୫ ଦିନରେ ବି ସଂସଦ ଚାଲିପାରିନାହିଁ ,ସୋମବାର ଯାଏଁ ଉଭୟ ସଦନ ମୁଲତବୀ

ନୂଆଦିଲ୍ଲୀ,୧୭।୩: ଶିଳ୍ପପତି ଗୌତମ ଅଦାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଜାରି ରହିଥିବା ହଟ୍ଟଗୋଳ ଯୋଗୁୁ ପଞ୍ଚମ ଦିନରେ ବି ସଂସଦ ଚାଲିପାରିନାହିଁ। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭା ସୋମବାର ଅର୍ଥାତ୍‌ ମାର୍ଚ୍ଚ ୨୦ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂସଦର ଉଭୟ ଗୃହରେ ଶୁକ୍ରବାର ମଧ୍ୟ ହୋ ହାଲ୍ଲା ଲାଗି ରହିଥିଲା। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଦାନୀ ଗ୍ରୁପ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି । ଲୋକସଭାରେ ଶାସକ ଦଳର ସଦସ୍ୟମାନେ ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ନେଇ କ୍ଷମା ମାଗିବାକୁ ଦାବି କରିଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ ଡିଏମ୍‌କେ ଓ ଅନ୍ୟାନ୍ୟ ବିରୋଧୀ ଦଳ ଗୁଡ଼ିକର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଆଦାନୀ ପ୍ରସଙ୍ଗ ଉଠାଇ ପ୍ରବଳ ହୋହାଲ୍ଲା କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ମିଳିତ ସଂସଦୀୟ କମିଟି ଗଠନ ପାଇଁ ଦାବି କରି ହୋ-ହଲ୍ଲା କରିଥିଲେ। ଫଳରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ ସୋମବାର ଯାଏଁ ଗୃହକୁ ମୁଳତବୀ ଘୋଷଣା କରିଥିଲେ । ସଂସଦ ସ୍ଥଗିତ ହେବା ପରେ କଂଗ୍ରେସ ଏମ୍‌ପିମାନେ ସଂସଦ ଭବନ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ମାର୍ଚ୍ଚ ୧୩ରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। କିନ୍ତୁ ଲଗାତର ହଟ୍ଟଗୋଳ ଯୋଗୁ ଗୃହର ପ୍ରକ୍ରିୟା ଗୋଟିଏ ଦିନ ବି ସୁରୁଖୁରରେ ଚାଲି ପାରି ନ ଥିବା ବେଳେ ଶେଷ ହୋଇପାରିନାହିଁ। ସଂସଦର ଏହି ପର୍ଯ୍ୟାୟରେ ୩୫ଟି ବିଲ୍‌ ବିଚାରାଧୀନ ରହିଛି। ସୂଚନା ମୁତାବକ, ମାର୍ଚ୍ଚ ୧୩ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଲୋକ ସଭାର ପ୍ରକ୍ରିୟା କେବଳ ୪୨ ମିନିଟ୍‌ ପର୍ଯ୍ୟନ୍ତ ହିଁ ଚାଲିଛି। ଲୋକ ସଭା ଟିଭିରୁ କରାଯାଇଥିବା ରିସର୍ଚ୍ଚର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧୩ରେ ୯ ମିନିଟ୍‌, ମାର୍ଚ୍ଚ ୧୪ରେ ୪ ମିନିଟ୍‌, ମାର୍ଚ୍ଚ ୧୫ରେ ୪ମିନିଟ୍‌, ମାର୍ଚ୍ଚ ୧୬ରେ ୩.୩୦ ମିନିଟ୍‌ ଏବଂ ମାର୍ଚ୍ଚ ୧୭ରେ ମାତ୍ର ୨୨ ମିନିଟ୍‌ ହିଁ ସଂସଦର ଗୃହ କାର୍ଯ୍ୟ କରାଯାଇଛି। ଏହି ସମୟରେ ଗୃହରେ କୌଣସି ବିଲ୍‌ ଆଲୋଚନା କରାଯାଇଛି ନା ପ୍ରଶ୍ନକାଳ ଏବଂ ଶୂନ୍ୟକାଳର କାର୍ଯ୍ୟ ହୋଇପାରିଛି। ଗତ ୫ ଦିନ ମଧ୍ୟରେ ରାଜ୍ୟ ସଭାର ପ୍ରକ୍ରିୟା ମାତ୍ର ୫୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଯଦି ଦୈନନ୍ଦିନ ହିସାବରେ ଗୃହର କାର୍ଯ୍ୟକୁ ଦେଖାଯାଏ, ତେବେ ହାରାହାରି ୧୧ ମିନିଟ୍‌। ମାର୍ଚ୍ଚ ୧୩ରେ ସଂସଦର ପ୍ରକ୍ରିୟା ସର୍ବାଧିକ ୨୧ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ତେବେ ୨୦୦୮ ପରଠାରୁ ଏହା ପ୍ରଥମ ଥର ଯେତେବେଳେ ଶାସକ ଦଳଙ୍କ ଆନ୍ଦୋଳନ ଯୋଗୁ ସଂସଦର ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡ଼ିଛି ବୋଲି ବିରୋଧୀ ଅଭିଯୋଗ ଆଣିଛି। କଂଗ୍ରେସ କହିଛି ଯେ, ମୋଦି ସରକାର ଗୃହକୁ କାର୍ଯ୍ୟ କରିବାକୁ ଅନୁମତି ଦେଉନାହାଁନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: