ଖୋର୍ଦ୍ଧା ,୨୩।୧: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଅଧୀନରେ ରହିଥିବା ସ୍ଥାନୀୟ ୧୬ ନଂ ଜାତୀୟ ରାଜପଥ ଠାରୁ ଅନତି ଦୁରସ୍ଥିତ ହରିପୁର ଜଙ୍ଗଲରୁ ଟ୍ରଲି ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି। ନାଚୁଣୀ ଥାନା ପୁଲିସ ମୃତ ଯୁବକଙ୍କ ପତ୍ନୀ ମିଲି ମହାପାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ଏବାବଦରେ ଆନୁଷ୍ଠାନିକ ଭାବେ ସାମ୍ବାଦିକ ସମ୍ମିଳନୀ ଡ଼ାକି ବିସ୍ତୃତ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମନୋରଞ୍ଜନ ମହାପାତ୍ର (୩୨)ଙ୍କ ପତ୍ନୀ ନିଲି ଦାସ(୨୫) ଏବଂ ତାଙ୍କ ସମ୍ପର୍କୀୟ ଭାଇ ତଥା ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ରାଜ ଜଙ୍କିଆ ଗ୍ରାମର ତ୍ରିନାଥ ଦାସଙ୍କ ପୁଅ ମିଟୁ ଦାସ(୨୬)ଙ୍କ ସହିତ ନିଲିଙ୍କ ପୁରୁଷ ବନ୍ଧୁ ତଥା ଟାଙ୍ଗୀ ଥାନା ଅନ୍ତର୍ଗତ ଗୋଡିପାଟଣା ସାହିର ବିଜୟ କୁମାର ସାହୁଙ୍କ ପୁଅ ବିକ୍ରମ କୁମାର ସାହୁ (୨୯), ଯିଏକି ବର୍ତ୍ତମାନ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ଡୋମଣୀ ସାହିରେ ବସବାସ କରନ୍ତି। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମନୋରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ୨ଜଣ ପୁରୁଷ ବନ୍ଧୁଙ୍କୁ ସୋମବାର ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଏଥିସହ ଘଟଣାରେ ବ୍ୟବହୃତ ହୋଇଥିବା ନୀଳରଙ୍ଗର ସୁଟକେସ୍, ପ୍ଲାଷ୍ଟିକ ଦୌଡି, ଗୋଟିଏ ଓଢଣୀ, ହଳେଚପଲ ଓ ପଲସର ବାଇକ୍କୁ ପୋଲିସ ଜବତ କରିଛି। ଏନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୧୧/୨୩) ରୁଜୁ କରାଯାଇଛି। ସୋମବାର ନାଚୁଣୀ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ପି ସିଦ୍ଧାର୍ଥ କଠାରିଆ ଏହି ସୂଚନା ଦେଇଛନ୍ତି।ପୁଲିସ କହିବା ଅନୁସାରେ ମୃତ ଯୁବକ ନୟାଗଡ଼ ଜିଲ୍ଲାର ବଳଭଦ୍ରପୁର ପଞ୍ଚାୟତର ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ମନୋରଞ୍ଜନ ମହାପାତ୍ର ।ସେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ରାଜ ଜଙ୍କିଆ ଗ୍ରାମର ନିଲି ଦାସଙ୍କୁ ବିବାହ କରିଥିଲେ। କୁଆଡେ ମୃତ ଯୁବକ ଜଣେ ଅସାମାଜିକ ବ୍ୟକ୍ତି, ଯାହାଙ୍କ ନାମରେ ୨ରୁ ୩ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନାରେ ଏକାଧିକ ଡ଼କାୟତି ମାମଲା ରହିଥିବା ପ୍ରକାଶ। ଏଣୁ ତାଙ୍କ ଗିରଫଦାରୀ ପାଇଁ ପୁଲିସ ଓ୍ବାଣ୍ଟେଡ ଓ୍ବାରେଣ୍ଟ ରହିଥିବା ପ୍ରକାଶ। ଏଥି ସହିତ ମୃତ ଯୁବକ ପୂର୍ବରୁ ରହୁଥିବା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଲାଖପଡା ନିଜ ବାସ ସ୍ଥାନ ଅଞ୍ଚଳରେ ବିଭିନ୍ନ ମାମଲାରେ ସମସ୍ୟା ଉପୁଜିବାରୁ ସେ ସପରିବାର ଚିଲିକା ବ୍ଲକର ଚଣ୍ଡେଶ୍ବର ଅଧିନ ଦାରୁ ଗାଁରେ ଘର ଭଡା ନେଇ ରହୁଥିଲେ। ଏସ୍ପିଙ୍କ ସୂଚନା ମୁତାବକ, ଗତ ୨୦ ତାରିଖ ମନୋରଞ୍ଜନ ମଦ୍ୟପାନ କରି ସ୍ତ୍ରୀ ନିଲିଙ୍କୁ ମାଡ଼ ମାରିଥିଲେ। ଫଳରେ ନିଲି ସ୍ବାମୀଙ୍କଠୁ ମୁକ୍ତି ପାଇବା ପାଇଁ ହତ୍ୟା ଯୋଜନା କରିଥିଲେ। ଏଥିପାଇଁ ସେ ତାଙ୍କ ସାଙ୍ଗ ବିକ୍ରମ ଏବଂ ସମ୍ପର୍କୀୟ ଭାଇ ମିଟୁଙ୍କ ସହଯୋଗ ଲୋଡିଥିଲେ। ଯୋଜନା ମୁତାବକ, ୨୧ ତାରିଖ ସାରେ ଅଭିଯୁକ୍ତ ବିକ୍ରମ ଚାନ୍ଦପୁର ବଜାରରୁ ଏକ ସୁଟକେସ୍ କିଣି ମନୋରଞ୍ଜନ ଚଣ୍ଡେଶ୍ୱର ସ୍ଥିତ ଘରକୁ ଯାଇଥିଲେ। ସେଠାରେ ମନୋରଞ୍ଜନକୁ ପ୍ରଚୁର ମଦ୍ୟ ପାନ କରାଇଥିଲେ। ପରେ ସମସ୍ତେ ମିଶ ମନୋରଞ୍ଜନଙ୍କ ବେକକୁ ଚିପି ହତ୍ୟା କରିଥିଲେ। ଉକ୍ତ ରାତିରେ ମନୋରଞ୍ଜନଙ୍କ ମୃତଦେହକୁ ସୁଟକେସ୍ରେ ପୁରାଇ ନାଚୁଣୀ ହରିପୁର ଜଙ୍ଗଲକୁ ନେଇ ଫୋପାଡି ଦେଇଥିଲେ। ଖବରଦାତା ସମ୍ମିଳନୀରେ ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ, ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା, ଟାଙ୍ଗି ଥାନା ଅଧିକାରୀ ଦିଗବିଜୟ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |