ୱାସିଂଟନ୍ ,୨୩/୦୯ : ୩ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତ୍ୟୁଷରେ ୱାସିଂଟନ୍ ଡିସିରେ ପହଞ୍ଚିଛନ୍ତି। ଗୁରୁବାର ରାତି ୩.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଯାଇଥିବା ବିମାନ ୱାସିଂଟନ୍ସ୍ଥିତ ‘ଜଏଣ୍ଟ୍ ଆଣ୍ଡ୍ରିଉଜ୍ ଏୟାର୍ବେସ୍’ରେ ଅବରତଣ କରିଥିଲା।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନଙ୍କ ଓ ବିଶ୍ବସ୍ତରୀ ୫ଟି ବଡ଼ ବଡ଼ କମ୍ପାନୀର ସି.ଇ.ଓ.ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ତରଣଜିତ୍ ସିଂହ ସାନ୍ଧୁଙ୍କ ସମେତ ଦୂତାବାସ ପ୍ରତିରକ୍ଷା ଦାୟିତ୍ବରେ ଥିବା ବ୍ରିଗେଡିୟର୍ ଅନୁପ ସିଙ୍ଗଲ୍, ଏୟାର୍ କମୋଡୋର୍ ଅଞ୍ଜନ ଭଦ୍ରା ଏବଂ ନେଭାଲ୍ କମୋଡର୍ ନିର୍ଭୟ ବପନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଛୋଟି ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ୱାସିଂଟନ୍ରେ ପହଞ୍ଚିଲା ବେଳେ ପ୍ରବଳ ବର୍ଷା ହେଉଥିଲା। ବର୍ଷା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ଭାରତୀୟମାନେ ଭାରତର ଜାତୀୟ ପତାକା ହଲାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ ଜଣାଇଥିଲେ। ଜି ପ୍ରଧାନମନ୍ତ୍ରୀ ମୋଦୀ ‘କ୍ବାଲକମ୍’, ‘ଆଡୋବ୍’, ‘ଫାଷ୍ଟ୍ ସୋଲାର୍’, ଜେନେରାଲ୍ ଆଟମିକ୍ସ୍’ ଏବଂ ‘ବ୍ଲାକ୍ଷ୍ଟୋନ୍’ ଆଦି ୫ଟି ପ୍ରମୁଖ କମ୍ପାନିର ‘ସିଇଓ’ମାନଙ୍କ ସହ ବୈଠକ କରିବେ। ଏହାପରେ ସେ ୱିଲାର୍ଡ ହୋଟେଲ୍ରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କୁ ଭେଟିବେ।ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆନ୍ତରିକ ସ୍ବାଗତ ଜଣାଇଥିବା ଉଲ୍ଲେଖଯୋଗ୍ୟସଂଖ୍ୟକ ଭାରତୀୟ ବଂଶୋଦ୍ଭବମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |