ଅସ୍ତରଙ୍ଗ,୧୫/୦୬: ଅସ୍ତରଙ୍ଗ ସମୁଦ୍ରକୂଳରେ ଏକଭାସମାନ ଦିଗନିର୍ଣ୍ଣୟ ଯନ୍ତ୍ର ଲାଗିଛି। ସମୁଦ୍ରରେ ଭାସି ଆସି ଆଜି ସକାଳୁ ଡାଳୁଅକଣି ଅଣାକଣା ତଣ୍ଡା ନିକଟରେ ଏହି ଭାସମାନ ଦିଗନିର୍ଣ୍ଣୟ ଯନ୍ତ୍ର ଲାଗିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇବା ପରେ ଏହି ଯାନ୍ତ୍ରଟିକୁ ଦେଖିବାକୁ ଭିଡ଼ ଜମିଥିଲା ଓ ଅଧିକାଂଶ ଲୋକ ଏହି ଯନ୍ତ୍ରଟି ବିଷୟରେ ଜାଣିନଥିବାରୁ ପ୍ରକୃତରେ ଏହା କଣ ଜାଣିବାକୁ ସମସ୍ତଙ୍କର ଉତ୍କଣ୍ଠା ବଢିଥିଲା। ଶେଷରେ ଏହା ଏକ ‘ଡ୍ୟାନ ବଏ’ ବା ଭାସମାନ ଦିଗନିର୍ଣ୍ଣୟ ଯନ୍ତ୍ର ବୋଲି କୋଷ୍ଟଗାର୍ଡ ସୂଚନା ଦେଇଛି। ସମୁଦ୍ର ମଧ୍ୟରେ ପାଣି ଜାହାଜ ହେଉ ବା ମତ୍ସ୍ୟଜୀବୀମାନଙ୍କୁ ଦିଗ ର୍ନିଣ୍ଣୟରେ ସହାୟକ ପାଇଁ ଦିଗ ନିର୍ଣ୍ଣୟ ଯନ୍ତ୍ର ଲଗାଯାଇଥାଏ। ବିଶେଷକରି ବିଭିନ୍ନ ପୋର୍ଟର ପ୍ରବେଶ ପଥରେ ଓ ପାଣି ଭିତରେ ବିଭିନ୍ନ ନିଷିଦ୍ଧାଞ୍ଚଳକୁ ଚିହ୍ନଟ, ଜାହାଜକୁ ଦିଗ ର୍ନିଣ୍ଣୟ କରିବା ପାଇଁ ଏହି ବିଶାଳ ଡ୍ରମକୁ ସମୁଦ୍ର ମଧ୍ୟରେ ଭାସମାନ ଅବସ୍ଥାରେ ରଖାଯାଇଥାଏ। ଲଙ୍ଗର ଦ୍ୱାରା ଲାଗିଥିବା ଏହି ଯନ୍ତ୍ରଟି ସମୁଦ୍ର ମଧ୍ୟରେ ପାଣି ଜାହାଜ ହେଉ ଅବା ମତ୍ସ୍ୟଜୀବୀଙ୍କୁ ଦିଗ ନିର୍ଣ୍ଣୟ କରିବାରେ ସହାୟକ ହୋଇଥାଏ।ଏହା ସମୁଦ୍ର କୂଳଠାରୁ କିଛି ଦୂରରେ ପାଣିରେ ଭାସମାନ ଅବସ୍ଥାରେ ରହିଥାଏ ଓ ସମୁଦ୍ର ଢେଉ ଯୋଗୁ ଯନ୍ତ୍ରଟି ଦୋହଲିଲେ ଏଥିରେ ଲାଗିଥିବା ଲାଇଟ୍ ଜଳିଥାଏ। ଫଳରେ ଗଭୀର ସମୁଦ୍ରରେ ଚଳପ୍ରଚଳ ଟ୍ରଲର, ଜାହାଜକୁ ଏହାଦିଗ ଦେଖାଇଥାଏ। ସେହିପରି ଏକାଧିକ ଜାହାଜ ଏକ ସଙ୍ଗରେ କୂଳକୁ ଆସିବା ବେଳେ କିମ୍ବା ଅନୁପ୍ରବେଶ କରିବା ବେଳେ ଏଥିରେ ଲାଗିଥିବା ସାଇରନ୍ ବାଜି ସଂକେତ ଦେଇଥାଏ ବୋଲି ସୂଚନା ମିଳିଛି। ସମୁଦ୍ରରେ ଭାସମାନ ଅବସ୍ଥାରେ ଥିବା ଏହି ଯନ୍ତ୍ରଟିର ଚେନ୍ ତଳକୁ ଥାଏ, କିନ୍ତୁ କୌଣସି କାରଣରୁ ଚେନ୍ କଟିଗଲେ ତାହା ଭାସିଯାଇ କୂଳରେ ଲାଗିଥାଏ ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |