କଟକ ,୧୮ା୩: ଓଡ଼ିଶା ପୋଲିସରେ କାର୍ଯ୍ୟରତ ହୋମ୍ଗାର୍ଡମାନଙ୍କୁ ସ୍ଥାୟୀ କନଷ୍ଟେବଲଙ୍କ ପରି ଦରମା ଓ ମହଙ୍ଗା ଭତ୍ତା ମିଳିବ। ସ୍ଥାୟୀ କନଷ୍ଟେବଲଙ୍କ ଦରମା ବଢ଼ିବା ଅନୁସାରେ ହୋମଗାର୍ଡଙ୍କ ଦରମା ବି ବଢ଼ିବ। ରାଜ୍ୟର ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୈନିକ ୫୩୩ ଟଙ୍କା ବେତନ ସପକ୍ଷରେ ହାଇକୋର୍ଟ ରାୟ ଦେଇଥିଲେ । ସେହି ରାୟକୁ ସୁପ୍ରିମକୋର୍ଟ କାଏମ୍ କରିଛନ୍ତି । ତା’ସହ ବର୍ଦ୍ଧିତ ବେତନ ପିଛିଲା ଭାବେ ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ରାଜ୍ୟ ସରକାର ଏହାକୁ ପିଛିଲା ଭାବେ ୨୦୧୮ ଜୁନ୍ରୁ ଲାଗୁ କରିବାକୁ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଏମ୍. ଆର୍.ଶାହ ଓ ବିଚାରପତି ଏମ୍. ଏମ୍. ସୁନ୍ଦ୍ରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି। ହୋମ୍ଗାର୍ଡଙ୍କୁ ସ୍ଥାୟୀ କନଷ୍ଟେବଲଙ୍କ ଭଳି ଦରମା ଓ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ୨୦୧୬ରେ ରାୟ ପ୍ରଦାନ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହାକୁ ପାଳନ କରିବା ପାଇଁ ୨୦୧୬ ସେପ୍ଟେମ୍ବର ୧୬ରେ ଚିଠି କରାଯାଇଥିଲା। ଅନ୍ୟ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବାବେଳେ ଓଡ଼ିଶାରେ କରାଗଲା ନାହିଁ। ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ପୁଣି ୨୦୧୬ ଅକ୍ଟୋବର ୫ରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସଚିବଙ୍କୁ ଚିଠି କରାଯାଇ ତୁରନ୍ତ ହୋମ୍ଗାର୍ଡଙ୍କ ଦରମା ବୃଦ୍ଧି ଓ ମହଙ୍ଗା ଭତ୍ତା ପ୍ରଦାନ ନେଇ ପଦକ୍ଷେପ ନେବାକୁ କୁହାଗଲା। ହେଲେ ଓଡ଼ିଶା ସରକାର ତାହା କଲେ ନାହିଁ। ଏହାକୁ ନେଇ ହୋମଗାର୍ଡମାନଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ୨୦୧୮ରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ୨୦୧୬ରୁ ହୋମ୍ଗାର୍ଡମାନଙ୍କୁ ବକେୟା ପ୍ରାପ୍ୟ ଦିନକୁ ୫୩୩ ଟଙ୍କା ଲେଖାଏ ଦରମା ହିସାବ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଜଣିକିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ ଡିଭିଜନ ବେଞ୍ଚରେ ଅପିଲ କରିଥିଲେ। ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ମାମଲାର ବିଚାର କରି ୨୦୧୬ ପରିବର୍ତ୍ତେ ୨୦୨୦ରୁ ବକେୟା ଦରମା ବର୍ଦ୍ଧିତ ଭାବେ ପ୍ରଦାନ କରିବାକୁ ରାୟ ପ୍ରଦାନ କରିଥିଲେ। ହାଇକୋର୍ଟ ଡିଭିଜନ ବେଞ୍ଚର ଏହି ରାୟରେ ହୋମ୍ଗାର୍ଡମାନେ ସନ୍ତୁଷ୍ଟ ନ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହୋମ୍ଗାର୍ଡମାନଙ୍କ ଆବେଦନର ବିଚାର କରି ଓଡ଼ିଶା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟ ଅନୁସାରେ ଦିନକୁ ୫୩୩ ଟଙ୍କା ଦରମା ଓ ମହଙ୍ଗା ଭତ୍ତା ହୋମ୍ଗାର୍ଡଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା ୨୦୧୮ ଜୁନ୍ରୁ ଲାଗୁ କରିବା ପାଇଁ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ ସ୍ଥାୟୀ କନଷ୍ଟେବଲଙ୍କ ପରି ସମୟାନୁସାରେ ବର୍ଦ୍ଧିତ ଦରମା ଓ ମହଙ୍ଗା ଭତ୍ତା ମଧ୍ୟ ହୋମଗାର୍ଡମାନଙ୍କୁ ପ୍ରଦାନ କରାଯିବ। ଆଗାମୀ ୩ ମାସ ମଧ୍ୟରେ ବକେୟା ରାଶି ପ୍ରଦାନ କରିବା ପାଇଁ ରାୟରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ଓଡ଼ିଶା ହ୍ୟୁମାନ ରାଇଟ୍ସ ମିଶନର ରାଜ୍ୟ ସଭାପତି ଦିଲୀପ ଧଳ ଓ ମହିଳା ସଭାପତି ଆରତୀ ମଙ୍ଗରାଜଙ୍କ ପକ୍ଷରୁ ଆଗତ ଏହି ମାମଲାକୁ ଆଇନଜୀବୀ ଶେଖର ଶ୍ରୀବାସ୍ତବ ଓ ପ୍ରେରଣା ସିଂହ ପରିଚାଳନା କରୁଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |