ହରିୟାଣା ୦୫/୧୨: ଆମେରିକାରେ ପୁଅ ସହ ରହୁଥିବା ଜଣେ ବ୍ୟକ୍ତି ଭାରତରେ ଏକ ମିଠା ଦୋକାନରେ ୨୮ ଟଙ୍କା ଉଧାର କରିଥିବା କଥା ଭୁଲିନଥିଲେ । ୬୮ ବର୍ଷ ପରେ ୮୫ ବର୍ଷ ବୟସରେ ସେ ଆମେରିକାରୁ ଭାରତ ଫେରିଛନ୍ତି । ୨୮ ଟଙ୍କା ବଦଳରେ ଦୋକାନୀଙ୍କୁ ସେ ୧୦ ହଜାର ଟଙ୍କା ଦେଇଛନ୍ତି । ହରିୟାଣାର ହିସାର ଜିଲ୍ଲାରେ ଏହି ଘଟଣା ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି । ହରିୟାଣାରେ ପ୍ରଥମ ନୌସେନା ସାହସିକତା ପୁରସ୍କାର ଦ୍ୱାରା ସମ୍ମାନିତ ବିଏସ୍ ଉପ୍ପଲ ଅବସର ପରେ ପୁଅ ସହିତ ଆମେରିକାରେ ରହୁଛନ୍ତି । ନିକଟରେ ସେ ଭାରତ ଆସି ହିସାର୍ର ମୋତି ବଜାର ସ୍ଥିତ ଜଣେ ଦୋକାନୀଙ୍କ ନିକଟରେ ପହଞ୍ଚିଲେ ଏବଂ ଦୋକାନ ମାଲିକ ବିନୟ ବଂସଲଙ୍କୁ କହିଲେ ଯେ ଆପଣଙ୍କ ଜେଜେ ଶମ୍ଭୁ ଦୟାଲ ବଂସଲଙ୍କୁ ମୋର ୧୯୫୪ରେ ୨୮ ଟଙ୍କା ଦେବାର ଥିଲା । କିନ୍ତୁ ହଠାତ୍ ମୋତେ ସହର ବାହାରକୁ ଯିବାକୁ ପଡ଼ିଲା । ମୁଁ ନୌସେନାରେ ଭର୍ତ୍ତି ହୋଇଗଲି । ଆପଣଙ୍କ ଦୋକାନରେ ମୁଁ ଦହି ଲସ୍ସିରେ ପେଡ଼ା ପକାଇ ପିଉଥିଲି । ତା’ରି ୨୮ ଟଙ୍କା ବାକି ରହିଯାଇଥିଲା । ନୌବାହିନୀରେ କାମ କରିବା ହେତୁ ହିସାର ଆସିବାର ସୁଯୋଗ ମିଳିଲା ନାହିଁ । ଅବସର ପରେ ପୁଅ ପାଖକୁ ଆମେରିକା ଚାଲିଗଲି । ସେଠାରେ ଦୁଇଟି କଥା ମୋର ସର୍ବଦା ମନେପଡ଼େ । ଗୋଟିଏ ହେଉଛି ଆପଣଙ୍କ ଜେଜେଙ୍କ ନିକଟରେ ମୋର ବାକି ଥିବା ୨୮ ଟଙ୍କା ଏବଂ ଆଉ ଗୋଟିଏ ହେଉଛି ହରଜୀରାମ ହିନ୍ଦୁ ହାଇ ସ୍କୁଲରେ ୧୦ମ ପାସ୍ ପରେ ମୁଁ ସେଠାକୁ ଆଉ ଯାଇପାରି ନ ଥିଲି । ଆପଣଙ୍କ ୨୮ ଟଙ୍କାର ଉଧାର ଦେବାକୁ ଏବଂ ମୋ ସ୍କୁଲ ଦେଖିବାକୁ ମୁଁ ଖାସ୍କରି ଆମେରିକାରୁ ହିସାର ଆସିଛି ।’ ଉପ୍ପଲ ଏହା କହି ବିନୟ ବଂସଲଙ୍କ ହାତକୁ ୧୦ ହଜାର ଟଙ୍କା ଦେଲେ । ବିନୟ କିନ୍ତୁ ତାହା ନେବାକୁ ମନା କଲେ । ଏହା ପରେ ଉପ୍ପଲ ତାଙ୍କୁ ଅନୁରୋଧ କଲେ ଏବଂ ମୁଣ୍ଡରେ ଥିବା ଋଣ ବୋଝରୁ ମୁକ୍ତି ପାଇବା ପାଇଁ ଏହି ଅର୍ଥ ସ୍ୱୀକାର କରିବାକୁ ବିନୟଙ୍କୁ କହିଲେ । ଆମେରିକାରୁ କେବଳ ଏହି କାମ ପାଇଁ ସେ ଏଠାକୁ ଆସିଛନ୍ତି । ତେଣୁ ଅନୁରୋଧ ରକ୍ଷା କରିବାକୁ ସେ ବିନୟଙ୍କୁ କହିଲେ । ବହୁ କଷ୍ଟରେ ବିନୟ ଉକ୍ତ ଋଣ ରାଶି ସ୍ୱୀକାର କରିବା ପରେ ଉପ୍ପଲ ଖୁସି ହୋଇ ନିଜ ସ୍କୁଲକୁ ଗଲେ । କିନ୍ତୁ ବନ୍ଦ ସ୍କୁଲ ଦେଖି ନିରାଶ ହୋଇ ଫେରିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |