ସୁନନ୍ଦାଙ୍କ ହାତ ଧରିଲେ ହାସ୍ୟାଭିନେତା ପ୍ରଜ୍ଞା

ରାଜକନିକା,୨୬/୧ : ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟାଭିନେତା ପ୍ରଜ୍ଞା ରଂଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି । ଆଗୁଆ ସୂଚନା ନ ଥାଇ ହଠାତ ଅପରାହ୍‌ଣ ୧ଟାରେ ବରଯାତ୍ରୀଙ୍କ ସହ ପ୍ରଜ୍ଞା ବର ବେଶରେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡ଼ିଆରେ ପହଞ୍ଚିଥିଲେ । ବାଣ ରୋସଣି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏକଜୁଟ୍‌ ହୋଇ ଯାଇଥିଲେ । ପ୍ରଜ୍ଞାଙ୍କୁ ବର ବେଶରେ ଦେଖିsବା ପରେ କୌଣସି ସିରିଏଲ୍‌ ସୁଟିଂ ହେଉଥିବା ଭାବି ଧୀରେ ଧୀରେ ଜନଗହଳି ବଢ଼ିଥିଲା । ପ୍ରଜ୍ଞା ବରଯାତ୍ରୀଙ୍କୁ ଧରି ବାଘବୁଦା ପଡ଼ିଆରେ ଥିବା ରାଜକନିକା ଆଥ୍‌ଲେଟିକ୍‌ ଆସୋସିଏସନ୍‌ ଆଡ଼କୁ ମୁହାଁଇଥିଲେ । ଆଥ୍‌ଲେଟିକ୍‌ ଆସୋସିଏସନ୍‌ ସମ୍ମୁଖରେ ପୂର୍ବରୁ ସବୁ ପ୍ରସ୍ତୁତି ସରିଥିଲା । ଅଧିକ ଭିଡ଼ ହେବା ଆଗରୁ ଟେଣ୍ଟ୍‌କୁ ଭିତରପଟୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇ ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ସଂପନ୍ନ କରାଯାଇଥିଲା । ଅଭିନେତାଙ୍କ ବିବାହ ଖବର ପ୍ରଚାର ପରେ ଲୋକଙ୍କ ଭିଡ଼ ବଢ଼ିଥିଲା, ଯାହାକୁ ଦେଖି କୋଭିଡ୍‌ କଟକଣା ମାନି ସହଯୋଗ କରିବାକୁ ପ୍ରଜ୍ଞାନଙ୍କ ବଡ଼ଭାଇ ପ୍ରଣିପାତ ଖଟୁଆ ସମସ୍ତଙ୍କୁ ନିବେଦନ କରିଥିଲେ । କିଛି ଦିନ ତଳେ ପ୍ରଜ୍ଞା ଓ ସୁନନ୍ଦାଙ୍କ ବିବାହ ସ୍ଥିର ହୋଇଥିଲା । ହଠାତ୍‌ ଆଜି ରାଜକନିକାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରଜ୍ଞା ରଞ୍ଜନ ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳର ବଳରାମ ପରିଡ଼ାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିଛନ୍ତି । କୋଭିଡ୍‌ କଟକଣା ଯୋଗୁଁ ଏହି ହାଇପ୍ରୋଫାଇଲ୍‌ ବିବାହକୁ ଅଳ୍ପ ଲୋକଙ୍କ ଭିତରେ ସୀମିତ କରାଯାଇଥିଲା । ବଳରାମ ପୂର୍ବରୁ ଟେଲିକମ୍‌ ବିଭାଗରେ ରାଜକନିକାରେ ଚାକିରି କରିଥିଲେ । ତେଣୁ ଊଭୟ ଧୁଷୁରୀ ଓ ନିଶ୍ଚିନ୍ତକୋଇଲିର ମଧ୍ୟସ୍ଥଳରେ ରାଜକନିକାକୁ ବିବାହ ସ୍ଥାନ ଭାବେ ବଛା ଯାଇଥିବା ବରଘର ପକ୍ଷରୁ କୁହାଯାଇଛି । ରାଜକନିକାରେ ଓଲିଉଡ୍‌ର ଏଭଳି ଏକ ଚର୍ଚ୍ଚିତ ବିବାହ ଅଞ୍ଚଳରେ ଖୁସି ଖେଳାଇ ଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: