100

ନିଷ୍ପ୍ରାଣ ପଥରରେ ଜୀବନ୍ତ ରୂପ ଦେଉଥିବା ନୀରବ ସାଧକ  ଆଜି ନିଃସହାୟ

କରୋନା ଦାଉ, ମିଳୁନି ମୁଗୁନି ପଥର

ଖୋର୍ଦ୍ଧା ୧୦/୦୬ : ଗୋଟିଏ ପକ୍ଷ କରୋନାର ଭୟ ଅନ୍ୟ ପଟେ ଅର୍ଥର ଅଭାବ ଯୋଗୁଁ ଏମାନଙ୍କ ଜୀବନ ଜୀବିକା ଦୋହଲାଇ ଦେଇଛି । ଓଳିଏ ଖାଇଲେ ଆର ଓଳି ଉପାସ । ଭୋକର ଜ୍ୱଳା ଭିତରେ ଅଦୃଶ୍ୟ ଭୂତାଣୁର ଭୟ ଏମାନଙ୍କୁ ନିଃସହାୟ କରି ଦେଇଛି । ତଥାପି ଏମାନେ ନିଜର ପେଷାକୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ମୁଗୁର ଓ ନିହଣ ସ୍ପର୍ଶରେ ଧଳା ମୁଗୁନି, କଳାମୁଗୁନି, କୁଣ୍ଡା ଓ ସାହଣ ଆଦି ନିସ୍ପାଣ ପଥରରେ ଜୀବନ୍ତ ରୂପ ଦେଉଥିବା ନରଣଗଡ଼ର ଶିଳ୍ପୀ କଳା ପାଇଁ କଳାର ସୃଷ୍ଟି ସହିତ ଜୀବନ ପାଇଁ ଏମାନେ ଏହାକୁ କରିଛନ୍ତି ଜୀବିକା । ସ୍ୱଳ୍ପ ମଜୁରି ପାଇ କଷ୍ଟେ ମଷ୍ଟେ ତେଲ ଲୁଣ ସଂସାରରେ ଚେନାଏ ହସ ଭରି ଦେବା ଲାଗି ସେମାନେ କରନ୍ତି ଅକ୍ଲାନ୍ତ ପରିଶ୍ରମ । କିନ୍ତୁ ପଥରରେ ପ୍ରାଣ ସଂଚାର କରିଥିବା ଶିଳ୍ପୀଟିର ମାର୍ମିକ ବେଦନାକୁ ବୁଝିବାକୁ ଆଜିର ସମାଜ ଅସର୍ମଥ । ବିଶୁ ମହାରଣାଙ୍କ ଏହି ବଂଶଧର ଆଜି ନିଶ୍ୱ ଅବହେଳିତ । କରୋନାର ଭୟ ନୁହେଁ ପଥରର ଅଭାବ ହିଁ ଏମାନଙ୍କ ଜୀବନ ଜୀବିକାକୁ ବଦଳାଇ ଦେଇଛି । ଦୀର୍ଘ ବର୍ଷ ହେବ ଗ୍ରାମ୍ୟ ନିକଟରେ ଥିବା ଧଳା ମୁଗୁନି ପଥର ମୁଣ୍ଡିଆ ନିଲାମ ହୋଇ ନାହିଁ । ପଥରର ଅଭାବ ଏ ପେଷାରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଜିଲ୍ଲା ସଦର ମହକୁମା, ଖୋରଧା ସହରର ଠାରୁ ମାତ୍ର ୧୫ କ.ମି. ଦୂରରେ ରହିଛି ଶିଳ୍ପୀଙ୍କ ଗାଁ ନରଣଗଡ଼ । ନରଣଗଡ଼ ସମେତ ଆଖ ପାଖ ହାଡ଼ପଦା, ଜଗନ୍ନାଥପୁର ଶାସନ, ଭୋଗପୁର, ଧବଳପୁର, ବଳପୁର ଭୋଇସାହି ଓ ଦିଅଁଙ୍କ ପାଟଣା ଗାଁର ଅଧିକାଂଶ ବାସିନ୍ଦା ପଥର ଖୋଦେଇ ମୃର୍ତି କାର୍ଯ୍ୟ ଉପରେ ନିର୍ଭର କରି ଚଳନ୍ତି । ଏହି ଗ୍ରାମ ଗୁଡ଼ିକରେ ୪ଶହରୁ ଉର୍ଦ୍ଧ୍ୱ ପଥର କାରିଗର ରହିଥିବା ବେଳେ ଏକ ହଜାରରୁ ଉର୍ଦ୍ଧ୍ୱ ଲୋକ ଏହି ବୃତି ସହିତ ଜଡ଼ିତ ଅଛନ୍ତି । ନରଣଗଡ଼ ନିକଟରେ ରହିଛି ଭୋଗପୁର ମୁଣ୍ଡିଆ, କୁରୁମପଡ଼ା ଯୋଗମାୟ ପାହାଡ଼, ହାଡ଼ପଦା ଗୋହିଆ ମୁଣ୍ଡିଆ । ଉକ୍ତ ମୁଣ୍ଡିଆରୁ କୁଣ୍ଡା ବା ସାହାଣ ପଥର (ସ୍ୟାଣ୍ଡ ଷ୍ଟୋନ) ଏହି ସବୁ ମୁଣ୍ଡିଆ ପୁରୀ ଜଗନ୍ନାଥ ମନ୍ଦିରର ସମ୍ପତ୍ତି ହୋଇଥିବା ବେଳେ ପ୍ରତି ବର୍ଷ ନିଲାମ କରାଯାଇଥାଏ । ନିଲାମଧାରୀ ମାନେ ଶ୍ରମିକଙ୍କ ଦ୍ୱାରା ପଥର କାଟି କାରିଗରଙ୍କୁ ବିକ୍ରୀ କରିଥାନ୍ତି । ଉକ୍ତ ପଥରକୁ କିଣି କାରିଗରମାନେ ମୃର୍ତି ବିଭିନ୍ନ କଳାକୃତି ନିର୍ମାଣ କରିଥାନ୍ତି । ଗତ ତିନି ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ମୁଣ୍ଡିଆଟି ରାଜ୍ୟ ଖଣିନିଗମଙ୍କ ଅଧିନକୁ ଯାଇଥିବା ବେଳେ ଏପର୍ଯ୍ୟନ୍ତ ପଥର କଟାଯାଉ ନାହିଁ କି କାରିଗରଙ୍କୁ ବିକ୍ରୀ କରାଯାଉ ନାହିଁ । ମୃର୍ତି ନିର୍ମାଣ ପଛରେ ଖଣିରୁ ପଥର ବାହାର କରୁଥିବା ଶ୍ରମିକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଅଟେ । ସାଡ଼େ ତିନି ଫୁଟ୍ ଠାରୁ ତିନି ଫୁଟ୍ ଏକ ପଥରର ଦାମ୍ ପ୍ରାୟ ୪ହଜାର ଟଙ୍କା ପଡ଼ିଥାଏ । ବଡ଼ ବଡ଼ ପଥର ଖଣ୍ଡକୁ କାଟି ଚିକ୍କଣ ମସୃଣ କରି ମୃର୍ତି ନିର୍ମାଣରେ ବ୍ୟବହାର ହୋଇଥାଏ । ଗୋଟିଏ ବଡ଼ ମୃର୍ତି ନିର୍ମାଣ କରିବାକୁ ପ୍ରାୟ ୧୦ଦିନ ଲାଗିଥାଏ ବୋଲି କୁହନ୍ତି ବାରଘର ପାଟଣା ଗାଁର କାରିଗର କାଳୁଚରଣ କାଣ୍ଡି । ଶିଳ୍ପିମାନେ ଗଣେଷ, ଦୁର୍ଗା, କାର୍ତିକେୟ ଆଦି ବିଭିନ୍ନ ଦେବା ଦେବୀଙ୍କ ମୃର୍ତି ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା- ପଥରରେ ଡ଼ାନିଂ ସେଟ୍‌, ଚେୟାର, ବେଲଣା ପଟା, ଚନ୍ଦନପେଡ଼ି, ସିଗାରେଟ୍ ଝୁଲ ରଖିବା ପାତ୍ର, ଲ୍ୟାମ୍ପ, ଫୁଲଦାନୀ ଆଦି ପ୍ରସ୍ତୁତ କରିଥାନ୍ତି । ଏହା ସହିତ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ଲାଗି ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଉକ୍ତ ଶିଳ୍ପୀମାନେ ଯାଇଥାନ୍ତି । ହେଲେ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକିବା ଲାଗି ବଜାର ସାଜିଛି ପ୍ରତିବନ୍ଦକ । ଏପରି ଅର୍ଥ ଅଭାବ କାରଣରୁ ଶିଳ୍ପୀ ଅଧିକାଂଶ ସମୟରେ ପଥର କିଣି ନ ପାରିବା ଫଳରେ ମୃର୍ତି ନିର୍ମାଣ କରି ପାରୁ ନାହିଁ । ସରକାରଙ୍କ ପକ୍ଷରୁ ମଧ୍ୟ ଏହି ମୃର୍ତି କାରିଗରଙ୍କୁ କୌଣସି ସହାୟତା ମଧ୍ୟ ଯୋଗାଇ ଦିଆଯାଉ ନାହିଁ । କଳାକୁ ସମ୍ମାନ ଦେବା ସହ ଏହି ପଥର ଖୋଦେଇ କଳାକୁ ବଂଚାଇ ରଖିବା ଲାଗି ସରକାରୀ ଓ ବେସରକାରୀ ସ୍ତରରେ ପ୍ରୋତ୍ସାହନର ସୁଯୋଗ ସୃଷ୍ଟି କରାଯିବା ଜରୁରୀ ହୋଇପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!