133

ନିୟମରାଜା ଠାକୁରାଣୀଙ୍କ ଝାମୀ ଯାତ୍ରା

ମୁନିଗୁଡା,୩/୩(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ପାତ୍ରଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛେଲିଆନାଳର ନୁଆସାହି ଠାରେ ନିୟମରାଜା ଠାକୁରାଣୀଙ୍କ ଝାମୀ ଯାତ୍ରା ଓ ପୁଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମନ୍ଦିର ସମ୍ମୁଖରେ ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତି କରି ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିରର ମୁଖ୍ୟ ପୂଜକ ରତ୍ନା ପୂଜାରୀ ବେଜୁଣି ବେଶ ଧାରଣ କରି ନିୟମରାଜା ଠାକୁରାଣୀଙ୍କୁ ଶରଣ କରି ପାରମ୍ପରିକ ଖଣ୍ଡା ଧରି ଝାମୀ ଯାତ୍ରା ପାଇଁ ଅନୁଷ୍ଠିତ ହୋଇଥିବା ଅସ୍ଥାୟୀ ମଣ୍ଡପ,କଣ୍ଟା ଦୋଳିକୁ ଶୁଦ୍ଧି କରିବା ପରେ ପୂଜକ କଣ୍ଟା ଦୋଳିରେ ବସି ଝୁଲିବା ସହ ଭକ୍ତ ମାନଙ୍କ ଗୁହାରି ଓ ଦୁଃଖ ଶୁଣି ତାହାର ସମାଧାନର ପରାମର୍ଶ ଦେବାସହ ବିଭିନ୍ନ ପୂଜା କରିବାକୁ ଉପଦେଶ ଦେଇ ଆଶୀର୍ବାଦ କରିଥିଲେ l ପରେ ବିଭିନ୍ନ ସମ୍ପ୍ରଦାୟର ଭକ୍ତ ମାନେ ପାରା ଉଡାଇବା ସହ ନିଜ ନିଜର ମାନସିକ ଅନୁଯାୟୀ ଭୋଗ ଆକାରରେ କୁକୁଡ଼ା, ଛେଳି ଆଦି ଠାକୁରାଣୀଙ୍କୁ ସମର୍ପଣ କରିଥାନ୍ତି l ସମସ୍ତ ରୀତିନୀତି ପୂଜା ପରେ ପୂଜକ ବେଜୁଣି ବେଶ ଧାରଣ କରି ମନ୍ଦିରରେ ପୂଜା ପାଉଥିବା ପାରମ୍ପରିକ ଖଣ୍ଡା ଧରି ନିଆଁ ଲାଗିଥିବା ମଣ୍ଡପରେ ଚାଲିଥିଲେ l ପରେ ଲୋକ ମାନେ ମଧ୍ୟ ପୂଜକଙ୍କ ଆଦେଶ ପାଇ ସେହି ନିଆଁରେ ଦୌଡ଼ି ଥିଲେ l ଏହା ଦ୍ୱାରା ଲୋକଙ୍କ ବିଭିନ୍ନ ମାନସିକ ପୂରଣ ହେବାସହ ଲୋକେ କୌଣସି ରୋଗ ବିଧିରେ ପଡିବେ ନାହିଁ ଏବଂ ଗ୍ରାମରେ ଏକତା ବଜାୟ ରହିବା ସହ ଭଲ ଫସଲ ହୁଏ ବୋଲି ଲୋକଙ୍କ ଅବମାନନା କାଳରୁ ଏକ ବିଶ୍ୱାସ ରହିଆସିଛି l ଶେଷରେ ପାରମ୍ପରିକ ବାଦ୍ୟ ସହ ପୂଜକ ପୂଜା ପାଉଥିବା ଖଣ୍ଡା ଧରି ସାହି ଓ ଗ୍ରାମ ପରିକ୍ରମା କରି ଭକ୍ତ ମାନଙ୍କ ଘର ଘରକୁ ଯାଇ ପଣା ଭୋଗ ସେବନ କରି ଆଶୀର୍ବାଦ ଦେଇଥାନ୍ତି l ଏହି ଝାମୀ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ମାନେ ଆସିଥାନ୍ତି l ଉକ୍ତ ଝାମୀ ଯାତ୍ରାକୁ କମିଟିର ସଭାପତି ସୁବାସ କୁଲେସିକା,ଉପ ସଭାପତି ରବି କୁମୁରୁକା ସମ୍ପାଦକ ରବି ନୁନ୍ଦ୍ରୁକା,ସଦସ୍ୟ ପାଣିମାଝି କୁଲେସିକା, ମାନାମାଝୀ ନୁନ୍ଦ୍ରୁକା, ସିମାଞ୍ଚଳ କୁଲେସିକା,ରାଜେନ୍ଦ୍ର ମାଣ୍ଡିକା, ଚକ୍ର କୁଲେସିକା,ସିରା ମାଣ୍ଡିକା, ଲୋଇସଣ ସାରକା ପ୍ରମୁଖଙ୍କୁ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୁନିଗୁଡା ପୋଲିସ ତରଫରୁ ହୋମଗାର୍ଡ ପ୍ଲାଟୁନ କମାଣ୍ଡେଣ୍ଟ ସନ୍ତୋଷ କୁମାର ପାଢ଼ୀ,ପ୍ରଶାନ୍ତ କୁମାର ମହାନ୍ତି, ଘାସିରାମ ଟାକ୍ରି,ରାମଦାସ ଟାକ୍ରି ପ୍ରମୁଖ ମୁତୟନ ଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!