ଖୋର୍ଦ୍ଧା,୧୬।୧୨: ଭିଜିଲାନ୍ସ ଜାଲରେ ତହସିଲଦାର । ୪୫ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲଦାର। ବେଗୁନିଆା ତହସିଲଦାର ତଥା ଭାରପ୍ରାପ୍ତ ବେଗୁନିଆ ଉପନିବନ୍ଧକ ପୃଥିବୀରାଜ ମଣ୍ଡଳ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୪୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି । ବେଗୁନିଆର ଏକ ଚାଷ ଜମିକୁ ଘରବାଡ଼ିରେ କିସମ ପରିବର୍ତ୍ତନ କରିବାକୁ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ଏନେଇ ତହସିଲଦାର ତଥା ଉପନିବନ୍ଧକ ଶ୍ରୀ ମଣ୍ଡଳ ତାଙ୍କୁ ୪୫ ହଜାର ଟଙ୍କା ଲାଂଚ ମାଗିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଜଣକ ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଗତକାଲି ୯/୨୦୨୨ରେ ଏକ ମାମଲା ରୁଜୁ କରି ରଙ୍ଗେହାତ ଧରିବା ପାଇଁ ଯୋଜନା କରିଥିଲା । ଆଜି ଅପରାହ୍ଣରେ ଭୁବନେଶ୍ୱର କଳିଙ୍ଗବିହାର ଠାରେ ଥିବା ଶ୍ରୀ ମଣ୍ଡଳଙ୍କ ବାସଭବନ ସମ୍ମୁଖରେ ଉକ୍ତ ବ୍ୟକ୍ତିଜଣକ ୪୫ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲେ । ରଙ୍ଗବୋଳା ନୋଟ୍ ଓ ହାତର ରସାୟନିକ ପରୀକ୍ଷା କରାଯାଇ ଲାଂଚ ନେବା ଟଙ୍କା ଜବତ କରାଯାଇଥିଲା । ଏହାପରେ ଭିଜିଲାନ୍ସର ୪ଜଣିଆ ଟିମ୍ ବେଗୁନିଆ ତହସିଲ ଓ ଉପନିବନ୍ଧକ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ତହସିଲଦାରଙ୍କୁ ଧରି ବେଗୁନିଆ ତହସିଲ କାର୍ଯ୍ୟାଳୟର ବିଭନ୍ନ କାଗଜପତ୍ର ଭିଜିଲାନ୍ସ ଟିମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରୁଥିବା ଜଣାପଡିଛି। କେସ ନମ୍ବର ୯/୨୨ରେ ମାମଲା ରୁଜୁ କରି ଭିଜିଲାନ୍ସ ଟିମ ଅଧିକ ଖୋଲତାଡ଼ କରୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |