ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଯୁଦ୍ଧଂ ଦେହି ଡାକରା

ସମ୍ବଲପୁର ୧୬/୧୧:  ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଚାଲିଛି ଆନ୍ଦୋଳନ । ୨ ତାରିଖରୁ ପ୍ରତେକ ବୁଧବାର ସରକାରୀ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତ ଗୁଡିକୁ ବନ୍ଦ କରାଯାଉଛି । ତେବେ ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ ସୁପ୍ରିମକୋର୍ଟ ତୁରନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବା ପାଇଁ ଆଇନଜୀବୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନହେଲେ ଲାଇସେନ୍ସ ବାତିଲ ହେବ ବୋଲି ମଧ୍ୟ କହିଥିଲେ । ହେଲେ  ସମ୍ବଲପୁର ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀକୁ ବେଖାତିର କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ଦାବି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଚେତାବନୀକୁ ନିନ୍ଦା  କରିବା ସହ ଲାଇସେନ୍ସ ବାତିଲ୍ ଚେତାବନୀକୁ ମଧ୍ୟ ଖାତିର କରିନାହାନ୍ତି ଓକିଲ । ଏପରିକି ଆନ୍ଦୋଳନ ତୀବ୍ର ସହ ପ୍ରତି ବୁଧବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି ।ସମ୍ବଲପୁର ଆଇନଜୀବୀ ସଂଘ ‘ଯୁଦ୍ଧଂ ଦେହି’ ଡାକରା ଦେଇଛି। ‘କୌଣସି ପରିସ୍ଥିତିରେ ଚାପ ଆଗରେ ମୁଣ୍ଡ ନୁଅଁାଇବୁ ନାହିଁ। କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିବ। ଏହାସତ୍ତ୍ବେ ଜଣଙ୍କୁ ନିଲମ୍ବନ କଲେ ୧୬୦୦ ଆଇନଜୀବୀ ଲାଇସେନ୍ସ ସମର୍ପଣ କରିବେ,’ ବୋଲି ସଂଘ ଚେତାବନୀ ଦେଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଖୀ କଣ୍ଢେଇ ସାଜି ବର୍ତ୍ତମାନର ଆଇନଜୀବୀ ପରିଷଦ ଓକିଲମାନଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି। ୧୬ ତାରିଖ ବୁଧବାରଠାରୁ ନିୟମିତ କାର୍ଯ୍ୟରେ ଯୋଗ ନଦେଲେ ସଂଘ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ପରିଷଦକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏଭଳି ଆଭିମୁଖ୍ୟ ରଖି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ନ୍ୟାଯ୍ୟ ଦାବି ହାସଲ ପାଇଁ ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ବୋଲି କହିଛି। ଏଥିସହ ପ୍ରତି ବୁଧବାର ଚାଲିଥିବା ଓକିଲମାନଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛି। ବୁଧବାର ସକାଳୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଓକିଲ ମାନେ ପିକେଟିଂ କରି ବନ୍ଦ୍ କରିଥିଲେ । ଏହାପରେ କୋର୍ଟକୁ ଆସୁଥିବା ସମସ୍ତ ବିଚାରପତିଙ୍କୁ ଅଦାଲତ ନଯିବା ପାଇଁ ଅନୁରୋଧ କରିଥିଲେ ଆନ୍ଦୋଳନରତ ଆଇନଜୀବୀ । ତଥାପି ବିଚାରପତି ମାନେ କିଛି ସମୟ ଅପେକ୍ଷା କରିଥିଲେ । ହେଲେ ଆନ୍ଦୋଳନରତ ଓକିଲ ମାନେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବିଚାରପତି ମାନଙ୍କୁ ଅଧାରସ୍ତାରୁ ଫେରାଇ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: