93

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ମୁନିଗୁଡା,୨୧/୭ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ସୁଭଦ୍ରା -ଉଦ୍ଧବ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ବିଜେପି ମଣ୍ଡଳ ତରଫରୁ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଜଗା ଶବରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଙ୍ଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ସମ୍ମାନିତ ଅତିଥିଭାବେ ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା,ଜିଲ୍ଲା ଉପସଭାପତି ରାମକୃଷ୍ଣ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ପଣ୍ଡା,ବରିଷ୍ଠ ସଭ୍ୟ ଭୀମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଏକ ରାଜନୈତିକ ଚିଠା ପ୍ରସ୍ତାବ କରାଯାଇ ମଣ୍ଡଳରେ ଲାଗିରହିଥିବା କୃଷି ଓ ଜଳସେଚନ,କୃଷକ ସମସ୍ୟା ଓ ଧନମଣ୍ଡିରେ ଅବ୍ୟବସ୍ଥା, ସ୍ୱାସ୍ଥ୍ୟ, ଶିକ୍ଷା,ସଡ଼କ ବ୍ୟବସ୍ଥା,ଟ୍ରାଫିକ ସମସ୍ୟା,ବିଜ୍ଞାପିତ ଅଞ୍ଚଳ ଏବଂ ନୂତନ ଗଠନ,ସାମାଜିକ ନିରାପତ୍ତା, ଆବାସ ଯୋଜନା ଆଦି ଜନ ସାଧାରଣଙ୍କ ସମସ୍ୟା ଗୁଡିକର ସମାଧାନ ଉଲ୍ଲେଖ ଥିଲା l ଉକ୍ତ ଚିଠାକୁ ଜିଲ୍ଲା ଉପସଭାପତି ଶ୍ରୀ ପଣ୍ଡା ଉପସ୍ଥାପନା କରିଥିଲେ l ଏଥିସହ ଅତିଥି ମାନେ ଦଳ କିପରି ସାଂଗଠନିକ ଦକ୍ଷତା ବୃଦ୍ଧି, ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିବା ଓ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କିପରି ସାଧାରଣ ଲୋକ ଅନ୍ତର୍ଭୁକ୍ତ ହୋଇ ଲାଭାନ୍ବିତ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା। ଏଥିସହ କେନ୍ଦ୍ରୀୟ ଯୋଜନାର ସଠିକ ସଦୁପଯୋଗ ହେଉନଥିବା ଏବଂ ଏହାର ଦୁରୁପଯୋଗକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଯଦି ଚିଠା ପ୍ରସ୍ତାବର ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ରାଜ୍ୟ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ବଜ୍ର ଶପଥ ନେବ ବୋଲି ଆଲୋଚନା ହୋଇଥିଲା l ଶେଷରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ମଣ୍ଡଳ ଜନଜାତି ମୋର୍ଚ୍ଚା ସଭାପତି ଗରିବ ଗରଡ଼ିଆ,ବୁଦ୍ଧିଆ ଗୌଡ଼,ବିକ୍ରମ ପିଡ଼ିକାକା,ପରମାନନ୍ଦ ବନଛୋର, ଭି.ନବୀନ କୁମାର, ମାଇନାରୀଟି ସେଲର ଜିଲ୍ଲା ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ମାଳି,ଅଲିମାନ ବାଗ,ବୁଡୁ ନାଗ,ପୁରେନ୍ଦ୍ର କାଶୀଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ମାଇନାରୀଟି ସେଲର ଜିଲ୍ଲା ସଭାପତି ସହଦେବ କୁସୁଲିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!