୨୬ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍‌

ଭୁବନେଶ୍ୱର,୨୧/୦୫: ୨୬ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍‌। କେତେ ଶକ୍ତିଶାଳୀ ରହିବ କି ରୂପ ନେବ, କିଭଳି ପ୍ରକୋପ ଦେଖାଇବ, ଜଣାନାହିଁ । ହେଲେ ବିଭିନ୍ନ ମଡେଲର ପ୍ରାକ୍‌ ଆକଳନ କରାଯାଇଛି। ଏନେଇ ଅନୁମାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏସଆରସି କହିଛନ୍ତି ଯେ,ଆସନ୍ତା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଆସନ୍ତା ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ପବନର ଝଟ୍‌କା ୬୦ କିମି ଛୁଇଁପାରେ । ୨୬ ତାରିଖବେଳକୁ ପବନ ଆହୁରି ଶକ୍ତିଶାଳୀ ହୋଇଯିବ । ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୨୬ ଅପରାହ୍ନରେ ଭଦ୍ରକ କିମ୍ବା ବାଲେଶ୍ୱର ଉପକୂଳ କିମ୍ବା ଏହାର ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳର ଦୀଘା ବା କଣ୍ଟାଇ ପାଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ।ସ୍ଥଳଭାଗ ଛୁଇଁବା ପରେ ଏହା ମୟୂରଭଞ୍ଜ, ଝାଡ଼ଖଣ୍ଡ ଦେଇ ବିହାର ଆଡ଼କୁ ଗତି କରିପାରେ । ଯାହା ଜଣାପଡ଼ୁଛି, ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । କଟକର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗାରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି । ୨୪ ତାରିଖ ରାତିରୁ ବାଲେଶ୍ୱର ଓ ଆଖାପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ । ୨୫ ଓ ୨୬ରେ ଉତ୍ତର ପୂର୍ବ ଓଡ଼ିଶାରେ ବର୍ଷା, ପବନ ଅଧିକ ରହିବ । ଏହି ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହେଲେ ଭୀଷଣ ବାତ୍ୟା (ଭେରି ସିଭିୟର) ରୂପ ନେଇପାରେ ।ଏହା ବାତ୍ୟା ଅବସ୍ଥାରେ ରହିଲେ ଘଣ୍ଟା ପ୍ରତି ୬୫ରୁ ୯୦ କିମି ଓ ଭୀଷଣ ବାତ୍ୟା ହେଲେ ୯୦ରୁ ୧୨୦ କିମି ବେଗରେ ପବନ ବହିବା ଆଶଙ୍କା ଅଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ବାତ୍ୟା ମୁକାବିଲା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଜପତି ଜିଲ୍ଲାର ଜିଲ୍ଲାପାଳ, ଏସପି, ଅଗ୍ନିଶମ ସେବା ବାହିନୀ ଅଧିକାରୀ, ଓଡ୍ରାଫ, ଏବଂ ଏନଡିଆରଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । କୋଭିଡ ସଙ୍କଟ ଥିବାରୁ ଅଧିକ ସଂଖ୍ୟାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀକୁ ଯେପରି ଠିକ୍‌ ବ୍ୟବସ୍ଥାରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ, ସେ ଦିଗରେ ଗୁରୁତ୍ୱ ଦିଆଯାଇଛି । ବୟସ୍କ, ଅସୁସ୍ଥ, ଶିଶୁ, ଗର୍ଭବତୀ, ଭିନ୍ନକ୍ଷମଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ଡାକ୍ତରଖାନାରେ ଜେନେରେଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚାଇବା ପାଇଁ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଯୋଗାଣ ସ୍ୱାଭାବିକ ରହିବାକୁ ଆବଶ୍ୟକ ମୁତାବକ ଜେନେରୋଟ ମହଜୁଦ ରଖିବାକୁ କୁହାଯାଇଛି । ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ତ୍ୱରିତ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ତେଣୁ କେହି ଆତଙ୍କିତ ନ ହେବା ପାଇଁ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: