ସାଇତା ନିଶାରେ ସୁଧୀର

୫୯ ବର୍ଷ ଧରି ସଂଗ୍ରହ କରିଛନ୍ତି ୧୫ଶହରୁ ଅଧିକ ଦେଶବିଦେଶର ପୁରୁଣା ଜିନିଷ

ରାଜକନିକା,୨୪/୨  ଇଂରେଜ ଅମଳର ଭଳିକିଭଳି ଘଡ଼ି ସାଙ୍ଗକୁ ବିଭିନ୍ନ ରଙ୍ଗବେରଙ୍ଗର କଲମ। ପୁଣି ଦେଶବିଦେଶର ମୁଦ୍ରା ଓ ନୋଟ ସହ କେଉଁ ଯୁଗର ଟୋପି ଆଉ ବଙ୍କୁଲି ବାଡ଼ି। ଏମିତି ଅନେକ ବିରଳ ଓ ଦୁର୍ଲଭ ସାମଗ୍ରୀ ଘର ସାରା ସାଇତା ହୋଇ ରଖାଯାଇଛି । ଏସବୁ ପୁରୁଣାକାଳିଆ ଜିନିଷକୁ ସଂଗ୍ରହ କରିବା ନିଶାରେ ଦିନ କାଟୁଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ବାଲିସାହି ଗାଁର  ସୁଧୀର ପଲାଇ । ୧୯୬୪ ମସିହାରେ ସୁଧୀରଙ୍କ ଅଜା ବରୁଣା ଗ୍ରାମର  ଶିବ ପ୍ରସାଦ ପରିଡ଼ା ତାଙ୍କୁ ବିଦେଶୀ ଓମେଗା ଘଡ଼ି ଓ ପାର୍କର-୫୧କଲମ ଉପହାର ଦେଇଥିଲେ । ଅଜା ଶିବ ପ୍ରସାଦ କଲିକତାରେ ଜଣେ ଆମେରିକା ସାହେବଙ୍କ ନିକଟରେ ଡ଼୍ରାଇଭର ଭାବେ ଚାକିରୀ କରୁଥିଲେ । ଶିବଙ୍କ ପ୍ରତି ଅନୁରକ୍ତ ପ୍ରକାଶ କରି ଆମେରିକାର ସାହେବ ଜଣକ ଅନେକ ବିଦେଶୀ ଉପହାର ପ୍ରଦାନ କରିଥିଲେ । ଗାଁକୁ ଆସିଲେ ସେସବୁ ନିଜର ପ୍ରିୟ ନାତି ସୁଧୀରକୁ ଦେଉଥିଲେ । ପିଲାବେଳୁ ଦେଶବିଦେଶର ଏଭଳି ଜିନିଷ ସବୁ ଦେଖି ଏହାକୁ ସାଇତି ରଖିବାକୁ ସେ ସେଦିନରୁ ଉଦ୍ୟମ ଆରମ୍ଭ କରିଛନ୍ତି । ସେବେଠାରୁ ସେ ଦାମୀ ଜିନିଷ ଓ ବିରଳ ସାମଗ୍ରୀ ପ୍ରତି ଆକୃଷ୍ଟ ହୋଇଥିଲେ ସୁଧୀର। ଆଉ ସେହିଦିନ ଠାରୁ ଏସବୁ ସାମଗ୍ରୀକୁ ସେ ସଂଗ୍ରହ କରି ଆସୁଛନ୍ତି । ଏବେ ସୁଦ୍ଧା ସୁଧୀର ୫୯ ବର୍ଷ ଧରି ୧୫ ଶହରୁ ଅଧିକ ପୁରୁଣା ଓ ଦାମୀ ସାମଗ୍ରୀ ସାଇତି ରଖିଛନ୍ତି। ବହୁ ପୁରୁଣା ଦାମୀ ଘଡ଼ି, ବିଦେଶୀ ନୋଟ, ପୁରାତନ ମୁଦ୍ରା, ପେନ, ପେନ୍ସିଲ, ଚଷମା, ଟୋପି, ମୁଦି ଓ ବଙ୍କୁଲି ବାଡ଼ି ଆଦି ରହିଛି ସୁଧୀରଙ୍କ ପାଖରେ । ସୁଧୀର ଏସବୁ ବିରଳ ଓ ଦୁର୍ଲଭ ସାମଗ୍ରୀକୁ ଦେଶ ବିଦେଶରେ ଥିବା ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ସଂଗ୍ରହ କରିଛନ୍ତି। ଏଥିପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଆଉ ଏବେ ତାଙ୍କ ପାଖରେ ରୋଲେକ୍ସ, ଓମେଗା, ଟିସର୍ଟ, ରାଡ଼ା, ରିକା,ଏମ୍ପରିଆଲ, ଟିଟାନି ଭଳି ନାମିଦାମୀ କମ୍ପାନୀର ବିଭିନ୍ନ ମଡେଲ ଘଡ଼ି ରହିଛି। ସେହିଭଳି ମଣ୍ଟ, ବ୍ଲାଙ୍କ, ପାର୍କର-୫୧, ସେଫାକ, ପାଇଲଟ, କିଙ୍ଗସନ, ୱାଟରବ୍ଲୁ ଭଳି ବିଦେଶୀ କମ୍ପାନୀର କଲମ ବି ମହଜୁଦ ରଖୁଛନ୍ତି । ତାହା ସହ ବିଭିନ୍ନ ଭେରାଇଟିର ଦାମୀ ଚଷମା ଓ ବଙ୍କୁଲି ବାଡ଼ି ମଧ୍ୟ ସଂଗ୍ରହକରି ରଖିଛନ୍ତି। ୬୯ ବର୍ଷରେ ପାଦ ଦେଇଛନ୍ତି ସୁଧୀର । ଜଣେ ସରଳ ମଣିଷ । ଓଳାଭର ମହାବିଦ୍ୟାଳୟରୁ ମୁଖ୍ୟ ଲିପିକ ଭାବେ ଅବସର ନେଇଛନ୍ତି । ଓଳାଭର ଯୁବକ ସଂଘରେ ଦୀର୍ଘ ୨୭ ବର୍ଷ ଧରି ସଂପାଦକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଜଣେ ଫୁଟବଲ, ଭଲି ଏବଂ କ୍ୟାରମ୍ କ୍ରୀଡ଼ାରେ ପାରଙ୍ଗମ ସୁଧୀର ଏବେବି ପୁରୁଣା ଜିନିଷଟିଏ ଦେଖିଲେ ତାକୁ ସାଇତି ରଖିବାକୁ ଲାଗିପଡ଼ୁଛନ୍ତି । ସ୍ତ୍ରୀ ରଞ୍ଜିତାଙ୍କ ସହିତ ଗୋଟିଏ ପୁଅ ଏବଂ ଦୁଇ ଝିଅଙ୍କୁ ନେଇ ସୁଧୀରଙ୍କ ହସଖୁସିର ସଂସାର । ଦୀର୍ଘଦିନ ଧରି ସୁଧୀରଙ୍କ ସାଇତା ନିଶାକୁ ପ୍ରଶଂସା କରୁଛନ୍ତି ଲୋକେ । ବଂଚିଥିବା ଯାଏ ଏହି କାମ କରିଚାଲିଥିବି । ଆଗକୁ ଗିନିଜ୍ ବୁକ୍ ଅପ୍ ରେକର୍ଡ଼ରେ  ସ୍ଥାନ ପାଇବା ନେଇ ଆଶା ରଖିଛି ବୋଲି କହନ୍ତି ସୁଧୀର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: