ଭୁବନେଶ୍ଵର, ୦୪/୦୯ : ବାଜିଲା ପିପିଲି ଉପନିର୍ବାଚନ ବିଗୁଲ। ଆସନ୍ତା ସେପ୍ଟେମ୍ଵର ୩୦ରେ ହେବ ପିପିଲି ଉପନିର୍ବାଚନ। ଅକ୍ଟୋବର ୩ରେ ହେବ ଭୋଟ ଗଣତି। ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। କରୋନା କାରଣରୁ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା। ପିପିଲି ସମେତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ।
ପୂର୍ବରୁ ୨ ଥର ଉପନିର୍ବାଚନ ଘୁଞ୍ଚିଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ହେବା କାରଣରୁ ଏପ୍ରିଲ ୧୭ର ଭୋଟ୍ ମେ ୧୬କୁ ଘୁଞ୍ଚିଥିଲା। ଏହାପରେ ମେ ୧୬ରେ ରାଜ୍ୟରେ କରୋନା ସଂକ୍ରମଣ ବଢିଥିବାରୁ ଉପନିର୍ବାଚନ ପୁଣି ଥରେ ସ୍ଥଗିତ କରାଯାଇଥିଲା। ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଘଟିଥିବାରୁ ଆସନ୍ତା ସେପ୍ଟେମ୍ଵର ୩୦ରେ ନିର୍ବାଚନ ହେବାକୁ ଯାଉଛି। ତେବେ ଏଥିପାଇଁ ଆଜିଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହେଲା। ଆସନ୍ତା ୨୦ ତାରିଖ ଠାରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ମିଳିଛି। କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ପ୍ରଚାର ହେବ।
ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ରହିବ। ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟ ପରେ ପିପିଲି ଉପନିର୍ବାଚନ ହେଉଛି। ନିର୍ବାଚନ ରଣାଙ୍ଗନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ପୂର୍ବରୁ ୨ ଥର ଉପନିର୍ବାଚନ ଘୁଞ୍ଚିଥିଲା। ତେଣୁ ଆଉ ନୂଆ ପ୍ରାର୍ଥୀପତ୍ର ଦାଖଲ କରାଯିବ ନାହିଁ। ମାତ୍ର ୯ ଦିନ ପାଇଁ କ୍ୟାମ୍ପେନିଂ ହେବ। ୭ ଜଣ ଦଳୀୟ ପ୍ରାର୍ଥୀ ରହିଥିବା ବେଳେ ୩ ଜଣ ସ୍ଵାଧୀନ ପ୍ରାର୍ଥୀ ରହିଛନ୍ତି। ବିଜେପିର ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ରୁଦ୍ର ମହାରଥୀ ଏବଂ କଂଗ୍ରେସରୁ ବିଶ୍ଵକେତନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ତେବେ ଏହି ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ। ପୂର୍ବରୁ ନିର୍ବାଚନ ପ୍ରଚାର ଜୋରଦାର ହୋଇଥିଲେ ମଧ୍ୟ ଏବେ ପୁଣି ଆଉ ୯ ଦିନର ସମୟ ମିଳିଛି। ପ୍ରାର୍ଥୀମାନେ ଲୋକମାନଙ୍କ ନିକଟତର ହେବାକୁ ଚେଷ୍ଟା କରିବେ।
ତେବେ କୋଭିଡ୍ କଟକଣା ମଧ୍ୟରେ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରିବେ। କ୍ୟାମ୍ପେନିଂ ବେଳେ ରୋଡ୍ ଶୋ, ବାଇକ୍ ଓ ସାଇକେଲ୍ ରାଲିକୁ ବାରଣ କରାଯାଇଛି। ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୮ ଜଣ ସମର୍ଥକଙ୍କୁ ଅନୁମତି ମିଳିଛି। ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |