ସଫଳ ହେଲାନାହିଁ ସଂଗ୍ରାମ ସମିତି ଏବଂ ପ୍ରଶାସନର ବୈଠକ, ଆଗ ବ୍ୟାରେଜ ନିର୍ମାଣ ଆଉ ସର୍ଭେ, ତାପରେ ପ୍ରକଳ୍ପ ନିର୍ମାଣ

ଖରସ୍ରୋତା ନଦୀରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ବିବାଦ ।

ରାଜକନିକା,୯/୩ :ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ନିମେନ୍ତ ଖରସ୍ରୋତା ନଦୀରେ ହେବାକୁ ଥିବା ପ୍ରସ୍ତାବିତ ବୃହତ୍ତ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକୁ ବିରୋଧକରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଗତ ତିନି ମାସ ଧରି ଜନ ଆନ୍ଦୋଳନ ଅବ୍ୟାହତ ରହିଛି । ଏହା ସହିତ ଦୁଇ ଥର ଜିଲାପ୍ରଶାସନ ସହିତ ଏହି ପ୍ରକଳ୍ପ ନିର୍ମାଣ ପାଇଁ ମଧ୍ୟ ବୈଠକ ଶେଷ ହୋଇଛି । ହେଲେ କୌଣସି ସମାଧାନର ବାଟ ଫିଟିପାରିନଥିବା ବେଳେ ମଙ୍ଗଳବାର ପୁର୍ନବାର ରାଜକନିକା ପଂଚାୟତ ସମିତି କଲ୍ୟାଣ ମଣ୍ଡପ ପରିସରରେ ସଂଗ୍ରାମ ସମିତି ଏବଂ ଜିଲା ପ୍ରଶାସନ ପକ୍ଷରୁ ପୁଣି ବୈଠକ ଶେଷ ହୋଇଛି । ହେଲେ ଏହି ବୈଠକ ସଫଳ ହୋଇପାରିନାହିଁ । ସଂଗ୍ରାମ ସମିତି ପକ୍ଷରୁ ଆଗ ଖରସ୍ରୋତା ନଦୀରେ ବ୍ୟାରେଜ୍ ନିର୍ମାଣ ହେବା ସହିତ ପାଂଚଟି ପ୍ରକଳ୍ପ ଯଦି ନଦୀରେ ହୁଏ ତେବେ ନଦୀ ଜଳ ସଂପର୍କରେ ପୁଙ୍ଖାନୁ ପୁଙ୍ଖ ଭାବେ ସର୍ଭେ କରାଯାଉ । ଏହା ସହିତ ପୁର୍ବରୁ ଖରସ୍ରୋତା ନଦୀରେ ହୋଇଥିବା ଦୁଇଟି ପାର୍ବତୀଗିରି ଜଳ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ହେଲେ ଏଦିଗରେ କୌଣସି ପଦକ୍ଷେପ ନନେଇ ଭଦ୍ରକ ଜିଲାକୁ ପାଣି ନେବାକୁ ପ୍ରଶାସନ କାହିଁକି ବ୍ୟଗ୍ର ହେଉଛି ବୋଲି ପ୍ରଶ୍ନ କରିଥିଲେ । ହେଲେ ପ୍ରଶାସନ ଏହି ବୃହତ୍ତ ପ୍ରକଳ୍ପ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସଂଗ୍ରାମ ସମିତି ନିଜ ଜିଦ୍‌ରେ ଅଟଳ ରହିଛି । ଆଗ ଆମ କଥା ବୁଝ ତାପରେ ପ୍ରକଳ୍ପ କାର୍ଯ୍ୟ କର ବୋଲି କହିଥିଲେ । ଜୋର ଜବରଦସ୍ତ ପ୍ରକଳ୍ପ କାର୍ଯ୍ୟ ହେଲେ ଜୀବନ ଦେବାକୁ ପଛାଇବୁ ନାହିଁ ବୋଲି ସମିତିର ସଦସ୍ୟମାନେ ରୋକ୍ ଠୋକ୍ କହିଥିଲେ । ଖରସ୍ରୋତା ନଦୀରୁ ପଡ଼ୋଶୀ ଭଦ୍ରକ ଜିଲାକୁ ପାଣି ନେବାକୁ ନେଇ ଗତ ତିନି ମାସ ଧରି ରାଜକନିକା ଏବଂ ଆଳି ବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଏହି ଆନ୍ଦୋଳନ ଚାଲିଥିବା ସମୟରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଠାରୁ ଆରମ୍ଭ କରି ଉପଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ବଦଳି ହୋଇଯାଇଛି । ଏହା ମଧ୍ୟରେ ଜିଲାରେ ନୂଆ ଜିଲାପାଳ ଏବଂ ଉପଜିଲାପାଳ ଏବଂ ଅତିରିକ୍ତ ଜିଲାପାଳ କାର୍ଯ୍ୟରେ ଯୋଗଦେଇଛନ୍ତି । ଏହି ନୂଆ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରେ ଯୋଗଦେବା ପରେ ପୁର୍ନବାର ଏହି ବୃହତ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଆଗଭର ହୋଇପଡ଼ିଛନ୍ତି । ଆଜି ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ନରହରି ସେଠୀ, ଉପଜିଲାପାଳ ନିରଞ୍ଜନ ବେହେରା, ବିଡ଼ିଓ ଅଶୋକ କୁମାର ମହାନ୍ତି, ତହସିଲଦାର ପ୍ରେମାନନ୍ଦ ବେହେରା, ଆର୍‌ଡ଼ବ୍ଲୁଏସ୍‌ଏସ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ସାମନ୍ତରାୟ, ଭଦ୍ରକ, ଚାନ୍ଦବାଲିର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ମହାନ୍ତି, ଭଦ୍ରକ ବୃହତ୍ତ ପ୍ରକଳ୍ପର ପ୍ରୋଜେକ୍ଟ ମ୍ୟାନେଜର ହସନ୍ ବାସା, ପଟ୍ଟାମୁଣ୍ଡାଇ ଏସ୍‌ଡ଼ିପିଓ ରଞ୍ଜନ କୁମାର ଦେ, ରାଜକନିକା ଆଇଆଇସି ସଞ୍ଜିବ କୁମାର ରଣବଇଁଶାଙ୍କ ସହିତ ଖରସ୍ରୋତା ବଂଚାଓ ସଂଗ୍ରାମ ସିମିତିର ସଭାପତି ଦୁର୍ଯ୍ୟୋଧନ ମହାନ୍ତି,ସମ୍ପାଦକ ବିଧାନ ଦାସ, ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ହଳଧର ମଲ୍ଲିକ, ସବିତା ବରଜ, କାଳୀ ପ୍ରସାଦ ନାୟକ, ଉମେଶ ମଲ୍ଲ, ଦାମୋଦର ଧଳ, ଶରତ ରାଉତ, ବେଣୁଧର ପରିଡ଼ା ମଙ୍ଗୁଳି ଚରଣ ବେହେରା, ଗୋଲକ ବିଶ୍ୱାଳ ଏବଂ ସୁବଳ ରାଉତ ପ୍ରମୁଖ ଯୋଗଦେଇଥିଲେ । ସଂଗ୍ରାମ ସମିତି ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲାଯେ, ବ୍ୟାରେଜ୍ ନିର୍ମାଣ, ପୂର୍ବରୁ ହୋଇଥିବା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉ । ଏହାସହିତ ଏକ୍ସପର୍ଟ କମିଟି ଗଠନ କରାଯାଇ ଖରସ୍ରୋତା ନଦୀର ପାଣିର ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଉ । ତାପରେ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ହେଉ । ତାହା ନକରି ଖରସ୍ରୋତାକୁ ମୃତ ନଦୀରେ ପରିଣତ କରିବାକୁ ଦିଆଯିବ ନାହିଁ । ଜୀବନ ଦେବେ ହେଲେ ପ୍ରକଳ୍ପ କାର୍ଯ୍ୟକୁ କରାଇଦେବେ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ । ଦୀର୍ଘଦିନ ଧରି ସଂଗ୍ରାମ ସମିତି ପକ୍ଷରୁ ଖରସ୍ରୋତା ନଦୀ କୂଳରେ ଗଣଧାରଣା ଚାଲୁରହିଥିବା ବେଳେ ସଭା, ରାସ୍ତାରୋକ୍‌, ଧାରଣା, ବିଶାଳ ମାନବ ଶୃଙ୍ଖଳ, ମହିଳା ମାନଙ୍କ ଦ୍ୱାରା ଖରସ୍ରୋତା ନଦୀରେ ଜଳ ବନ୍ଦାପନା, ମହିଳା ସମାବେଶ, ମଟରସାଇକେଲ ଶୋଭାଯାତ୍ରା ଏବଂ ରାଜ୍ୟସ୍ତରୀୟ ପରିବେଶବିତ୍‌ଙ୍କ ସମାବେଶ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି କାରଣକୁ ନେଇ ସଂଗ୍ରାମ ସମିତି ପକ୍ଷରୁ ଆଳି ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତ ଏବଂ ଗ୍ରାମରେ ଜନମତ ନିଜ ସପକ୍ଷରେ ଆଣିବା ନେଇ ମାଟିର ସୁରକ୍ଷା ଆଉ ଖରସ୍ରୋତାକୁ ବଂଚାଇବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ବିପଦରେ ଭିତରକନିକା !

ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ନିମେନ୍ତ ଖରସ୍ରୋତା ନଦୀରେ ହେବାକୁ ଥିବା ପ୍ରସ୍ତାବିତ ବୃହତ୍ତ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ହେଲେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ପ୍ରତି ବିପଦ ରହିଥିବା ନେଇ ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି । ହେଲେ ଏଥିପ୍ରତି ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି । ଖରସ୍ରୋତାରୁ ମିଠାପାଣି ହିଁ ଭିତରକନିକାର ଜୈବବିବିଧତାକୁ ରକ୍ଷା କରିପାରୁଛି । ହେଲେ ନଦୀରୁ ମିଠାପାଣି କମି ଗଲେ ସମୁଦ୍ରରୁ ଲୁଣିପାଣି ମାଡ଼ି ଆସିବ । ବଦଳିଯିବ ପରିବେଶ, ନଷ୍ଟ ହେବ ବିଶ୍ୱର ପ୍ରସିଦ୍ଧି ଅର୍ଜନ କରିଥିବା ‘ଭିତରକନିକା’ । ହେଲେ ଏଭଳି ସମ୍ବେଦନଶୀଳ ଘଟଣା ସଂପର୍କରେ ନାଁ ପ୍ରଶାସନ ନାଁ ବନ ବିଭାଗ କୌଣସି ଅନୁଧ୍ୟାନ କରୁନଥିବାରୁ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି ।

ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ଆହ୍ମହୂତି ଦେବେ ୪ ଚାଷୀ!

ଭାରିଗଦା ଠାରେ ଖରସ୍ରୋତା ନଦୀରୁ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ପ୍ରଶାସନ ଜୋର ଜବରଦସ୍ତ ଆରମ୍ଭ କଲେ ୪ ଜଣ ଚାଷୀ ଖରସ୍ରୋତା ନଦୀ କୂଳରେ ଆତ୍ମହୂତି ହେବା ନେଇ ଘୋଷଣା କହିଛନ୍ତି । ଏହା ସହିତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ସଂଗ୍ରାମ ସମିତିର ସହମତି ହେବା ଆବଶ୍ୟକ । ନଦୀ ସଂପର୍କରେ ଅଧିକ ସର୍ଭେର ଆବଶ୍ୟକତା ରହିଛି । ତାହା ନକଲେ ଜନଆନ୍ଦୋଳନ ଅଧିକ ବଢ଼ିବ । ଖରସ୍ରୋତା ନଦୀକୁ ମୃତ ନଦୀରେ ଆମେ ଦେଖିବାକୁ ଚାହୁଁ ନାହୁଁ ବୋଲି ସଂଗ୍ରାମ ସମିତିର ସଭାପତି ଦୁର୍ଯ୍ୟେଧନ ମହାନ୍ତି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: