ସେବା ଆଉ ଅଭିନୟ ନିଶାରେ ଅଭିନେତା ସୌମ୍ୟକାନ୍ତ

ରାଜକନିକା,୧୬/୧: ଯେତେ ବେଳେ କରୋନା ମହାମାରୀରେ ଲୋକେ ଘରୁ ବାହାରିବାକୁ ଭୟକରୁଥିଲେ, ସେହି ସମୟରେ ନିଜର ପ୍ଲାଜମା ଦାନ କରି କରୋନା ରୋଗୀଙ୍କୁ ଜୀବନ ଦାନ କରିଥିଲେ । ସେହିଭଳି ରକ୍ତର ଅଭାବ ଦେଖାଦେଲେ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସନ୍ତି । ଏଯାବତ୍ ୨୦ରୁ ଅଧିକ ଥର ରକ୍ତ ଦାନ କରିଛନ୍ତି । ଆଉ ବିଭିନ୍ନ ସାମାଜିକ ପରିବର୍ତ୍ତନ ପାଇଁ ଗାଁ ଗାଁରେ ଅଭିନୟ ମାଧ୍ୟମରେ ସଚେତନା ସୃଷ୍ଟି କରୁଛନ୍ତି । ଏଭଳି ସେବା ଆଉ ଅଭିନୟରେ ନିଶା ରଖିଥିବା ଯୁବ ଅଭିନେତା ହେଉଛନ୍ତି ରାଜକନିକା ବ୍ଳକ୍ ବାଘବୁଦା ନୂଆସାହି ଗ୍ରାମର ସୌମ୍ୟକାନ୍ତ ନାୟକ । ଜୁଲାଇ ୧୫ ତାରିଖ ୧୯୮୦ ମସିହାରେ ସିହୋପଡ଼ା ଗ୍ରାମର ବୈଣ୍ଣବ ଚରଣ ନାୟକ ଏବଂ ମାତା ଲକ୍ଷ୍ମୀପ୍ରିୟା ନାୟକଙ୍କ ଔରସରୁ ସୌମ୍ୟକାନ୍ତଙ୍କ ଜନ୍ମ । ପିଲାଟି ଦିନରୁ କଳା ପ୍ରତି ରହିଥିଲା ତାଙ୍କର ଅହେତୁକ ଆଗ୍ରହ । ଆର୍‌ଏନ୍ ହାଇସ୍କୁଲରେ ହେଉଥିବା ନାଟକରେ ପ୍ରଥମେ ଅଭିନୟରେ ପାଦ ଥାପିଥିଲେ ସୌମ୍ୟକାନ୍ତ । ଆର୍‌ଏନ୍ ହାଇସ୍କୁଲର ଶିକ୍ଷକ ତଥା ବିଶିଷ୍ଟ ନାଟ୍ୟକାର ହୃଦାନନ୍ଦ ସୂତାରଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟରେ ହେଉଥିବା ନାଟକରେ ତାଙ୍କୁ ଅଭିନୟ କରିବାରେ ସୁଯୋଗ ମିଳିଥିଲା । ସେହି ସୁଯୋଗ ତାଙ୍କୁ ଆଜି ଜଣେ ଯୁବ ଅଭିନେତା ଭାବେ ଗଢ଼ିତୋଳିବାରେ ଅଧିକ ସହାୟକ ହୋଇପାରିଛି । ଗାଁ’ର ମଂଚ ନାଟକରେ ଆଜି ପର୍ଯ୍ୟନ୍ତ ଶହେରୁ ଅଧିକ ମଂଚ ନାଟକ , ଓ ଟିଭି ଏବଂ ନନ୍ଦିଘୋଷ ଟିଭିରେ ଜଣେ ଅଭିନେତା ଭାବେ ଓଡ଼ିଶାରେ ବେଶ୍ ସୁପରିଚିତ ହୋଇପାରିଛନ୍ତି । ମାମୁଁ ମଦନ ମୋହନ ବିଶ୍ୱାଳଙ୍କ ପ୍ରେରଣାରେ ଜଣେ ଲାବ୍ରୋଟୋରି ଟେକ୍‌ନିସିଆନ୍ ଭାବେ ରାଜକନିକାରେ କାର୍ଯ୍ୟକରୁଥିଲେ ମଧ୍ୟ ସାମାଜିକ କାର୍ଯ୍ୟ ଏବଂ ଅଭିନୟ ନିଶାରୁ ସେ କେବେ ଦୂରେଇ ଯାଇନାହାଁନ୍ତି । କାହାର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ହେଉକି ଯାତ୍ରା ନାଟକ ଆଉ ମହୋତ୍ସବରେ ଆଗଧାଡ଼ିରେ ଛିଡ଼ାହୁଅନ୍ତି ସୌମ୍ୟକାନ୍ତ । ଓଡ଼ିଗିରିଆ ବୀଣାପାଣି ସାଂସ୍କୃତିକ ପରିଷଦର ସଭାପତି, ରୟାଲ କନିକା ବ୍ଲକ୍‌ର ଉପସଭାପତି, ବଜ୍ର ମହାକାଳୀ ଆଂଚଳିକ ଯୁବନାଟ୍ୟ ପରିଷଦର ପ୍ରମୁଖ ସଦସ୍ୟ ଏବଂ କନିକା ଚାନ୍ଦବାଲି ବୈତରଣୀ ମହୋତ୍ସବର ସଂଗଠକ ସଦସ୍ୟ ଭାବେ କାର୍ଯ୍ୟକରୁଛନ୍ତି । ଏହା ସହିତ ଭୁମିଜା ନାଟ୍ୟ ଅନୁଷ୍ଠାନର ଯୁବ ନିର୍ଦ୍ଦେଶକ ଭାବେ ଅନେକ ସାମାଜିକ ଧର୍ମୀ ନାଟକର ନିର୍ଦ୍ଦେଶନା ଦେଉଛନ୍ତି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସବୁବେଳେ ସକ୍ରିୟ ରହି ବିଭିନ୍ନ ଗଠନ ମୂଳକ ମନ୍ତବ୍ୟ ଦେବାରେ ସୌମ୍ୟକାନ୍ତ ବେଶ୍ ଚର୍ଚ୍ଚିତ । ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହେବା ସହିତ ସମ୍ମାନିତ ହୋଇଛନ୍ତି । ଯୁବକ ମାନଙ୍କୁ ସଂଗଠିତ କରି ଏକ ନୂଆ ସମାଜ ଗଢ଼ିତୋଳିବାର ସ୍ୱପ୍ନ ଦେଖୁଥିବାର କହନ୍ତି ଅଭିନେତା ସୌମ୍ୟକାନ୍ତ । ତାଙ୍କ ଜୀବନ୍ତ ଅଭିନୟ ଭଳି ସମାଜ ପ୍ରତି ରହିଥିବା ତାଙ୍କ ଅଙ୍ଗୀକାରବନ୍ଧତା ସମସ୍ତଙ୍କୁ ପ୍ରେରଣା ଦେଉ, ଏହା ହିଁ କାମନା ।

somyakanta rajkanika 2

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: