16

କେନାଲରେ ଖସି ପଡ଼ିଲା ବସ୍‌, ଚାଲିଗଲା‌ ୪୮ଜଣଙ୍କ ଜୀବନ

ଭୋପାଳ, ୧୭/ ୦୨: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାସୀ ବସ୍‌ କେନାଲ ମଧ୍ୟକୁ ଖସି ପଡ଼ିବାରୁ ପ୍ରାୟ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ୭ଜଣ ଯାତ୍ରୀ ପହଁରି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ତେବେ ବସ୍‌ଟି ପାଣି ଭିତରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯିବାରୁ ଯାତ୍ରୀମାନେ ବାହାରିବା ସମ୍ଭବ ହୋଇପାରି ନଥିଲା। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ରେୱା ଡିଭିଜନାଲ କମିଶନର ରାଜକୁମାର ଜୈନଙ୍କ ସୂଚନା ଅନୁଯାୟୀ ରାମପୁର ନାଇକିନ୍‌ ଥାନା ଅନ୍ତର୍ଗତ ପାଟନା ଗ୍ରାମ ନିକଟରେ ସକାଳ ୮ଟା ୨୦ରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ସିଧିରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ରେୱା ଅଭିମୁଖେ ଯାଉଥିଲା। ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ବାଣସାଗର ଡ୍ୟାମ୍‌ର ଶାରଦା କେନାଲକୁ ଖସିପଡ଼ିଥିଲା। ସ୍ଥାନୀୟ ପୁଲିସ ଓ ଅଗ୍ନିଶମ କମର୍ଚାରୀମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ଯାଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା। ଡାଇଭରମାନେ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବସ୍‌ଟିକୁ ଠାବ କରିଥିଲେ ଏବଂ ପରେ ତାକୁ କ୍ରେନ୍‌ ସହାୟତାରେ କୂଳକୁ ଅଣାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରୁ ୪୮ଟି ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୨୫ ପୁରୁଷ, ୨୧ ମହିଳା ଓ ୨ ଜଣ ଶିଶୁ ଅଛନ୍ତି। ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାସ୍ଥଳକୁ କ୍ୟାବିନେଟ ମନ୍ତ୍ରୀ ତୁଲସୀ ସିଲାୱତ ଓ ରାମଖିଲୱନ ପଟେଲଙ୍କୁ ପଠାଇଛନ୍ତି । ଏଥିସହ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି । ଦୁର୍ଘଟଣାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଚୌହାନ ଆଜି ହେବାକୁ ଥିବା ଗୃହପ୍ରବେଶ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଭର୍ଚୁଆଲ ପ୍ଲାଟଫର୍ମରେ ସାମିଲ ହୋଇଥାନ୍ତେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ୧ ଲକ୍ଷରୁ ଅଧିକ ବାସଗୃହକୁ ଆନୁଷ୍ଠାନିକ ଭାବେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥାନ୍ତା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!