ସାମ୍ବାଦିକ ବ୍ରଜ କିଶୋର ସିଂଙ୍କ ଅକାଳ ପରଲୋକ

ରାଜକନିକା,୨୪/୧ :ରାଜକନିକା ବ୍ଲକ୍‌ର ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂଙ୍କର ସୋମବାର ଅକାଳ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ମାତ୍ର ୪୪ ବର୍ଷ ହୋଇଥିଲା । ସୋମବାର ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ସେଠାରେ ହୃଦ୍‌ଘାତ୍‌ରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜକନିକା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗଂଜା ଗ୍ରାମରେ ପିତା ଚିନ୍ତାମଣି ସିଂ ଏବଂ ମାତା ନିର୍ମଳା ସିଂଙ୍କ ଔରସରୁ ବ୍ରଜ କିଶୋର ୧୭ ଜୁଲାଇ ୧୯୭୮ମସିହାରେ ଜନ୍ମଗ୍ରହଣ କରିଥିଲେ । ଆର୍‌ଏନ୍ ହାଇସ୍କୁଲ ପରେ ଏସ୍‌ଏନ୍ କଲେଜରୁ ସ୍ନାତକରେ ଉର୍ତ୍ତିର୍ଣ୍ଣ ହୋଇଥିଲେ । ପରେ ସାମ୍ବାଦିକତାରେ ମଧ୍ୟ ଡିଗ୍ରୀ ହାସଲ କରିଥିଲେ । ଜଣେ ମେଳାପୀ, ପରୋପକାରୀ, ଅନୁଷ୍ଠାନ ପ୍ରିୟ ମଣିଷ ଭାବେ ବେଶ୍ ପରିଚିତ ଥିଲେ । ଦୀର୍ଘ ୧୦ ବର୍ଷ ହେବ ସେ ଦୈନିକ ସମ୍ବାଦର ରାଜକନିକା ବ୍ଲକ୍ ପ୍ରତିନିଧି ଭାବେ କାର୍ଯ୍ୟକରୁଥିଲେ । ଗରୀବ ଏବଂ ଅସହାୟ ଲୋକମାନଙ୍କୁ ସହାୟତା କରିବାରେ ସେ ସବୁ ବେଳେ ଆଗରେ ରହୁଥିଲେ । ଖବରକାଗଜରେ ଉଚ୍ଚମାନର ଖବର ପରିବେଶଣ କରି ସେ ବେଶ୍ ପରିଚିତ ଥିଲେ । ରାଜକନିକାର ବହୁ ଅନୁଷ୍ଠାନ ସହିତ ଶେଷ ଜୀବନ ପର୍ଯ୍ୟନ୍ତ ସେ ଜଡ଼ିତ ରହିଥିଲେ । ତାଙ୍କ ପରଲୋକ ଖବର ଜଣାପଡ଼ିବା ପରେ ତାଙ୍କ ଗଂଜା ବାସଭବନରେ ଭିଡ଼ ଲାଗିରହିଛି । ମଙ୍ଗଳବାର ତାଙ୍କର ଅନ୍ତିମ ସତ୍କାର କରାଯିବା ନେଇ ପରିବାର ସଂପର୍କୀୟଙ୍କ ପକ୍ଷରୁ ସୂଚନା ରହିଛି । ୨୦ ବର୍ଷ ତଳେ ତାଙ୍କ ପିତାଙ୍କ ପରଲୋକ ହୋଇଯାଇଥିବା ବେଳେ ଗତ ଦୁଇ ବର୍ଷ ତଳେ ମାତାଙ୍କ ମଧ୍ୟ ପରଲୋକ ହୋଇଯାଇଥିଲା । ଅବିବାହିତ ରହିଥିବା ଶ୍ରୀସିଂଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କ ପରଲୋକ ଖବରରେ ଆଳିର ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ, ବରିଷ୍ଠ ପ୍ରଶାସକ ଶରତ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ପ୍ରଶାସକ ବଂଶୀଧର ରାଉତ, ପଂଚାୟତ ସମିତିର ଅଧ୍ୟକ୍ଷା ସାବତ୍ରୀ ଦାସ, ପ୍ରାକ୍ତନ ପଂଚାୟତ ସମିତିର ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ ଏବଂ ସାମାଜିକ କର୍ମୀ ସଞ୍ଜୟ କୁମାର ଦାସ, ସଂଗଠନ କୈଳାସ ସେଠୀ, ପଟ୍ଟାମୁଣ୍ଡାଇ ଏସ୍‌ଡ଼ିପିଓ ସନ୍ଧ୍ୟାରାଣୀ ବେହୁରିଆ ପ୍ରମୁଖଙ୍କ ସହିତ ଜିଲାର ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପରଲୋକରେ କନିକା ପ୍ରେସ୍ କ୍ଲବ୍‌ର ସମସ୍ତ ସଦସ୍ୟ, ରାଜକନିକା ସାମ୍ବାଦିକ ସଂଘ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ ପାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: