88

ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ

ଭୁବନେଶ୍ୱର,୨୧/୮(ଓଡିଆନ ମିଡିଆ) : ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଦିନ ୧୧ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୪ ତାରିଖ ଯାଏଁ ଚାଲିବ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀ ୱେବସାଇଟରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଅନଲାଇନ ଆବେଦନ କରିପାରିବେ।www.Samsodisha.gov.in ୱେବସାଇଟରେ ଛାତ୍ରଛାତ୍ରୀମାନେ ଅନଲାଇନ ଆବେଦନ କରିପାରିବେ । ସେହିପରି ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟା ବେଳେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା (ମେରିଟ୍‌ ଲିଷ୍ଟ୍‌) ବାହାରିବ। ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୧୧ରୁ ଆରମ୍ଭ ହୋଇ ୧୮ ତାରିଖରେ ସରିବ । ସେପ୍ଟେମ୍ବର ୧୧ ତାରିଖରୁ ୧୯ ତାରିଖ ମଧ୍ୟରେ ପ୍ରଥମ ଚୟନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ସ୍ଲାଇଡ୍‌ ଅପ୍‌ ଅନୁରୋଧ ବା ଖାଲି ସିଟ୍‌ ଥିବା ଉନ୍ନତ ଧରଣର କଲେଜକୁ ବଦଳି ଆବେଦନ କରିପାରିବେ । ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୨୪ରୁ ୨୮ ତାରିଖ ମଧ୍ୟରେ ନାମ ଲେଖିପାରିବେ । ଅକ୍ଟୋବର ୧ରେ ସ୍ପଟ୍‌ ନାମଲେଖା ମେଧା ତାଲିକା ପ୍ରକାଶିତ ହେବ । ସ୍ପଟ୍‌ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅକ୍ଟୋବର ୧ରୁ ୩ ମଧ୍ୟରେ ଆବେଦନ କରିପାରିବେ । ୩ ତାରିଖ ଅପରାହ୍ନ ୫ଟାରେ ସ୍ପଟ୍‌ ନାମଲେଖାର ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ । ଯାହାର ନାମଲେଖା ଅକ୍ଟୋବର ୫ରେ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।  କରୋନା କଟକଣା ଥିବାରୁ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ଜୁନିୟର୍‌ କଲେଜ ବା କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯିବାକୁ ପଡ଼ିବନାହିଁ । ଅନ୍‌ଲାଇନ୍‌ରେ ସମସ୍ତ କାଗଜପତ୍ର ଦାଖଲ କରିବାକୁ ପଡ଼ିବ । ଅରିଜିନାଲ୍‌ ମାର୍କସିଟ୍‌, ଜାତି ପ୍ରମାଣପତ୍ର, ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଆଦି ଆବଶ୍ୟକୀୟ କାଗଜପତ୍ର କେବଳ ନାମଲେଖା ସମୟରେ ଦେଖାଇବାକୁ ପଡ଼ିବ । ଚଳିତବର୍ଷ ନାମଲେଖା ଆବେଦନ ଫି’କୁ କମାଇ ଦିଆଯାଇଛି । ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ଆବେଦନ ଫି’ ୩ ଶହରୁ ୨ଶହ ଟଙ୍କାକୁ କମାଇ ଦିଆଯାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କର ଶହେ ଟଙ୍କାକୁ ହ୍ରାସ କରାଯାଇଛି । କରେସପଣ୍ଡେନ୍ସ କୋର୍ସର ନାମଲେଖା ନିୟମିତ ନାମଲେଖା ଶେଷ ହେବାର ୧୫ ଦିନ ପରେ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!