160

ଔଷଧୀୟ ଗଛକୁ ନେଇ ଗବେଷଣା, ଚିକିତ୍ସା ଆଉ ପରାମର୍ଶ, ଡ଼ାକ୍ତର ଚଣ୍ଡାଂଶୁଙ୍କ ଅଭିନବ ପ୍ରୟାସ

ରାଜକନିକା,୪/୩ : ଔଷଧୀୟ ଗଛ ଦେଖିଲେ ଅଟକି ଯାଆନ୍ତି ସେ । ଗଛର ଫଳ, ପତ୍ର ଆଉ ଚେରକୁ ସଂଗ୍ରହ କରନ୍ତି । ଆଉ ଗଛର ଫଟୋ ଉଠାଇ ପୁରାତନ ପୋଥିରୁ ଚିକିତ୍ସା ସଂପର୍କିତ ତଥ୍ୟ ହାସଲ କରି ଲୋକମାନଙ୍କୁ ଗଛ ସଂପର୍କରେ ପରାମର୍ଶ ଦିଅନ୍ତି । ଆମ ବାଡ଼ି ବଗିିଚାରେ ରହିଥିବା ବିଭିନ୍ନ ଔଷଧୀୟ ବୃକ୍ଷଲତାର ସଂପର୍କରେ ଗବେଷଣା କରି ଲୋକମାନଙ୍କୁ ଆୟୁର୍ବେଦ ଚିକିତ୍ସା କରନ୍ତି । ବହୁ ପୁରାତନ ବୃକ୍ଷଲତା ଔଷଧୀୟ ଗୁଣ ସଂପର୍କରେ ସାଧାରଣ ଲୋକମାନଙ୍କୁ ଚିହ୍ନାଇ ବିଭିନ୍ନ ରୋଗର ଉପଶମ ପାଇଁ ସଚେତନ କରାଉଛନ୍ତି । ଆୟୁର୍ବେଦକୁ ଲୋକାଭିମୂଖି କରିବାରେ ଔଷଧୀୟ ବଗିଚା ସୃଷ୍ଟି କରି ଅହରହ ଉଦ୍ୟମ କରିଚାଲିଛନ୍ତି ରାଜକନିକା ବ୍ଲକ୍ କାଳିକାପୁର ଗ୍ରାମର ଯୁବ ଡ଼ାକ୍ତର ଚଣ୍ଡାଂଶୁ ଭୂଷଣ ସୂତାର । ପେଶାରେ ଡ଼ାକ୍ତର, ହେଲେ ନିଶାରେ ଔଷଧୀୟ ଗଛକୁ ନେଇ ଗବେଷଣା । ପୁରାତନ ସମୟରୁ ଗାଁ ଗହଳିରେ ପ୍ରଚଳିତ ବୈଦ୍ୟ ମାନଙ୍କ ବାଡ଼ି ଗବିଚାରେ ରହିଥିବା ଗଛଲତାରେ ଅନେକ ରୋଗ ଉପଶମ ହେଉଥିଲା । ହେଲେ କାଳକ୍ରମେ ସେସବୁ ଆଜି ଲୋପ ପାଇଯାଇଛି । ହେଲେ ଏବେବି ଅନେକ ମୂଲ୍ୟବାନ ଗଛଲତା ଆମ ବାଡ଼ିଗବିଚାରେ ରହିଛି । ଆମେ ସେ ଗଛଲତା ସଂପର୍କରେ ଆମେ କିଛି ଜାଣିପାରୁ ନାହିଁ । କି ସେ ଗଛଲତା ଆମର କି ଉପକାରରେ ଲାଗିବ ସେ କଥା ମଧ୍ୟ ଆମକୁ ଜଣାନାହିଁ । ଅନେକ ରୋଗ ରହିଛି,ହେଲେ ସେସବୁର ଚିକିତ୍ସା ଗଛଲତାର ପତ୍ର, ଫଳ ଠାରୁ ଆରମ୍ଭ କରି ଚେରରେ ଉପଶମ ହୋଇପାରୁଛି । ହେଲେ ସେ ସଂପର୍କରେ ଆମ ପାଖରେ ଜ୍ଞାନ ନାହିଁ । ଏ ଦିଗରେ ଡ଼ାକ୍ତର ଚଣ୍ଡାଂଶୁ ଗାଁ ଗହଳିରେ ଗଛର ମହତ୍ୱ ସଂପର୍କରେ ସଚେତନତା ସୃଷ୍ଟି କରିଚାଲିଛନ୍ତି । ଗଛ ପତ୍ରରୁ ଔଷଧ ମଧ୍ୟ ପ୍ରସ୍ତୁତ କରି ଲୋକମାନଙ୍କୁ ଦେଉଛନ୍ତି । ଅନେକ ଲୋକ ବିଭିନ୍ନ ରୋଗରୁ ଉପଶମ ହୋଇପାରୁଛନ୍ତି । ରାତି ପାହିଲେ ଔଷଧୀୟ ଗଛର ଯତ୍ନନେବା ଠାରୁ ନୂତନ ଚାରା ରୋପଣ କରିବା, ପାଣିଦେବା, ଛୋଟରୁ ବଡ଼ କରିବାରେ ଅଧିକାଂଶ ସମୟ ତାଙ୍କର ବିତିଯାଉଛି । ଗଛ ଲଗାଇବା ଠାରୁ ଗଛର ଉପକାରିତା ସଂପର୍କରେ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି । ଚଳିତ କରୋନା ମହାମାରୀ ସମୟରେ ବିଭିନ୍ନ ଗଛଲତାରୁ ପାନୀୟ (କାଢ଼ା)ପ୍ରସ୍ତୁତ କରି ଲୋକମାନଙ୍କୁ ପ୍ରଦାନ କରିି ଚର୍ଚ୍ଚାରେ ରହିଥିଲେ । ଅନେକ ଲୋକ ଆସନ୍ନ ଥଣ୍ଡା ଜ୍ୱରରୁ ରକ୍ଷା ପାଇପାରିଥିଲେ । ଗଛ ଆମର ଦେବତା, ଗଛ ଆଉର ବହୁ ଉପକାର କରନ୍ତି । ଗଛକୁ ପୂଜା କଲେ ବହୁ ବିଘ୍ନ ଘଟିଥାଏ ବୋଲି କହନ୍ତି ଡ଼ାକ୍ତର ଚଣ୍ଡାଂଶୁ । ଆହୁରି ମଧ୍ୟ ଗଛ ମଣିଷ ସହିତ ବହୁ ପୁରାତନ ସମୟରୁ ସଂପର୍କ ରହିଆସିଛି । ପୂର୍ବଜମାନେ ଜଙ୍ଗଲରେ ଗଛଲତା ମାନଙ୍କ ସହିତ ଜୀବନ ଅତିବାହିତ କରୁଥିଲେ । ପରିବେଶ, ଫଳ, ଫୁଲ ଆଉ ଚେରରୁ ମଣିଷ ଶକ୍ତି ଆଉ ଅଧିକ ଦିନ ବଂଚିବାରେ ସମର୍ଥ ହୋଇପାରୁଥିଲେ । ହେଲେ ଏବେ ମଣିଷ ଗଛଲତାଙ୍କୁ ଚିହ୍ନିପାରୁ ନାହିଁ । ଗଛ ଭଳି ବନ୍ଧୁଙ୍କୁ ଆମେ ବିନାଶ କରିବାରେ ଲାଗିଛୁ । ଏହି କାରଣରୁ ଆମେ ବିଭିନ୍ନ ରୋଗକୁ ସାମ୍ନା କରୁଛୁ । ଜୀବନବି ହାରୁଛୁ । ଏଥିପାଇଁ ମଣିଷମାନେ ହିଁ ଦାୟୀ । କରୋନା ମହାମାରୀ ଭଳି ଅଜଣା ରୋଗରୁ ମୁକ୍ତି ପାଇଁ କେବଳ ଆୟୁର୍ବେଦୀୟ ଉପଚାର ବହୁପରିମାଣରେ ମଣିଷ ସମାଜକୁ ବିପଦରୁ ରକ୍ଷା କରିପାରିଛି । ଏଥିପାଇଁ ଆମ ପୃଥିବୀରେ ରହିଛି ଅନେକ ବୃକ୍ଷଲତା, ଯାହାର କଳନା କରିଦେବ ନାହିଁ । ଯାହା ମଣିଷ ସମାଜ ପାଇଁ ବରଦାନ । ରାମାୟଣରୁ ମଧ୍ୟ ଆମେ ଅନେକ କିଛି ଶିକ୍ଷା ଲାଭ କରିପାରିଛୁ । ମାତା ସୀତାଦେବୀଙ୍କର ଶୋକକୁ ନଷ୍ଟ କରିଥିଲା ବୃକ୍ଷ ‘ଅଶୋକ’ । ହେଲେ ମଣିଷ ଗଛଲତା ଠାରୁ ଦୂରେଇ ଯାଇଛି ବୋଲି ସେ କହନ୍ତି । ୩୯ବର୍ଷୀୟ ଡ଼ାକ୍ତର ଚଣ୍ଡାଂଶୁ ଆଳି ମହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଚିକିତ୍ସକ ହୋଇଥିଲେ ମଧ୍ୟ ଆୟୁର୍ବେଦ ପାଇଁ ଅବସର ସମୟକୁ ଅତିବାହିତ କରୁଛନ୍ତି । ବିଭିନ୍ନ ଗାଁଗଣ୍ଡା ବୁଲି ଗଛକୁ ଚିହ୍ନଟ କରୁଛନ୍ତି । ଗଛର ଔଷଧୀୟ ଗୁଣ ସଂପର୍କରେ ଲେଖାମାନ ବିଭିନ୍ନ ଜାତୀୟ ପତ୍ରପ୍ରତିକାରେ ପ୍ରକାଶ କରି ବେଶ୍ ପରିଚିତ ହୋଇପାରିଛନ୍ତି । ଏହି କାରଣରୁ ବିଭିନ୍ନ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରଶଂସା ସହିତ ସମ୍ମାନିତ କରାଯାଇଛି । ଏବେ ଭିତରକନିକାର ବୃକ୍ଷଲତା ସଂପର୍କରେ ଅଧିକ ଗବେଷଣା ଜାରି ରଖିଛନ୍ତି । ବହୁ ପୁରାତନ ଚିକିତ୍ସା ପଦ୍ଧତିରେ ବହୁ ଜଟିଳ ରୋଗର ଉପଶମ କରୁଛନ୍ତି । ସର୍ବଭାରତୀୟସ୍ତରରେ ଆୟୁର୍ବେଦର ଓଡ଼ିଆ ଚିକିତ୍ସକ ଭାବେ ଟେଲିମେଡ଼ିସିନ୍ ମାଧ୍ୟମରେ ଚିକିତ୍ସା ଜାରି ରଖିଛନ୍ତି । ‘ଆଶୁ ଆରୋଗ୍ୟମ୍ ଆୟୁର୍ବେଦ ଚିକିତ୍ସା ଓ ଗବେଷଣା କେନ୍ଦ୍ର’ ପ୍ରତିଷ୍ଠା କରି ଲୋକମାନଙ୍କ ସେବାରେ ଲାଗିପଡ଼ିଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!