ହିଞ୍ଜିଳି ବିଜେପିରୁ ଆକାଶ ପଟ୍ଟନାୟକଙ୍କ ଇସ୍ତଫା

ଗଞ୍ଜାମ-୧୩/୦୯(ମନୋଜ କୁମାର ପାତ୍ର):ପୌର ନିର୍ବାଚନ ପାଖେଇ ଆସିବା ସହ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ଅସନ୍ତୁଷ୍ଟ ନେତା ମାନେ ଦଳ-ବଦଳ କରିବାକୁ ପାଗ ଭିଡ଼ିଲେଣି। ଏହି କ୍ରମରେ ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ନେତା ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଆକାଶ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସ୍ଵଭାବ ସୁଲଭ କଡା ଅନ୍ଦାଜ ଓ ସ୍ପଷ୍ଟ ଭାବରେ ବିରୋଧୀଙ୍କୁ ସମାଲୋଚନା କରୁଥିବା ଆକାଶ ସୋମବାର ପାର୍ଟିରୁ ଇସ୍ତଫା ଦେଇଥିବା ଜଣାପଡିଛି। ସେ ଦୀର୍ଘ ଦିନ ସଂଘ ସହିତ ସଂଶ୍ଳିଟ ରହି ନିରବିଛିନ୍ନ ଭାବେ ସଂଘ କାର୍ଯ୍ୟ କରିବା ପରେ ୨୦୧୩ରୁ ବିଜେପିରେ ସାମିଲ ହୋଇଥିଲେ। ବିଜେପିରେ ସାମିଲ ହେବା ପରେ ଦଳର ବିଭିନ୍ନ ଦାୟିତ୍ୱ ତୁଲାଇ ଆସିବା ସହ ସ୍ଥାନୀୟ ଅଞ୍ଚଳରେ ବିଜେପି ସଂଗଠନକୁ ସୁଦୃଢ଼ କରି ଦଳୀୟ ଶକ୍ତିବୃଦ୍ଧି ପାଇଁ ଉଦ୍ୟମ କରି ଆସୁଥିଲେ। ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଶାସକ ଦଳ ବିରୋଧରେ କଡା ଟିକା-ଟିପ୍ପଣୀ କରି ସବୁବେଳେ ଚର୍ଚ୍ଚାରେ ରହି ଆସୁଥିଲେ। ପୂର୍ବରୁ ସେ ଦୁଇଥର ନଗର ସାଧାରଣ ସମ୍ପାଦକ, ଉପ-ସଭାପତି, ସଦସ୍ୟତା ଅଭିଯାନ ସଂଯୋଜକ ଭାବରେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ। ତେବେ ନିକଟ ଅତୀତରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ କରି ଦେଶରେ ଶିକ୍ଷା ଓ ତତସମ୍ବନ୍ଧୀୟ ପରିବର୍ତ୍ତନ ବାବଦରେ ଅନେକ ଆଲୋଚନା ମଧ୍ୟ କରିଥିଲେ। ତେବେ ହଠାତ ଏହିଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ପଛର କାରଣ ଅନେକ ରହସ୍ୟ ସୃଷ୍ଟି କରିବା ସହ ଅନେକ ରାଜନୈତିକ ଆଲୋଚନା ଲାଗିରହିଛି । ଗୁରୁବାର ସେ ନିଜ ଇସ୍ତଫା ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ପ୍ରେରଣ କରିଥିବା ଜଣାପଡ଼ିଛି। ଏ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ରଙ୍କ ପ୍ରତିକ୍ରିୟା ଜାଣିବାକୁ ଯୋଗାଯୋଗ କରିବା ପରେ ସେ ଶ୍ରୀ ପଟ୍ଟନାୟକଙ୍କ ଇସ୍ତଫା ସମ୍ପର୍କରେ ଅବଗତ ନଥିବା ଦର୍ଶାଇ ଥିଲେ। ତେବେ “ଆକାଶ ପଟ୍ଟନାୟକଙ୍କ ଭଳି ଜଣେ ଦକ୍ଷ କର୍ମୀଙ୍କୁ ହରାଇବାର ଭୁଲ ସେ ବିଲକୁଲ କରିବେ ନାହିଁ। ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ତାଙ୍କ ଅସନ୍ତୋଷ ସମ୍ପର୍କରେ ସେ ବ୍ୟକ୍ତିଗତ ଭାବେ ଯାଇ ତାଙ୍କୁ ବୁଝାଇବେ” ବୋଲି ସେ ପ୍ରକାଶ କରିଥିଲେ। ହିଞ୍ଜିଳିର ପୂର୍ବତନ ନଗର ସଭାପତି ମାଧବ ଗୌଡ଼ ମଧ୍ଯ ଏ ଅପ୍ରତ୍ୟାଶିତ ନିଷ୍ପତ୍ତି ବାବଦରେ ନିଜେ ଅବାକ ବୋଲି କହିଥିଲେ। ତାଙ୍କୁ ବୁଝାଇ ସୁଝାଇ ଏ ଇସ୍ତଫା ଫେରାଇବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ। ତେବେ ବିଜେପିରୁ ଆକାଶଙ୍କ ଇସ୍ତଫା ଭବିଷ୍ୟତରେ ସ୍ଥାନୀୟ ରାଜନୀତିକୁ ପ୍ରଭାବିତ କରିବା ସହ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସ୍ଥାନୀୟ ଅଞ୍ଚଳର ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେବେ ସେ ବିଜେପି ଛାଡିବା ପରେ ଅନ୍ୟ କୌଣସି ଦଳକୁ ଯିବେ କିମ୍ବା ନିରପେକ୍ଷ ରହିବେ ସେନେଇ କୌଣସି କଥା ସ୍ପଷ୍ଟ ହୋଇପାରିନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: