ସ୍କୁଲ ଫି’ ଛାଡ଼କୁ ନେଇ ବୈଠକରେ ସହମତି

ଭୁବନେଶ୍ୱର : କରୋନାକୁ ନେଇ ରାଜ୍ୟରେ ସମସ୍ତ ବିଦ୍ୟାଳୟ ବନ୍ଦ ଥିବାବେଳେ ଅନ୍‌ଲାଇନ୍‌ ଯୋଗେ ଚାଲିଛି ପାଠପଢା। ତେବେ ସ୍କୁଲ୍‌ ଫି’ ହ୍ରାସକୁ ନେଇ ଅଭିଭାବକ ସଂଘ ଓ ବିଦ୍ୟାଳୟ ସଂଘ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବାବେଳେ ଗୁରୁବାର ଏନେଇ ଉଭୟପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି। ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟୁସନ୍‌ ଫି’ କମାଇବା ଲାଗି ସଫଳ ଆଲୋଚନା ହୋଇଥିବା ଜଣାପଡିଛି। ଘରୋଇ ବିଦ୍ୟାଳୟ ସଂଘ, ଅଭିଭାବକ ମହାସଂଘ, ସରକାର ଓ ଶିକ୍ଷକ ସଂଘ ମଧ୍ୟରେ ଏଭଳି ସହମତି ପ୍ରକାଶ ପାଇଥିବା କୁହାଯାଉଛି।ଏହି ବୈଠକରେ ମିଳିତ ବେସରକାରୀ ସ୍କୁଲ ଆସୋସିଏସନ୍‌ର ସଭାପତି ଡ.ବଦ୍ରିନାଥ ପଟ୍ଟନାୟକ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଶିକ୍ଷକ ସଂଘ ସଭାନେତ୍ରୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ କରୁଣାକର ପ୍ରଧାନ, ପ୍ରହଲ୍ଲାଦ ରାଉତ ପ୍ରମୁଖ ବୈଠକରେ ଭାଗ ନେଇଥିଲେ। ବୈଠକରେ ଫି ଛାଡ଼ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେତେ ପ୍ରତିଶତ ଫି ଛାଡ଼ କରାଯିବ ସେନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି। କୋର୍ଟରେ ମାମଲା ବିଚାରଧୀନ ଥିବାରୁ ଏନେଇ କେହି ମତପୋଷଣ କରିନାହାନ୍ତି।ଆସନ୍ତା ୧୪ ତାରିଖରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ହାଇକୋର୍ଟଙ୍କ ନିର୍ଦେଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଫି ଛାଡ଼ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: