦ୍ୱାରା ଆୟୋଜିତ ହେଇଥିଲା ଉକ୍ତ କାର୍ଯ୍ୟକ୍ରମ। ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଛା ବଛା ମଡେଲ ମାନଙ୍କୁ ପଛରେ ପକାଇ ଭାରତର ସର୍ବଶ୍ରେଷ୍ଠ ମଡେଲ ଉପାଧି ହାତେଇବା ନିଶ୍ଚିତ ଭାବେ ଆମ ରାଜ୍ୟ ପାଇଁ ଗର୍ବର ବିଷୟ। ବଲିଉଡ ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସନ୍ଧ୍ୟାଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ। ସୋଳ୍ପ ସମୟ ମଧ୍ୟରେ ସନ୍ଧ୍ୟା ମିସେସ ଇଣ୍ଡିଆ ୨୦୨୦, ମିସେସ ଇଣ୍ଡିଆ ଇଉନିଭର୍ସ କୁଆରେନଟାଇନ କୁଇନ ୨୦୨୦, ବେଷ୍ଟ ମଡେଲ ୨୦୨୧ ଏବଂ ଷ୍ଟାର ଇଣ୍ଡିଆ ୨୦୨୧ ପରି ସମ୍ମାନସ୍ପଦ ପଦବୀ ହାସଲ କରିବା ଓଡ଼ିଶାର ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ। ଅତ୍ୟନ୍ତ ନିରାଡ଼ମ୍ବର, ସୁଗୃହିଣୀ ଏବଂ ସମଜସେବୀ ସନ୍ଧ୍ୟା ନିକଟରେ ଆନ୍ତର୍ଜାତିକ ମାନବାଧିକାର କମିଶନ ସହ ଜଡିତ ହେଇ ନିଜର ବ୍ୟକ୍ତିତ୍ୱ ଏବଂ କର୍ତବ୍ୟନିଷ୍ଠତା ପାଇଁ ସଂସ୍ଥାର ଓଡିଶା ମହିଳା ସଭାପତି ହେଇ ପାରିଛନ୍ତି।
ଏଠାରେ ପ୍ରଶ୍ନ ଉଠେ, ସରକାର ପ୍ରତିଭାର ବିକାଶ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ,ଏମାନଙ୍କୁ ଅଣଦେଖା କରିବାର କାରଣ କଣ? ସରକାରଙ୍କର ଯଦି ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିବାର ଇଚ୍ଛାଶକ୍ତି ଥାଏ, ତାହେଲେ ଏମାନଙ୍କୁ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ପରି ସଂସ୍ଥାରେ ନିଯୁକ୍ତି ଦେଇ ଆଗାମୀ ଦିନରେ ଅନେକ ସନ୍ଧ୍ୟା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସୃଷ୍ଟିହେବା ସୁଯୋଗ ସୃଷ୍ଟି କରନ୍ତୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |