କେନ୍ଦ୍ରାପଡ଼ା,୨୧/୫ :କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ର ନଦୀ କୂଳିଆ ଗ୍ରାମବାସୀମାନେ ଆସୁଥିବା ସାମ୍ଭାବ୍ୟ ବାତ୍ୟା ପାଇଁ ଆତଙ୍କିତ ହୋଇପଡ଼ିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଆସୁଥିବା ବାତ୍ୟା ‘ୟାସ୍’ ଚାନ୍ଦବାଲି ଠାରେ ସ୍ଥଳ ଭାଗ ଛଇଁବାର ପୂର୍ବାନୁମାନ ଖବର ଜଣାପଡ଼ିବା ପରେ ରାଜକନିକା ବ୍ଲକ୍ର ନଦୀକୂଳବର୍ତ୍ତୀ ଗ୍ରାମରେ ଛନକା ପସିଛି । ଚାନ୍ଦବାଲି ମାତ୍ର ନଦୀ ସେପଟେ ରହିଥିବା କାରଣରୁ ଯଦି ପାଣିପାଗ ବିଶେଷଜ୍ଞଙ୍କ କଥା ସତରେ ପରିଣତ ହୁଏ ତେବେ ଚାନ୍ଦବାଲି ରାଜକନିକା ନିକଟ ବଙ୍ଗୋପସାଗର କୂଳରେ ବାତ୍ୟା ‘ୟସ୍’ ସ୍ଥଳଭାଗ ଛୁଇଁବାର ଆଶା କରାଯାଇଛି । ଏହି କାରଣରୁ ରାଜକନିକା ବ୍ଲକ୍ର ବରାଡ଼ିଆ, ଉପୁଳାଇ, ବାଙ୍ଗରକୁଆଁ, ଦେଉଳି, ମନ୍ତପଡ଼ା, ଗୁଆଳିଗାଁ, ବଜରପୁର,ଜୟନଗର, ଶିଳପୋଖରୀ, ମହୁରୀଗାଁ, ବନ୍ଧମାଳ,ଝାଡ଼ମାଳ, ଧାମରା, ବାଜପୁର, ଜୟକୁଣ୍ଡା ବିଶାଘାଟ, ମହାଦେଇଆଡ଼ିଆ, ଗଙ୍ଗାଧରପ୍ରସାଦଡ଼ିଆ ଏବଂ ଖଣ୍ଡେଇତା ଗ୍ରାମର ପ୍ରାୟ ୨୦ ହଜାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ସବୁ ଗ୍ରାମ ନିକଟରେ ବୈତରଣୀ ଏବଂ ଖରସ୍ରୋତା ନଦୀ ମିଳିତ ଭାବେ ବଙ୍ଗୋପସାଗରରେ ଯାଇ ମିଶିଛନ୍ତି । ସମୁଦ୍ର ଏହି ଗ୍ରାମ ମାନଙ୍କ ଠାରୁ ନିକଟବର୍ତ୍ତୀ ହୋଇଥିବା କାରଣରୁ ସମୁଦ୍ରରୁ ଲୁଣାପାଣି ମାଡ଼ିଆସିବାର ମଧ୍ୟ ସମ୍ଭାବନା ରହିଛି । ବରାଡ଼ିଆ ଗ୍ରାମ ନିକଟରେ ବୈତରଣୀ ନଦୀ ଗାଁ ମଧ୍ୟକୁ ଗ୍ରାସକରି ଚାଲିଛି । ଏହି ପଂଚାୟତରେ ବାତ୍ୟା ଅଶ୍ରୟସ୍ଥଳୀ ନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବରାଡ଼ିଆ ପଂଚାୟତ ସମିତି ସମିତିସଭ୍ୟ ମଙ୍ଗୁଳି ଚରଣ ବେହେରା ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କୁ ବହୁବାର ଏଠାରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବା ନେଇ ଦାବି କରିଆସୁଛନ୍ତି । ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏହି କାରଣକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ପଂଚାୟତରେ ବସବାସ କରୁଥିବା ମତ୍ସ୍ୟଜୀବି ପରିବାରର ଲୋକମାନେ ସେମାନଙ୍କ ଡଙ୍ଗା ଗୁଡ଼ିକୁ ନଦୀକୂଳରେ ବାନ୍ଧି ରଖିଛନ୍ତି । ହେଲେ ସେମାନଙ୍କ ଚାଳଘର ଆସୁଥିବା ବାତ୍ୟାକୁ କେତେ ସାମ୍ନା କରିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |