68

ଦେବାଦେବୀ ଫେରିଗଲେ ନିଜନିଜ ଆସ୍ଥାନକୁ

୨୭ ଫେବୃଆରୀ ଦିନ ପାଳିତ ହେଲା ବାସୀ ମଣ୍ଡେଇ। ଡାବୁଗାଁ ମଣ୍ଡେଇ ର ଗୋଟିଏ ଦିନ ପୂର୍ବରୁ ପାଳିତ ହୁଏ ବାବା ଭୈରବ ଙ୍କ ବଡଯାତ୍ରା ।ଏହା ପରେ ମଣ୍ଡେଇ ଏବଂ ପରଦିନ ପାଳନ କରାଯାଏ ବାସୀ ମଣ୍ଡେଇ। କିମ୍ବଦନ୍ତୀ ଅନୁସାରେ ଭୈରବ ଗଢ ର ବିଧ୍ବଂସ ପରେ ରାୟ ରତନପୁର ରାଜ ପରିବାରର ସଦସ୍ୟ ମାନେ ଉମୁରାହାଣ୍ଡି ଗ୍ରାମରେ ଆତ୍ମଗୋପନ କରିଥିଲେ। ଭୈରବ ଗଢ କୁ ପରବର୍ତ୍ତୀ ପର୍ଯ୍ୟାୟରେ ପୋଡାଗଢ କୁହାଗଲା। ପୋଡାଗଢ ରୁ ବାବା ଭୈରବ ନିଜ ପରିବାର ର ବ୍ୟକ୍ତି ମାନଙ୍କୁ ଖୋଜି ଖୋଜି ଡାବୁଗାଁ ଆସିଥିଲେ, କାରଣ ଭୈରବ ବାବା ରାଜ ପରିବାରର ଇଷ୍ଟଦେବତା ଥିଲେ। ଉମୁରାହାଣ୍ଡିରୁ ଅନେକ ଦିନ ପରେ ରାଜ ପରିବାରର ଡାବୁଗାଁ ଆସି ବସବାସ କରିବାରେ ଲାଗିଲେ ଏବଂ ଏକ ନୂତନ ଗ୍ରାମ ପ୍ରତିଷ୍ଠା କଲେ। ମାଁ ଦାବାଦେଈ ଦାବ ପାଳରେ ବଳି ଖାଇବା ଯୋଗୁଁ ମାଁ ଦାବାଦେଈ ଙ୍କ ନାମାନୁସାରେ ଗାଁ ର ନାଁ ଡାବୁଗାଁ ରଖାଗଲା। ଏଥି ପୂର୍ବରୁ ଜନ ବସତି କୁ ରାୟଗୁଡା କୁହାଯାଉଥିଲା ।

କିମ୍ବଦନ୍ତୀ ଅନୁସାରେ ରାଜପରିବାର ଯେଉଁ ମାନେ ବର୍ତମାନ ରାୟପାତ୍ର ପରିବାର ଭାବେ ପରିଚିତ, ତାଙ୍କ ଗାଈଗୋରୁ ଛେଳି ମେଣ୍ଢା ଇତ୍ୟାଦି କୁ ଅମନିତ ସଂପ୍ରଦାୟର ଜଣେ ବାଳକ ନିଜ ଗାଈଗୋରୁ ମାନଙ୍କ ସହ ଜଙ୍ଗଲକୁ ଚୋରାଇବା ପାଇଁ ନେଇ ଥିଲା। ତାର ସହିତ ଆଉ ଦୁଇ ଜଣ ବାଳକ ମଧ୍ୟ ଥିଲେ । ବର୍ତମାନ ଯେଉଁଠି ମାଁ ଦାବାଦେଈ ଙ୍କ ଆସ୍ଥାନ ଅଛି, ସେହି ସ୍ଥାନରେ ଏକ ଅଲୈ।କିକ ଜ୍ୟୋତି ଏକ ପଥର ତଳେ ଥିବା ଗର୍ତ୍ତ ରୁ ବାହାରିବା ସେମାନେ ଦେଖିଲେ। ଦୈବୀ ଶକ୍ତିଙ୍କୁ ଅନୁଭବ କରି ଅମନିତ ସଂପ୍ରଦାୟର ସେହି ବାଳକ କହିଲା “ଯଦି ସତରେ ଦେବୀ ଅଟନ୍ତି ତାହେଲେ କାଲି ଏକ ସମ୍ବର ଏହି ପଥରେ ଲାଗିଥିଲେ ମୁଁ ଦେବୀ ଙ୍କୁ କଳା ମେଣ୍ଢା ବଳି ଦେବି। ସମସ୍ତେ ଘରକୁ ଫେରି ଆସିଲେ। ପରଦିନ ସେମାନେ ଯାଇ ଦେଖିଲେ ସତକୁ ସତ ଏକ ସମ୍ବର ପଥର ରେ ଲାଗିଛି। ଅମନିତ ସଂପ୍ରଦାୟର ବାଳକ କହିଲା ମୁଁ କଳା ମେଣ୍ଢା ଭଳି ଅଭିନୟ କରିବି ,ତୁମେ ଦୁଇଜଣ ମୋତେ ଦାବ ପାଳରେ କାଟିବା ଅଭିନୟ କର। ଯେତେବେଳେ ତିନିଜଣ ଯୋଜନା ଅନୁସାରେ ଅଭିନୟ କଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା ସତକୁ ସତ ମୁଣ୍ଡ କୋଟି ପଥର ପାର୍ଶ୍ଵରେ ଥିବା ଗର୍ତ୍ତରେ ଯାଇ ପଡ଼ିଲା। ଏହା ଯେତେବେଳେ ରାୟଗୁଡା ର ଲୋକମାନେ ଜାଣିଲେ ମାଁ ଦାବାଦେଈ ଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ। କିନ୍ତୁ ନିଜ ପୁତ୍ର କୁ ହରାଇ ଥିବା ଅମନିତ ସଂପ୍ରଦାୟର ଲୋକମାନେ କ୍ରୋଧିତ ହୋଇ ସବୁଦିନ ପାଇଁ ଗାଁ ତ୍ୟାଗ ର ବଜ୍ର ଶପଥ ନେଇ ଗାଁ ତ୍ୟାଗ କଲେ ଏବଂ ଅନ୍ୟତ୍ର ଚାଲିଗଲେ।। ଶୁଣିବାକୁ ମିଳେ ସେହି ପରିବାରର ଲୋକେ ବର୍ତ୍ତମାନ ସୁଦ୍ଧା ଡାବୁଗାଁ ର ପାଣି ମଧ୍ୟ ପିଅନ୍ତି ନାହିଁ। ଦାବ ପାଳରେ ବଳି ଖାଇଥିବା ଯୋଗୁଁ ରାୟଗୁଡା ର ନାଁ ଦାବଗାଁଓ ଏବଂ ଧିରେ ଧିରେ ଦାବଗାଁ ହେଲା । ପରେପରେ ଦାବଗାଁ କୁ ଡାବୁଗାଁ ବୋଲି ଉଚ୍ଚାରଣ କରିବା କାରଣରୁ ଗାଁ ର ନାଁ ଡାବୁଗାଁ ହେଲା । ଭୈରବ ଦେବ ଏବଂ ଦାବାଦେଈ ଙ୍କ ଉଦେଶ୍ୟ ରେ ପ୍ରତିବର୍ଷ ମାଘ ମାସ ର କୌଣସି ଏକ ଗୁରୁବାର ଦିନ ମଣ୍ଡେଇ ପାଳନ କରାଯାଏ। ବାସୀ ମଣ୍ଡେଇ ଅର୍ଥାତ୍ ଶେଷ ଦିନରେ ବିଭିନ୍ନ ଅଞ୍ଚଳରୁ ମଣ୍ଡେଇ ଆସିଥିବା ଦେବାଦେବୀ ନିଜ ନିଜ ମନ୍ଦିରକୁ ଫେରି ଯାଆନ୍ତି। ପୂର୍ବରୁ ପୋଡାଗଢ ମଣ୍ଡେଇ ହେବା ପରେ ପୋଡାଗଢରୁ ବାବା ଭୈରବ ଙ୍କ ଘୋଡ଼ା ଆସିଲେ ମଣ୍ଡେଇ ପାଳନ ହେଉଥିଲା । ବର୍ତମାନ ଆଉ ସେହି ପରମ୍ପରା ନାହିଁ। ଏପରି ଅନେକ କିମ୍ବଦନ୍ତୀ, ଇତିହାସ ଏବଂ ପରମ୍ପରାକୁ ବଜାୟ ରଖି ଡାବୁଗାଁବାସୀ ପାଳନ କରନ୍ତି ମଣ୍ଡେଇ।

  ରିପୋର୍ଟ -ମିହିର ଶଙ୍କର ପାତ୍ର, ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!