ବରଗଡ଼,୨୮।୩: ଜଣେ କର୍ତ୍ତବ୍ୟରତ ସିଆରପିଏଫ୍ ଯବାନ ଆତ୍ମହତ୍ୟା ଖବର ମିଳିଛି। ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ସିଆରପିଏଫ ଯବାନ ପ୍ରଶନ୍ନଜିତ ପାଳ ନାମକ ଜଣେ ସିଆରପିଏଫ ଯବାନ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରେ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ମୃତ ସିଆରପିଏଫ୍ ଯବାନଙ୍କ ନାଁ ପ୍ରସନ୍ନଜିତ ପାଲ(୨୭)। ତାଙ୍କ ଘର ପଶ୍ଚିମବଙ୍ଗରେ। ସେ ସି/୧୮୯ ବାଟାଲିୟନର ଯବାନ ବୋଲି ଜଣାଯାଇଛି। ପ୍ରସନ୍ନଜିତ ଝାରବନ୍ଧ ବ୍ଲକ୍ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ଗତକାଲି ରାତି ୧୦ଟାରୁ ତାଙ୍କ ଡ୍ୟୁଟି ସୁରକ୍ଷା ଟାୱାର ଉପରେ ରହିଥିଲା। ରାତି ପ୍ରାୟ ୧୨ଟାରେ ସେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାଯାଇଛି।ଏହାପରେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ବୁର୍ଲା ଭିମସାରରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ତେବେ ସେ ଛୁଟିରେ ଘରକୁ ଯାଇ ଦୁଇ ଦିନ ତଳେ କାର୍ଯ୍ୟରେ ପୁଣି ଯୋଗ ଦେଇଥିଲେ। ଏଣୁ ପାରିବାରିକ ସମସ୍ୟା ହେତୁ ପ୍ରସନ୍ନଜିତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏ ଘଟଣା ସଂପର୍କରେ ସରକାରୀ ଭାବେ କିଛି ସୂଚନା ଦିଆଯାଇନାହିଁ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |