ଭଦ୍ରକ ୧୬।୩: ୱାରେଣ୍ଟ ଆସାମୀ କୋର୍ଟ ଚାଲାଣ ବେଳେ ତାଙ୍କ ସ୍ତ୍ରୀ ସହ କଥା ହେବାକୁ ପୋଲିସ କର୍ମଚାରୀଙ୍କୁ ମୋବାଇଲ ମାଗିଲେ । ମୋବାଇଲରେ ସ୍ତ୍ରୀ ସହ କଥା ହେବା ପରେ ଜେଲ୍ ଗଲେ ଆସାମୀ । କିନ୍ତୁ ପୋଲିସ କର୍ମଚାରୀ ନିଜ ମୋବାଇଲରେ ଥିବା ନମ୍ବରରେ ଆସାମୀଙ୍କ ସ୍ତ୍ରୀଙ୍କ ସହ କଥା ହେବାକୁ ଲାଗିଲେ । ଏମିତି କି ସୁଯୋଗ ଦେଖି ତାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଟଣାଓଟରା କଲେ । ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ପୋଲିସ କର୍ମଚାରୀଙ୍କୁ ଅଟକ ରଖି ପୋଲିସରେ ଜିମା ଦେଲେ । ଶେଷରେ ଲିଖିତ ଏତଲା ଆଧାରରେ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ ଯାହାକି ଏବେ ଜିଲ୍ଲା ରେ ଚର୍ଚ୍ଚା ପାଲଟିଛି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାର ଅଞ୍ଚଳର କ୍ଷୀରୋଦ ଜେନାଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ଥିଲା । ଏହି ବିବାଦ ପାଇଁ କୋର୍ଟରେ କେସ୍ ଚାଲିଥିଲା । କ୍ଷୀରୋଦଙ୍କ ନାଁରେ ୱାରେଣ୍ଟ ଆସିଥିଲା । ୱାରେଣ୍ଟ ବଳରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ କ୍ଷୀରୋଦକୁ ୧୩ ତାରିଖ ରାତିରେ ଗିରଫ କରିଥିଲା । ପରେ ୧୪ ତାରିଖ ଦିନ କୋର୍ଟ ଚାଲାଣ ବେଳେ କ୍ଷୀରୋଦଙ୍କୁ ନେଇଥିଲେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଏପିଆର ହାବିଲଦାର ହରମୋହନ ନାୟକ । ତେବେ କ୍ଷୀରୋଦ ତାଙ୍କ ସ୍ତ୍ରୀଙ୍କ ସହ କଥା ହେବା ପାଇଁ ହରମୋହନଙ୍କୁ ମୋବାଇଲ ମାଗିଥିଲେ । କଥା ମଧ୍ୟ ହୋଇଥିଲେ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଯାଇଥିବା ସୂଚନା ମିଳିଛି । କିନ୍ତୁ ସେ ଜେଲ୍ ଯିବା ପରେ ଏପିଆର ହାବିଲଦାର ହରମୋହନ ନାୟକ କ୍ଷୀରୋଦଙ୍କ ସ୍ତ୍ରୀଙ୍କୁ ବାରମ୍ବାର ଫୋନ୍ କରିଥିଲେ । ଏମିତି କି ୧୫ ତାରିଖ ଦିନ ମଧ୍ୟାହ୍ନରେ କ୍ଷୀରୋଦଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ଘରେ ଥିବାବେଳେ ତାଙ୍କ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିବା ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିଛନ୍ତି । ଶେଷରେ ଅସଦାଚରଣ ଉଦ୍ୟମ କରିବାରୁ ମହିଳା ଜଣଙ୍କ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଆସି ପୋଲିସ କର୍ମଚାରୀ ହରମୋହନଙ୍କୁ ଅଟକ ରଖିଥିଲେ । ଶେଷରେ ଭଣ୍ଡାରିପୋଖରୀ ପୋଲିସକୁ ହସ୍ତାନ୍ତର କରିଥିଲେ । ମହିଳାଙ୍କ ଲିଖିତ ଏତଲା ଆଧାରରେ ଏପିଆର ହାବିଲଦାରଙ୍କୁ ଅଟକ ରଖିଥିଲା ପୋଲିସ । ଆପୋଷ ସମାଧାନ ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଭଣ୍ଡାରିପୋଖରୀ ପୋଲିସ ଏପିଆର ହାବିଲଦାରଙ୍କୁ ଥାନାରେ ଅଟକ ରଖିଛି । ଏହି ଘଟଣାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଚାଲିଥିବା ବେଳେ ମୋବାଇଲର କଲ୍ ରେକର୍ଡିଂ ଓ ଏପିଆର ହାବିଲଦାରଙ୍କୁ ଗାଁରେ ଅଟକ ରଖିବା ବେଳର ଭିଜୁଆଲ ଏବେ ଭାଇରାଲ୍ ହେବାରେ ଲାଗିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |