ଦୁବାଇ: ଚଳିତ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ଦ୍ବିତୀୟ ମ୍ୟାଚ୍ ରବିବାର ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କେଏଲ୍ ରାହୁଲ୍ଙ୍କ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ୨୦ ଓଭର ଶେଷରେ ଓଭୟ ଦଳ ୧୫୭ ରନ୍ ଲେଖାଏଁ କରିବାରୁ ଏହା ଟାଇ ରହିଥିଲା। ଫଳରେ ସୁପର ଓଭର ହୋଇଥିଲା। ମାର୍କସ ଷ୍ଟୋଇନିସ୍ଙ୍କ ବିସ୍ଫୋରକ ଇନିଂସ ବଳରେ ୧୭ ଓଭରରେ ମାତ୍ର ୧୦୦ ରନ୍ କରିଥିବା ଦିଲ୍ଲୀ ଶେଷ ୩ ଓଭରରୁ ୫୭ ରନ୍ ନେଇ ପାରିଥିଲା। ଦିଲ୍ଲୀ ୨୦ ଓଭର ଶେଷରେ ୮ ୱିକେଟରେ ୧୫୭ ରନ୍ କରି ପାରିଥିଲା। ପରେ ମୟଙ୍କ ଅଗ୍ରୱାଲଙ୍କ ବିସ୍ଫୋରକ ୮୯ ରନ୍ ବଳରେ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟ ୮ ୱିକେଟରେ ୧୫୭ ରନ୍ କରି ପାରିଥିଲା। କାଗିସୋ ରାବାଡ଼ା ବୋଲିଂ କରିଥିବା ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବ ମାତ୍ର ୨ ରନ୍କରି କେ.ଏଲ୍. ରାହୁଲ ଓ ନିକୋଲାସ୍ ପୁରନ୍ଙ୍କ ୱିକେଟ ହରାଇଥିଲା। ୩ ରନ୍ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବଲ୍ରେ ହାସଲ କରି ନେଇଥିଲା।
ଟସ୍ ଜିତି କିଙ୍ଗ୍ସ ଏକାଦଶ ପଞ୍ଜାବ ଫିଲ୍ଡିଂ ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ମୂଳରୁ ଦୟନୀୟ ବ୍ୟାଟିଂ କରିଥିଲା। ୪ ଓଭରରେ ମାତ୍ର ୧୩ ରନ୍ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୩ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସାରିଥିଲା। ଭୁଲ୍ ବୁଝାମଣା ଯୋଗୁଁ ଦିଲ୍ଲୀର ଶିଖର ଧାୱନ୍ ବିନା ସ୍କୋର୍ରେ ରନ୍ଆଉଟ୍ ହୋଇଥିଲେ। ମହମ୍ମଦ ସାମି ବୋଲିଂ କରିଥିବା ୪ର୍ଥ ଓଭରରେ ଆଉ ୨ଟି ୱିକେଟ୍ ପଡ଼ିଥିଲା। ଯୁବ ଓପ୍ନର ପୃଥ୍ୱୀ ସ’ ୫ ଏବଂ ୱେଷ୍ଟଇଣ୍ଡିଜ୍ର ବାମହାତି ସିମ୍ରନ୍ ହେତ୍ମେୟର ୭ ରନ୍କରି ବିଦାୟ ନେଇଥିଲେ। ପରେ ଋଷଭ ପନ୍ତ୍ ଓ ଅଧିନାୟକ ଶ୍ରେୟାସ ଆୟର ଇନିଂସ ସଜାଡ଼ିବାର ପ୍ରୟାସ କରିଥିଲେ। ତେବେ ଲାଗଲାଗ ୨ଟି ବଲ୍ରେ ଦୁହେଁ ଆଉଟ ହୋଇ ଯାଇଥିଲେ। ୮ ଓଭରରେ ୩ ୱିକେଟରେ ମାତ୍ର ୩୨ ରନ୍ ହୋଇଥିବା ବେଳେ ପରବର୍ତ୍ତୀ ୬ ଓଭରରୁ ୫୪ ରନ୍ ହୋଇଥିଲା। ବାମହାତି ଋଷଭ ୨୯ ବଲ୍ରୁ ୪ଟି ଚୌକା ସହ ୩୧ ରନ୍ କରିଥିଲେ। କ୍ରିଜ୍ରେ ଜମିଯାଇ ଚମତ୍କାର ବ୍ୟାଟିଂ କରୁଥିବା ଶ୍ରେୟାସ ଆୟର ୩୨ ବଲ୍ରୁ ୩ଟି ଛକା ସହ ୩୯ ରନ୍ କରିଥିଲେ। ୮୭ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ଟି ୱିକେଟ୍ ହରାଇ ଦୟନୀୟ ସ୍ଥିତିରେ ଥିଲା। ଅକ୍ଷର ପଟେଲ ୬ ଓ ରବିଚନ୍ଦ୍ରନ ଅଶ୍ୱିନ ୪ ରନ୍ କରିଥିଲେ। ମାର୍କସ ଷ୍ଟୋଇନିସ୍ ଶେଷ ୩ ଓଭରରେ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୨୧ ବଲ୍ରୁ ୩ଟି ଛକା ଓ ୭ଟି ଚୌକା ସହ ୫୩ ରନ୍ କରି ଇନିଂସର ଅନ୍ତିମ ବଲ୍ରେ ଆଉଟ ହୋଇଥିଲେ। କ୍ରିସ୍ ଜୋର୍ଡାନ୍ ବୋଲିଂ କରିଥିବା ଶେଷ ଓଭରରୁ ଷ୍ଟୋଇନିସ୍ ୩୦ ରନ୍ ନେଇଥିଲେ। ମହମ୍ମଦ ସାମି ୩ଟି ଓ ସେଲ୍ଡନ୍ କଟ୍ରେଲ୍ ୨ଟି ୱିକେଟ ନେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |