କେନ୍ଦ୍ରାପଡ଼ା, ୨୮/୧୧ : ହରିଦାସପୁର-ପାରାଦ୍ୱୀପ ରେଳପଥରେ କେନ୍ଦ୍ରାପଡ଼ା ଦେଇ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୁନର୍ବାର ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦେଶ ସ୍ଵାଧୀନ ହେବା ପରଠାରୁ ରେଳ ସଂଯୋଗୀକରଣ କ୍ଷେତ୍ରରେ କେନ୍ଦ୍ରାପଡ଼ା ଅବହେଳିତ ହୋଇ ରହିଛି। ୨୦୨୦ ସେପ୍ଟେମ୍ଵର ୨୩ ପରଠାରୁ ଏହି ରୁଟ୍ରେ ମାଲବାହୀ ଟ୍ରେନ୍ ଚାଲୁଛି। ନିୟମିତ ପ୍ରାୟ ୨୦ଟି ମାଲବାହୀ ଟ୍ରେନ୍ ଏହି ଟ୍ରାକ୍ରେ ଯାଉଛି ଏବଂ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ଵ ଯୋଗାଉଛି। ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ସମସ୍ତ ପରୀକ୍ଷା ସରିଛି। ପୂର୍ବତଟ ରେଳବାଇ ଦ୍ୱାରା HRPCL ନୋ ଅବଜେକ୍ସନ ସାର୍ଟିଫିକେଟ୍ ଦେଇ ସାରିଛି। କୋଚିଂ ଟ୍ରେନ୍ ଚଳାଚଳ ପାଇଁ ସିଆରଏସ୍ ଅନୁମତି ଦେଇସାରିଛି। ଏପରିକି ଏହି ରୁଟ୍ରେ ୯ଟି ଷ୍ଟେସନର ନିର୍ମାଣ କାମ ମଧ୍ୟ ଦୀର୍ଘ ଦିନରୁ ସରିଛି। ଏତଦ୍ ସତ୍ତ୍ଵେ ମଧ୍ୟ ଏହି ରୁଟ୍ରେ କାହିଁକି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଗଣେଶ୍ୱର ବେହେରା ପୁଣି ଲେଖିଛନ୍ତି ଯେ, ରେଲୱେ ଆମ ଦେଶର ଲାଇଫ୍ ଲାଇନ୍। ଏହି ରୁଟ୍ରେ ଯଦି ଟ୍ରେନ୍ ଚଳାଚଳ କରେ ତେବେ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟରେ ଉନ୍ନତି ଘଟିବ। ହେଲେ ଜିଲ୍ଲାରେ ଏହି ସେବା ଉପଲବ୍ଧ ନଥିବାରୁ କେନ୍ଦ୍ରାପଡ଼ା ପଛୁଆ ହୋଇ ରହିଛି। ଏନେଇ ପୂର୍ବରୁ ୨ ଥର ପତ୍ର ଲେଖି ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ନଭେମ୍ବର ୨୦୨୧ରେ କେନ୍ଦ୍ରାପଡା ଟାଉନ୍ ଏବଂ ବ୍ଲକ୍ କଂଗ୍ରେସ କମିଟି ଦ୍ୱାରା ହୋଇଥିବା ରେଳରୋକୋ ଆନ୍ଦୋଳନ ମଧ୍ୟ ଗୋପ ଷ୍ଟେସନରେ ବିଫଳ ହୋଇଛି। ତେଣୁ ଏଥିପ୍ରତି ତ୍ଵରିତ ଦୃଷ୍ଟି ଦିଆଯାଇ କେନ୍ଦ୍ରାପଡା ଦେଇ କଟକରୁ ପାରାଦୀପ ପର୍ଯ୍ୟନ୍ତ ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କଲେ ଅଞ୍ଚଳବାସୀ ଉପକୃତ ହେବେ। ସେହିପରି ଭଦ୍ରକରୁ ପାରାଦୀପ ପର୍ଯ୍ୟନ୍ତ ହରିଦାସପୁର ଏବଂ କେନ୍ଦ୍ରାପଡା ଦେଇ ଅନ୍ୟ ଏକ ଟ୍ରେନ୍ ଚଳାଚଳ କଲେ କୋଲକାତାରେ କାର୍ଯ୍ୟ କରୁଥିବା ଲୋକମାନେ ଉପକୃତ ହେବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |