ଭୁବନେଶ୍ୱର, ୨୨।୧ : ଆଜି କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ ଚଳିତ ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ଦୁଇ କ୍ରସ୍ ଓଭର ମ୍ୟାଚ୍। ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ସଫଳ ହୋଇ ଅଷ୍ଟ୍ରେଲିଆ, ବେଲ୍ଜିୟମ୍, ନେଦରଲାଣ୍ଡ୍ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରି ସାରିଥିବା ବେଳେ ୪ କ୍ରସ୍ ଓଭର ମ୍ୟାଚ୍ର ବିଜେତା କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିବେ। ୪ଟି ଗ୍ରୁପ୍ରେ ଶୀର୍ଷସ୍ଥାନରେ ରହି ଅଷ୍ଟ୍ରେଲିଆ, ବେଲ୍ଜିୟମ, ନେଦରଲାଣ୍ଡ୍ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।ରବିବାର ପ୍ରଥମ କ୍ରସ୍ ଓଭର ମ୍ୟାଚ୍ରେ ମାଲେସିଆ ଓ ସ୍ପେନ୍ ପରସ୍ପରକୁ ଭେଟିବେ। ସେହିପରି ସନ୍ଧ୍ୟା ୭ଟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରସ୍ ଓଭର ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ରେ ବିଜୟୀ ହୋଇପାରିଲେ ଭାରତ କ୍ୱାର୍ଟର ଫାଇନାଲ ଖେଳିବା ସୁଯୋଗ ସୃଷ୍ଟି କରିବ। ତେଣୁ ବିଶ୍ୱକପ୍ରେ ତିଷ୍ଠି ରହିବା ପାଇଁ ଭାରତ ଏହି ମ୍ୟାଚ୍ରେ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ ଯେ, ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ପ୍ରଥମ ମ୍ୟାଚ୍ରେ ସ୍ପେନ୍କୁ ୨-୦ରେ ହରାଇ ଥିବାବେଳେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଡ୍ର ରଖିଥିଲା। ତେବେ ଶେଷ ଲିଗ୍ ମ୍ୟାଚ୍ରେ ୱେଲ୍ସକୁ ୪-୨ରେ ହରାଇ ଦ୍ୱିତୀୟ ସ୍ଥାନ ପାଇବା ଯୋଗୁଁ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପାରିଲା ନାହିଁ। ବିଶେଷ କରି ଗୋଲ ସ୍କୋରିଂରେ ବିଫଳତା ଦଳକୁ ବ୍ୟାକ୍ଫୁଟ୍ରେ ରଖିଛି। ସ୍ପେନ୍ ବିପକ୍ଷରେ ୨-୦ ଗୋଲରେ ବିଜୟ ସହ ଭାରତ ଅଭିଯାନ ଆରମ୍ଭ କରିଥିଲା। ସେହିପରି ନ୍ୟୁଜିଲାଣ୍ଡ ଗ୍ରୁପ୍ ପର୍ଯ୍ୟାୟର ମୁକାବିଲାରେ ହଲାଣ୍ଡ ଓ ମାଲେସିଆ ଠାରୁ ହାରି ଥିବାବେଳେ ତୃତୀୟ ମ୍ୟାଚ୍ରେ ଚିଲିକୁ ୩-୧ରେ ପରାସ୍ତ କରିଥିଲା। ତଥାପି ଭାରତ ବିପକ୍ଷ କ୍ରସ୍ ଓଭର ମ୍ୟାଚ୍ ଜିତିବା ପାଇଁ ଦୃଢ଼ ବିଶ୍ୱାସ ରଖିଛି। ତେବେ ପୂର୍ବ ରେକର୍ଡ ଅନୁଧ୍ୟାନ କଲେ ଜଣାଯାଏ ଯେ, ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଭାରତର ରେକର୍ଡ ଭଲ ରହିଛି। ଉଭୟ ଦଳ ମଧ୍ୟରେ ପୂର୍ବରୁ ୪୪ଥର ଅନୁଷ୍ଠିତ ମ୍ୟାଚ୍ରୁ ଭାରତ ୨୪ ଓ ନ୍ୟୁଜିଲାଣ୍ଡ ୧୫ ମ୍ୟାଚ୍ରେ ବିଜୟୀ ହୋଇଥିବାବେଳେ ଅବଶିଷ୍ଟ ମ୍ୟାଚ୍ ଟାଏ ରହିଥିଲା। ବିଶ୍ୱକପ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଦୁଇ ମ୍ୟାଚ୍ରେ ପରାସ୍ତ କରିଥିଲା ଭାରତ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |