64

ପ୍ରାଚୀନ ସ୍ମୃତି ବହନ କରେ ଗୁରୁଜଙ୍ଗର ପ୍ରସିଦ୍ଧ ଧବଳେଶ୍ୱର ପୀଠ

ଖୋର୍ଦ୍ଧା ୧୮/୦୫ : ଖୋର୍ଦ୍ଧା ସହରର ଗୁରୁଜଙ୍ଗ ଠାରେ ରହିଛି ବହୁ ପୁରାତନ ଧବଳେଶ୍ୱରଙ୍କ ପୀଠ । ସହର ସମେତ ଆଖପାଖ ଅଂଚଳର ହଜାର ହଜାର ଲୋକଙ୍କର ଧବଳେଶ୍ୱର ଐତିହ୍ୟ ଦେବତା ଭାବେ ପୂଜାପାଇ ଆସୁଛନ୍ତି । ୧୩୪୪ ମସିହାରେ ଏହା ପ୍ରତିଷ୍ଠା ହୋଇଥିବାର ଏହା ମଧ୍ୟରେ ଥିବା ଏକ ଶୀଳାଲେଖାରୁ ଜଣାପଡେ । ବହୁ ପୁରାତନ ଏହି ମନ୍ଦିର ଏବେ ସମସ୍ୟା ଘେରରେ ରହିଛି । ଆର୍ଥିକ ଅଭାବ ମନ୍ଦିର ପରିଚାଳନା କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ବଡଓଷା ଯାତ୍ରା ଏହାର ମୁଖ୍ୟ ପର୍ବ ଅଟେ । ତେବେ ବଡଓଷାରେ ଧବଳେଶ୍ୱରଙ୍କ ଉବୁକା ଦର୍ଶନର ଭିନ୍ନ ମାହାତ୍ମ୍ୟ ଓ ପରମ୍ପରା ରହି ଆସିଛି । ଶିବ ମନ୍ଦିର ଗୁଡିକରେ ସାଧାରଣତଃ ଲିଙ୍ଗ ପୂଜା ପାଉଥିବା ବେଳେ ଏଠି ଶକ୍ତି ପୂଜା ପାଉଛନ୍ତି । ଭକ୍ତ ଧ୍ୟାନର ସହ ଠାକୁରଙ୍କୁ ଦର୍ଶନ କରୁଥିବା ବେଳେ ହଠାତ୍ ଉବୁକା ବାହାରେ । ଏହି ଉବୁକା ଦର୍ଶନ ମିଳିଲେ ମାନସିକ ପୂରଣ ସହ ମନରେ ଶାନ୍ତି ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।
ସମସ୍ୟା
ଧବଳେଶ୍ୱର ମହାଦେବ ମନ୍ଦିର ଦେବୋତ୍ତର ଅଧିନରେ ରହିଛି । ହେଲେ ଦେବୋତ୍ତର ବିଭାଗ ତରଫରୁ ଏହି ମନ୍ଦିର ରକ୍ଷଣାବେକ୍ଷଣା ଲାଗି ଟଙ୍କାଟିଏ ସହାୟତା ମିଳୁନଥିବାର ଜଣାପଡ଼ିଛି । ମନ୍ଦିର ପରିଚାଳନା ଲାଗି କାର୍ଯ୍ୟ କରୁଛି ଧବଳେଶ୍ୱର ଦେବ ମ୍ୟାନେଜିଂ କମିଟି । ଏହାର ରକ୍ଷଣା ବେକ୍ଷଣା ଲାଗି କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଠାକୁରଙ୍କ ନାମରେ ୪୭୦ ଏକର ଜମି ରହିଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ଜମି ଜବରଦଖଲ ହୋଇ ରହିଛି । ଫଳରେ ଠାକୁରଙ୍କ ଆୟ ଶୂନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ଭକ୍ତଙ୍କ ଦାନ ଦକ୍ଷିଣା ଠାକୁରଙ୍କ ନୀତିକାନ୍ତି ହେଉଛି । ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଉଦ୍ୟମକ୍ରମେ ବିଡିଏ ପକ୍ଷରୁ ଗତ ୪ବର୍ଷ ତଳେ ମନ୍ଦିରର ପୋଖରଟିକୁ ପୁର୍ନରୁଦ୍ଧାର କରାଯାଇଥିବା ବେଳେ ମନ୍ଦିରରେ କିଛି ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ମାତ୍ର ଆର୍ଥିକ ଅଭାବ ମନ୍ଦିର ପରିଚାଳନାରେ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଛି ।
ଠାକୁରଙ୍କ ପର୍ବ
ବଡ ଓଷା ହେଉଛି ଠାକୁରଙ୍କ ମୁଖ୍ୟ ପର୍ବ । ଏହି ଦିନ ଜିଲ୍ଲାର ବିଭିନ୍ନ ଅଂଚଳରୁ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ । ମାନସିକଧାରୀ ଭକ୍ତମାନେ ବଡଓଷାରେ ଠାକୁରଙ୍କ ନିକଟରେ ଚୁଡାଘଷା ଭୋଗ କରିଥାନ୍ତି । ସନ୍ଧ୍ୟାରେ ଚାଉଳ ଚୁନା, ଗୁଡ, ଆଖୁ, ପାଚିଲା କଦଳୀ, ଡାଳିମ୍ବ ଆଦି ମିଶାଇ ଅଟକାଳୀ ପ୍ରସ୍ତୁତ କରାଯିବ ସହ ଠାକୁରଙ୍କୁ ଭୋଗ କରାଯାଇଥାଏ । ବଡଓଷା ଯାତ୍ରାରେ ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ ବେପାରୀ ଏଠାରେ ସେମାନଙ୍କ ପସରା ମେଲାଇ ଥାନ୍ତି । ଏହି ଯାତ୍ରା ୪ଦିନ ଧରି ଚାଲିଥାଏ । ସହରବାସୀଙ୍କ ପାଇଁ ଏହା ମୁଖ୍ୟ ଯାତ୍ରା ଅଟେ ।
କିମ୍ବଦନ୍ତୀ କୁହେ
ପ୍ରାଚୀନ ସ୍ମୃତି ବହନ କରୁଥିବା ଏହି ଶୈବ ପୀଠର ବିଶେଷତ୍ୱ ମଧ୍ୟ ଅନ୍ୟନ୍ୟ । ଲୋକ କଥା ଅନୁଯାୟୀ ଖୋର୍ଦ୍ଧାର ତତ୍‌କାଳୀନ ରାଜା ଦୈନିକ ଘୋଡାରେ କଟକ ଗଡଗଡିଆ ମହାଦେବଙ୍କୁ ଦର୍ଶନ କରିବାକୁ ଯାଉଥିଲେ । ଥରେ ୭ଦିନ ଧରି ବର୍ଷା ଲାଗି ରହିବାରୁ ରାଜା ଠାକୁରଙ୍କ ଦର୍ଶନ କରିପାରିଲେ ନାହିଁ । ବ୍ୟତିବ୍ୟସ୍ତ ହୋଇ ଉଠିଲେ ରାଜା । ଠାକୁର ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ ଯେ ଗୁରୁଜଙ୍ଗର ପୂର୍ବ କୋଣରେ ଏକ ପାଇକରାବଣ ରହିଛି । ସେହିଠାରେ ମୋର ଦର୍ଶନ ପାଇବୁ । ରାଜା ସେଠାରେ ପହଚିଂ ଦେଖିଲେ ବଣ ମଧ୍ୟରେ ଏକ କଳା ଗାଈ ଠିଆ ହୋଇଛି । ଗାଈ ଚିରରୁ ଆପେ ଆପେ କ୍ଷୀର ଝରୁଛି । ସ୍ୱପ୍ନ ମୁତାବକ ରାଜ ସେଠାରେ ଠାକୁରଙ୍କ ଦର୍ଶନ ପାଇଁ ଆତ୍ମ ବିଭୋର ହୋଇପଡିଲେ । ପରବର୍ତୀ ସମୟରେ ରାଜା ଏଠାରେ ମନ୍ଦିର ପ୍ରତିଷ୍ଠା କରିଥିଲେ ।
ଲୋକ କଥା
ମନ୍ଦିର ପ୍ରତିଷ୍ଠାକୁ ନେଇ ବିଭିନ୍ନ ଲୋକ କଥା ରହିଛି । ସେହିଭଳି ବଡଓଷା ଯାତ୍ରା କେବେ ଠାରୁ ଆରମ୍ଭ ହୋଇଛି ତାହା ମଧ୍ୟ କେହି କହିପାରନ୍ତି ନାହିଁ । ଠାକୁରଙ୍କ ମହିମା ସମ୍ପର୍କରେ ଜାଣିବାକୁ ପାଇ ତତ୍‌କାଳୀନ ପୁରୀ ରାଜା ଏଠାକୁ ତାଙ୍କ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ପାଇ ରାଜା ଭାବବିହ୍ୱଳ ହୋଇପଡିଥିଲେ । ଠାକୁରଙ୍କ ନୀତିକାନ୍ତି ପାଇଁ ରାଜା ବିପୁଳ ପରିମାଣରେ ଜମି ମନ୍ଦିରକୁ ଯୋଗାଇ ଦେଇଥିଲେ । କେବଳ ମନ୍ଦିର ପରିସରରେ ଥିବା ଶୀଳା ଲେଖରେ ୧୩୪୪ ମସିହା ଲେଖାଯାଇଥିବାରୁ ଏହି ମନ୍ଦିର ସେହି ସମୟରେ ହିଁ ପ୍ରତିଷ୍ଠା ହୋଇଥିବା କଥା ଏଠାରେ କାର୍ଯ୍ୟରତ ସେବକମାନେ କୁହନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!