80

ମହୁଲ ଫୁଲ ପାଲଟିଛି ରୋଜଗାର ର ଅନ୍ୟ ଏକ ମାଧ୍ୟମ

ମାଲକାନଗିରି ,୨୬/୦୪/୨୧(ଶ୍ରୀନିବାସ ପଣ୍ଡା/ଭିକି ବାରିକ ): ଶୀତ ଋତୁର ଅନ୍ତିମ ମୂହୁର୍ତ୍ତ। ଫାଲଗୁନ ମାସର ଆଦ୍ୟ ପ୍ରବେଶ ସମୟରେ ଧରାପୃଷ୍ଠକୁ ଆଗମନ କରନ୍ତି ଋତୁରାଜ ବସନ୍ତ। ବସନ୍ତର ମଳୟ ପବନ ସାଙ୍ଗକୁ ବଗିଚାରେ ସଦ୍ୟ ପ୍ରସ୍ଫୁଟିତ ବିଭିନ୍ନ ଫୁଲର ମହକରେ ପ୍ରକୃତିରାଣୀ ନାଲି, ନେଳି, ହଳଦିଆ ଓ ବିଭିନ୍ନ ଆକର୍ଷଣୀୟ ରଙ୍ଗରେ ସୁସଜ୍ଜିତ ହୋଇ ବେଶ ମନଲୋଭା ଦିଶୁଥାଏ। ଏହି ସମୟରେ ଜଙ୍ଗଲ ଓ ନିକଟସ୍ଥ ପ୍ରାନ୍ତରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ପୁଷ୍ପମାନ ପ୍ରସ୍ଫୁଟିତ ହୋଇ, ପରିବେଶ ଓ ପରିବେଷ୍ଟନୀକୁ ବହୁତ ଆକର୍ଷଣୀୟ କରିବା ସହିତ ବଉଳିଆ ଆମ୍ର କାନନରେ କୋକିଳ ଓ ହଳଦୀ ବସନ୍ତର ପଞ୍ଚମ ସ୍ଵରରେ ଆବୃତ୍ତି କରୁଥିବା ଗୀତର ଲହରୀ ପ୍ରକୃତିରେ ଏକ ମନଲୋଭା ମାହୋଲ ସୃଷ୍ଟି କରିଥାଏ । ଏହି ସମୟରେ ଶୁଷ୍କ ତୃଣଭୂମି ଓ ଜଙ୍ଗଲରେ ଥିବା ମହୁଲ ବୃକ୍ଷ ଗୁଡିକରେ ପେନ୍ଥା ପେନ୍ଥା ମହୁଲ ଫୁଲ ଓ ତାହାର ସୁବାଷିତ ମହକ ପ୍ରକୃତିର ସୌନ୍ଦର୍ଯ୍ୟକୁ ଶତ ଗୁଣିତ ମନୋରମ ଓ ମହକିତ କରିଥାଏ।
ଆଜି ଆମେ କହୁଛେ ସେହି ମାଲକାନଗିରି ଜ଼ିଲ୍ଲାର ଆଦିବାସୀ ଅଧୁସିତ ଅଞ୍ଚଳରେ ବଞ୍ଚିବାର ଅନ୍ୟ ଏକ ମାଧ୍ୟମ ପାଲଟି ଥିବା ମହୁଲ ଫୁଲର କଥା। ଏଠାରେ ଲୋକେ ମହୁଲ ଫୁଲ ସଂଗ୍ରହ କରି ପରିବାର ପ୍ରତି ପୋଷଣ ପାଇଁ, ବେଶ ଦୁଇ ପଇସା ପାଇଥାନ୍ତି ଏହି ସମୟରେ। ମାଲ୍ୟବନ୍ତଗିରି ନାମରେ ପରିଚିତ ମାଲକାନଗିରି ଜିଲ୍ଲାର ଆଦିବାସୀ ମାନେ ମହୁଲ ଫୁଲ ସଂଗ୍ରହ କରି ତାକୁ ଶୁଖାଇ ବହୁ ପରିଶ୍ରମ କଲାପରେ ବି ସ୍ୱଳ୍ପ ମୂଲ୍ୟରେ ବିକ୍ରୀ କରି ଗୁଜୁରାଣ ମେଣ୍ଟେଇ ନିଅନ୍ତି କର୍ମକୁ ଆଦରି ଆଦିବାସୀ ମାନେ।ପରିଶ୍ରମର ଉଚିତ ମୂଲ୍ୟ ନପାଇ ମଧ୍ୟ ସେମାନେ ବେଶ ଖୁସି ଧରଣୀ ମାଁର ଏହି ବାରଦାନକୁ। ଭୋର ସକାଳୁ ନିଜ ପରିବାର ସହ ଜଙ୍ଗଲ ଜନ୍ତୁର ଭୟକୁ ଆଡେଇ ଦେଇ,ମାଣ୍ଡିଆ ଜାଉ କୁ ଵୋତୋଲରେ ଭରି ଜଙ୍ଗଲର ମହୁଲ ଗଛ ତଳେ ପଡିଥିବା ମହୁଲ ଫୁଲକୁ ସଂଗ୍ରହରେ ଲାଗିପଡନ୍ତି। କେତେବେଳେ ଦୁଇ ପଇସା ରୋଜଗାର କରି ଲୁଗାପଟା କିଣିବା ପାଇଁ ତ କେତେବେଳେ ବର୍ଷ ଯାକର ଖାଇବା ଲୁଣ ପାଇଁ। ସେଥିପାଇଁ ମହୁଲ ବଦଳରେ ଲୁଣ ନିଅନ୍ତି। ହେଲେ ପ୍ରାୟ ସମୟରେ ଠକେଇରେ ପଢିଯାଇଥାନ୍ତି ଏଇ ନିରୀହ ଆଦିବାସୀ ମାନେ। ବ୍ୟବସାୟୀ ଓ ସାହୁକାର ମାନଙ୍କ ହାତରେ ପଡି କମ ମୂଲ୍ୟରେ ବିକ୍ରି କରିଦେବାକୁ ବାଧ୍ୟ ହୋଇଥାନ୍ତି ।
ଆଦିବାସୀ ଭାଇ ମାନଙ୍କ ସରଳତାର ଭରପୁର ଲାଭ ଉଠାନ୍ତି ବ୍ୟବସାୟୀ ଏବଂ ମଦ ଭାଟି ମାଲିକ ମାନେ । ସରକାରୀ ବ୍ୟବସ୍ଥା ରେ ପ୍ରତ୍ୟକ ପଂଚାୟତ ଗୁଡିକରେ ମହୁଲ ଫୁଲର ମୂଲ୍ୟ ଧାର୍ଯ୍ୟ ହୋଇ ଚିଠା ପହଂଚିବାକୁ ଦୁଇରୁ ତିନି ମାସ ସମୟ ଲାଗେ। ହେଲେ ଦୁଇ ତିନି ମାସ ସମୟ ଯାଏ ଗଛିତ କରି ମହୁଲ ଫୁଲ ବିକିବାକୁ ଆଦିବାସୀଙ୍କ ପାଖରେ ନା ସମ୍ବଳ ଅଛି ନା ସ୍ଥାନ । ଭୋକିଲା ପେଟ ପାଇଁ ଅନ୍ୟାନ୍ୟ ମାଧ୍ୟମ ନ ଥାଇ ସେମାନେ ବାଧ୍ୟ ହୋଇ ,ସଂଗୃହିତ ମହୁଲ ଗୁଡିକ ଟେକି ଦିଅନ୍ତି ମହାଜନୀ ବା ବ୍ୟବସାୟୀ ମାନଙ୍କ ହାତକୁ । ମହୁଲ ଫୁଲ ଓ ଆଦିବାସୀ ର ସଂପର୍କ ବହୁ ପୁରାତନ । ପ୍ରକୃତି ମାଆଠୁ ପାଉଥିବା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜେ ପାରିଶ୍ରମିକ ନ ପାଇ ମଧ୍ୟ ଅନ୍ୟ ମାନକୁ ବେଶ ରୋଜଗାରୀ କରି ମାଲାମାଲ କରିଥାନ୍ତି ଏହି ଆଦିବାସୀ ଭାଇ ମାନେ। ସରକାରୀ କଳ ଯଦି ଏ ମାନଙ୍କ ପାଇଁ ଧ୍ୟାନ ଦେଇ ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକର ଉପଯୁକ୍ତ ମୂଲ୍ୟ ନିର୍ଧାରଣ କରି ସରକାରୀ ନିୟନ୍ତ୍ରଣ ରେ ବିକ୍ରିର ବ୍ୟବସ୍ଥା କରନ୍ତେ,ତେବେ ଆଦିବାସୀ ଭାଇ ମାନେ ଆହୁରି ଅଧିକ ଦୁଇ ପଇସା ପାଇପାରନ୍ତେ। ତେବେ ପ୍ରଶାସନିକ ଅଧିକାରୀ ମାନଙ୍କ ଇଛା ଶକ୍ତି କେବେ ଆଦିବାସୀ ଙ୍କ ପାଇଁ ଉଜାଗର ହେବ। ସମୟ ହିଁ କହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!