ଭୁବନେଶ୍ୱର,୨୭ା୩ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଜିଲାରେ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି। ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ ଜିଲ୍ଲାର ଦାୟିତ୍ବ ମିଳିଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଆଜି ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋକସରେ ଥିବା ଜିଲ୍ଲାଗୁଡ଼ିକରେ ପ୍ରଣବ ପ୍ରକାଶ ଦାସଙ୍କୁ ପର୍ଯ୍ୟବେକ୍ଷକ ଦିଆଯାଇଥିବା କୁହାଯାଉଛି।ଏହି ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି। ଅନେକ ବିଧାୟକଙ୍କୁ ବି ଦାୟିତ୍ୱ ମିଳିଛି। ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁରର ଦାୟିତ୍ୱ ଦିଆଯାଇଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଏବଂ ରାୟଗଡ଼ା ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର ଦାୟିତ୍ୱ ମିଳିଛି।ସେହିପରି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼ାଇକୁ ସୁନ୍ଦରଗଡ଼, ପ୍ରଦୀପ ଅମାତଙ୍କୁ ଗଞ୍ଜାମ ଓ ଅଶୋକ ପଣ୍ଡାଙ୍କୁ ଯାଜପୁର,ବଲାଙ୍ଗୀର ପାଇଁ ସୁଧୀର ସାମଲ, ଭଦ୍ରକ ପାଇଁ ପ୍ରତାପ ଜେନା, ଦେବଗଡ଼ ପାଇଁ ଅମରେଶ ଜେନା, ଜଗତସିଂହପୁର ପାଇଁ ଅରୁଣ କୁମାର ସାହୁ, କନ୍ଧମାଳ ପାଇଁ ବିଜୟ ନାୟକ, ଖୋର୍ଦ୍ଧା ପାଇଁ ରବୀନ୍ଦ୍ର କୁମାର ଜେନା, କୋରାପୁଟ-ମାଲକାନାଗିରି ପାଇଁ ଦିବ୍ୟଶଙ୍କର ମିଶ୍ର, ନବରଙ୍ଗପୁର ପାଇଁ ଈଶ୍ୱର ପାଣିଗ୍ରାହୀ ଏବଂ ନୟାଗଡ଼ ପାଇଁ ପଦ୍ମନାଭ ବେହେରାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି।ସେହିପରି କଳାହାଣ୍ଡି ପାଇଁ ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା, ପ୍ରଦୀପ୍ତ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା, ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବଲପୁର ଏବଂ ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |