ସିବିଆଇ ଜାଲରେ ପୂର୍ବତନ ରେଳ କର୍ମଚାରୀ

ଭୁବନେଶ୍ୱର, ୧୮।୧ : ସିବିଆଇ ଜାଲରେ ପଡିଛନ୍ତି କୋଟିପତି ପୂର୍ବତନ ରେଳ କର୍ମଚାରୀ ପ୍ରମୋଦ କୁମାର ଜେନା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ପ୍ରିନ୍ସିପାଲ ଚିଫ୍‌ ଅପରେଶନ୍‌ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ୧୩ରୁ ଅଧିକ ଦିନ ଧରି ଚାଲିଥିବା ଚଢ଼ାଉ   ଏକାଧିକ ଲକରରୁ ୧୭ କେଜି ସୁନା, ୧.୫୭ କୋଟି ଟଙ୍କା ମିଳିବା ପରେ ସିବିଆଇ ତଦନ୍ତକୁ ଜୋର୍‌ଦାର କରିଛି। ଠାବ ସୁନା ମଧ୍ୟରେ ଅଳଙ୍କାର, ସୁନା ବିସ୍କୁଟ, କଏନ୍‌, ସୁନା ବାର୍‌ ରହିଛି। ଓଡ଼ିଶାର ଭୁବନେଶ୍ୱର ଓ ଜଗତ୍‌ସିଂପୁର ଏବଂ କୋଲକାତାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବିଭିନ୍ନ ବ୍ୟାଙ୍କରେ ପ୍ରମୋଦ ଓ ତାଙ୍କ ପରିବାର ତଥା ସମ୍ପର୍କୀୟଙ୍କ ନାଁରେ ଥିବା ୮ରୁ ଅଧିକ ଲକର୍‌ ଠାବ ହୋଇଥିଲା। ସେଥି ମଧ୍ୟରୁ ୩ଟି ଲକର ସ୍ତ୍ରୀଙ୍କ ନାମରେ ଥିବାବେଳେ ଅନ୍ୟ ୫ଟିର ପ୍ରକୃତ ମାଲିକ ଜାଣିବାକୁ ସିବିଆଇକୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ପରେ ସେଗୁଡ଼ିକର ମାଲିକ ଚିହ୍ନଟ କରିଛି ସିବିଆଇ। ଏଥିସହ ଏଯାବତ୍‌ ୭ଟି ଲକର୍‌ ଖୋଲାଯାଇଛି। ସେଥିରୁ ବିପୁଳ ପରିମାଣର ସୁନା, ନଗଦ ଟଙ୍କା ଓ ଆର୍ଥିକ କାରବାର ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି। ରିପୋର୍ଟ ଅନୁଯାୟୀ, ଲକର୍‌ରୁ ନଗଦ ୧.୫୭ କୋଟି ଟଙ୍କା, ୯.୫ କୋଟି ଟଙ୍କାର ୧୭ କେଜି ସୁନା ଠାବ ହୋଇଛି। ସେହିପରି ପୋଷ୍ଟାଲ ସେଭିଂସ ଓ ବ୍ୟାଙ୍କ ଫିକ୍ସ ଡିପୋଜିଟ୍‌ ୩.୩୩ କୋଟି, ବ୍ୟାଙ୍କ ଜମା ୧.୫୧ କୋଟି, ମ୍ୟୁଚୁଆଲ୍‌ ଫଣ୍ଡ୍‌ ୪୭.୭୫ ଲକ୍ଷ ଟଙ୍କା ମଧ୍ୟ ଠାବ କରାଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ସିବିଆଇ ପ୍ରମୋଦ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୪କୋଟି ୨୮ଲକ୍ଷ ୮୭ହଜାର ୫୫୩ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରିଥିଲା। ଏଥିରୁ ୧ କୋଟି ୯୨ ଲକ୍ଷ ୨୧ ହଜାର ୪୦୫ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ବୋଲି ଜଣାପଡିଥିଲା, ଯାହା ତାଙ୍କ ପ୍ରକୃତ ଆୟର ୫୯.୦୯ ପ୍ରତିଶତ ଅଧିକ ବୋଲି ସିବିଆଇ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଥିଲା। ଏ ସଂକ୍ରାନ୍ତରେ ଗତ ଜାନୁୟାରୀ ୩ରୁ ପ୍ରିଭେନ୍‌ଶନ୍‌ ଅଫ୍‌ କରପ୍‌ଶନ ଆକ୍ଟର ଦଫା ୧୩ (୧) (ବି)ରେ ଏକ ମାମଲା ରୁଜୁ କରି ସିବିଆଇ ଅଧିକ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଜାରି ରହିଥିବାରୁ ସିବିଆଇ ମୋଟ ସମ୍ପତ୍ତି କେତେ ତାହା ଆକଳନ କରିନାହିଁ। ତେବେ ଏଯାଏ ଠାବ ହୋଇଥିବା ସମ୍ପତ୍ତିର ପରିମାଣ ୨୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ହିସାବ କହୁଛି। ପ୍ରମୋଦଙ୍କଠାରୁ ଆହୁରି ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପାଇବାକୁ ସିବିଆଇ ଆଶା ରଖିଛି। ପରବର୍ତ୍ତୀ ସମୟରେ ପ୍ରମୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗିରଫଦାରି ନେଇ ବିସ୍ତୃତ ବିବରଣୀ ଦିଆଯିବ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: