୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ୨୨/୯ : ଚଳିତ ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରାଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି  ବେଶରେ ଢାଲ, ଖଣ୍ଡା, ଧନୁ ଓ ତୀର ସଂଯୁକ୍ତ ପଟି, ହାଣ୍ଡିଆ, ବାଘ ଛାଲ, ୧୭ ହତିଆର (ବାଗା, ଧନୁତୀର, ଖଣ୍ଡା, ଭୁଜାଲି, ଫାର୍ସା, ତେଣ୍ଟା, ଭାଲ୍ଲା, ଛୁରୀ, କଟାରୀ ଆଦି), ରାମରଜ, ଓଳମାଳ, ଦୁଇ କାନ୍ଧରେ କଳିକି, ହରିଡ଼ା ମାଳି, ବାଘନଖ, ଚଅଁର, ଦାଢ଼ି, ନିଶ ଆଦି ଆଭୂଷଣ ଲାଗି ହୋଇଥାଏ । ଏହାବାଦ ମହାପ୍ରଭୁଙ୍କ ବେଶରେ ଆଉ କିଛି ସ୍ୱତନ୍ତ୍ର ଆକର୍ଷଣୀୟ ଆଭୂଷଣ ଲାଗେ ।  ୨୦୨୦ କାର୍ତ୍ତିକ ଦ୍ୱାଦଶୀ ମଳ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ । ପ୍ରଭୁଙ୍କ ଏହି ବିରଳ ବେଶକୁ କିନ୍ତୁ କୋଭିଡ୍‌କଟକଣା କାରଣରୁ ଭକ୍ତମାନେ ଦର୍ଶନ କରିବାରୁ ବଞ୍ଚିତ ହେବେ । କୋଭିଡ୍‌ ସଂକ୍ରମର ନିରାକରଣ ପାଇଁ ମାର୍ଚ୍ଚ ମାସରୁ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ମନା କଟକଣା ଜାରି ରହିଛି । ଏହା ପୂର୍ବରୁ ଲାଗ ଲାଗ ୧୯୯୩ ଏବଂ ୧୯୯୪ରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତ ।  ରେକର୍ଡ ଅଫ୍‌ ରାଇଟସ୍‌ରେ ବେଶ ଆଭୂଷଣ ପ୍ରସ୍ତୁତି ଅଧିକାର ପାଇଥିବା ସେବକଙ୍କୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସବୁଜ ସଙ୍କେତ ଦେଇଛି ।  ବଳରାମ ଖୁଣ୍ଟିଆଙ୍କୁ ସେବା ଅଧିକାର ମିଳିଛି । ସମ୍ପୃକ୍ତ ସେବକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ସୋମବାର କଥାବାର୍ତ୍ତା କରିଥିବା ଖବର ମିଳିଛି । ସୂଚନା ମୁତାବକ ଭକ୍ତଙ୍କୁ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶଦର୍ଶନ କରିବାର ସୁଯୋଗ ମିଳିବା ଆଶା କମ ରହିଛି । ଶ୍ରୀମନ୍ଦିରରେ ଏହି ବେଶ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଗତ ଜାନୁଆରୀ ୫ରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ଦେଇସାରିଛି । କମିଟି ନୀତି ପ୍ରଶାସନଙ୍କୁ ଏହି ବେଶର ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ଦାୟିତ୍ୱ ଦେଇଛି । ଏହି ବେଶ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଜାନୁଆରି ମାସରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ।  କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ବିନା ଭକ୍ତରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଶ୍ରୀମନ୍ଦିରରେ ହେବାର ପ୍ରାୟତଃ ନିଶ୍ଚିତ ହୋଇଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!