Odian News
124

ପ୍ରକୃତିର ଜଳ ସ୍ରୋତକୁ ରୋକିଲେ ଜୀବନଧାରାରେ ବଡ଼ ସମସ୍ୟା ସୃଷ୍ଟି କରିବ-ଡ଼କ୍ଟର ରାଜେନ୍ଦ୍ର ସିଂ

ଜଳ ହିଁ ଜୀବନ, ଜଳକୁ ସଂରକ୍ଷଣ ଆଉ ପ୍ରକୃତିର ବରଦାନ ନଦୀକୁ ସବୁବେଳେ ସ୍ରୋତସ୍ୱିନୀ ଭାବେ ଦେଖିବାକୁ ଚାହୁଁଥିବା ମଣିଷ ହେଉଛନ୍ତି ଡ଼କ୍ଟର ରାଜେନ୍ଦ୍ର ସିଂ । ନଦୀକୁ ବଂଚାଇବାନେଇ ସାରା ପୃଥିବୀରେ ସେ ଚଳାଇଛନ୍ତି ଅହରହ ଉଦ୍ୟମ । ତାଙ୍କ ଆନ୍ଦୋଳନ ଫଳରେ ବଂଚିପାରିଛି ଅନେକ ନଦୀ । ଜଳ ଟୋପାଏ ପାଇଁ ଆଉଟ୍ ପାଉଟୁ ହେଉଥିବା ଲୋକମାନଙ୍କ ନିକଟରେ ପହଂଚାଇପାରିଛନ୍ତି ଜଳ । ଭାରତରେ ଜଳପୁରୁଷ ଭାବେ ପରିଚିତ ଡ଼କ୍ଟର ସିଂ ସମ୍ମାନଜନକ ମାଗାସେସେ ଏବଂ ଷ୍ଟକ୍‌ହୋମ୍ ପୁରସ୍କାର ପାଇ ଦେଶରେ ଗୌରବ ବଢ଼ାଇଛନ୍ତି । ନିକଟରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତା ନଦୀକୁ ସୁରକ୍ଷିତ ରଖିବା ସହିତ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ବନ୍ଦ କରିବା ଦାବିରେ ଆଳି-କନିକାର ଖରସ୍ରୋତା ବଂଚାଓ ସଂଗ୍ରାମ ସମିତିର ଜନଆନ୍ଦୋଳନରେ ସେ ସାମିଲ ହୋଇଥିଲେ ।ଏହି ଅବସରରେ ତାଙ୍କୁ ଭେଟିଛନ୍ତି ବରିଷ୍ଠ ସାମ୍ବାଦିକ ଶୁଭ୍ରାଂଶୁ ସୂତାର

ଓଡ଼ିଶା ସରକାର ପାନୀୟ ଜଳ ପାଇଁ ଖରସ୍ରୋତା ନଦୀରୁ ପ୍ରକଳ୍ପ ନିର୍ମାଣ କରୁଛନ୍ତି, ହେଲେ ଏତେ ବିରୋଧ କାହିଁକି କ’ଣ କହିବେ?
ମୁଁ ଓଡ଼ିଶାର ସବୁ ନଦୀକୁ ବୁଲି ଦେଖିଛି । ଭଦ୍ରକ ଜିଲାରେ ମଧ୍ୟ ମିଠା ପାଣି ରହିଛି । ସାଳନ୍ଦୀରୁ କାହିଁକି ଏ ପ୍ରକଳ୍ପ କରାଯାଇପାରୁ ନାହିଁ । ଭଦ୍ରକ ଏମିତି ଜିଲା ସେଠାରେ ପାଣି ସମସ୍ୟା ନାହିଁ । ହେଲେ କେନ୍ଦ୍ରାପଡ଼ା ଜିଲାରେ ଯେଉଁ ଅଂଚଳରେ ଖରସ୍ରୋତା ନଦୀ ପ୍ରଭାବିତ ହେଉଛି । ସେହି ଲୋକମାନଙ୍କ ନଦୀ ଉପରେ ଅଧିକାର ରହିଛି । ନଦୀ ସେମାନଙ୍କର ଜୀବନ । ନଦୀ ବିନା ସେମାନେ ବଂଚିପାରିବେ ନାହିଁ । ହେଲେ ରାଜ୍ୟ ସରକାର ଲୋକମାନଙ୍କ ଅଧିକାରକୁ ଛଡ଼ାଇନେଉଛନ୍ତି । ଏହା ଠିକ୍ କଥା ନୁହେଁ । ସେଥିପାଇଁ ଜନଆନ୍ଦୋଳନ ହେଉଛି । ଦେଖନ୍ତୁ ସରକାର କହୁଛନ୍ତି ପାନୀୟ ଜଳ କିନ୍ତୁ ଭଦ୍ରକ ଜିଲାରେ କେଉଁ କମ୍ପାନୀକୁ ଏ ଜଳ ଦେବେନାହିଁ ବୋଲି କ’ଣ କୁହାଯାଉଛିକି ?

ଖରସ୍ରୋତା ନଦୀକୁ ନେଇ ହେଉଥିବା ଆନ୍ଦୋଳନରେ ଆପଣଙ୍କ କ’ଣ ଭୂମିକା ରହିବ ?
ମୁଁ ସାରା ପୃଥିବୀରେ ନଦୀ ଆନ୍ଦୋଳନରେ ଯୋଗଦେଇଛି । କାନଡ଼ା,ଆମେରିକା, ଲଣ୍ଡନ ଭଳି ଦେଶରେ ନଦୀର ସଂକଟ ସମୟରେ ଠିଆ ହୋଇଛି । ସେଠାକାର ଲୋକମାନଙ୍କୁ ସଂଗଠିତ କରାଇ ନଦୀ ବଂଚାଇବାରେ ସଫଳତା ପାଇଛି । ମୁଁ ୨୮ ହଜାର ଖଣି ବନ୍ଦ କରିପାରିଛି । ଆଜି ଭାରତର ଲୋକମାନେ ଖରସ୍ରୋତା ଆନ୍ଦୋଳନ ସହିତ ଜଡ଼ିତ ରହିଛନ୍ତି । ଚେନ୍ନଇରେ ଅନୁଷ୍ଠିତ ସର୍ବଭାରତୀୟ ସମ୍ମିଳନୀରେ ଦେଶର ପ୍ରମୁଖ ପରିବେଶବିତ୍ ମାନେ ଖରସ୍ରୋତା ପ୍ରସଙ୍ଗ ସଂପର୍କରେ ଅବଗତ ରହିଛନ୍ତି । ମୁଁ ଏ ଆନ୍ଦୋଳନରେ ସ୍ଥାନୀୟ ଲୋକମାନଙ୍କ ସହିତ ରହିଛି । ଆଉ ଶେଷ ପର୍ଯ୍ୟନ୍ତ ରହିବି । ଏଥିପାଇଁ ପ୍ରାଣବଳି ଦେବାକୁ ମୁଁ ପଛାଇବି ନାହିଁ ।

ଖରସ୍ରୋତାରେ ଜଳ ପ୍ରକଳ୍ପ ହେଲେ ଭିତରକନିକାକୁ ବିପଦ ସୃଷ୍ଟି କରିବ ବୋଲି ଭାବୁଛନ୍ତିକି ?
ଖରସ୍ରୋତା ନଦୀରେ ଏ ପ୍ରକଳ୍ପ ହେବାର ଆବଶ୍ୟକତା ନାହିଁ । ଓଡ଼ିଶାର ଭୃତଳଜଳସ୍ତର କମ୍ ରହୁଥିବା ଜିଲା ମଧ୍ୟରେ କେନ୍ଦ୍ରାପଡ଼ା ରହିଛି । ସହଜେ ଏଠି ଜଳସ୍ତର କମ୍ ରହିଛି, ସେଥିରୁ ଗୋଟିଏ ନଦୀର ସ୍ରୋତକୁ ଅପ୍ରାକୃତି ଭାବେ ବିଭାଜନ କରିବାର ଉଚିତ୍ ନୁହେଁ । ଏହି ନଦୀ ସହିତ ଭିତରକନିକା ଗଭୀର ସଂପର୍କ ରହିଛି । ପୁଣି ଭିତରକନିକା ପୂର୍ବ ଏଓିଆର ସବୁଠୁ ବଡ଼ ହେନ୍ତାଳ ବଣ । ଜୈବବିବିଧତା ରକ୍ଷା କରିବାରେ ଏହି ଖରସ୍ରୋତା ନଦୀ ପ୍ରମୁଖ ଭୂମିକା ଗ୍ରହଣକରୁଛି । ଏହି ପ୍ରକଳ୍ପ ହେଲେ ଭିତରକନିକାର ପରିବେଶ ଉପରେ ବହୁତ ଖରାପ ପ୍ରଭାବ ପଡ଼ିବ । ପ୍ରାକୃତିକ ବିଷମତା ସୃଷ୍ଟିକରିବ । ଏହା ଠିକ୍ ନୁହେଁ । ପ୍ରକୃତିର ଜଳ ସ୍ରୋତକୁ ରୋକାଯିବା ମଧ୍ୟ ଠିକ୍ ନୁହେଁ । ଏହାରର ପ୍ରଭାବ ନିଶ୍ଚୟ ପଡ଼ିବ । ଏହା ମାନବ ସହିତ ଜୀବଜଗତର ଜୀବନଧାରାରେ ବଡ଼ ସମସ୍ୟା ସୃଷ୍ଟି କରିବ । ଜଳସ୍ରୋତ କମି ଗଲେ ସମୁଦ୍ରରୁ ଲୁଣି ପାଣି ମାଡ଼ିଆସିବ । ମିଠା ପାଣି କମିଯିବ । ସମସ୍ୟା ମାଡ଼ିଆସିବ । ଖରସ୍ରୋତା ସୁଖିଯିବ । ପରିବେଶ ସୁରକ୍ଷା ଦିଗରେ ସରକାର ମିଛ କହୁଛନ୍ତି । ବିଧିବଦ୍ଧ ଭାବେ ଏହି ପ୍ରକଳ୍ପ କରିବାରେ ପରିବେଶ ସଂକ୍ରାନ୍ତରେ ତଦନ୍ତ ଆବଶ୍ୟକତା ରହିଥିଲା । ହେଲେ ପ୍ରକଳ୍ପ ପାଇଁ କାହିିଁକି ହାଇଦ୍ରାବାଦ୍ ଆଇଆଇଟି ରିପୋର୍ଟକୁ ଦର୍ଶାଉଛନ୍ତି ସରକାର । ହେଲେ ଓଡ଼ିଶାରେ ଆଇଆଇଟି ତ ରହିଛି । କାହିଁକି ହାଇଦ୍ରାବାଦ୍ ରିପୋର୍ଟ ଆଣିଲେ । ଯଦି ଓଡ଼ିଶାରେ ନଥାନ୍ତା ତେବେ ସେଠାରୁ ଅଣାଯାଇଥାନ୍ତା । ଏଥିରୁ ଜଣାଯାଉଛିଯେ, ଏହି ପ୍ରକଳ୍ପରେ ବଡ଼ ଦୁର୍ନୀତି ରହିଛି । ତାହା ହୋଇନଥିଲେ ଯେଣେ ତେଣେ ପ୍ରକାର ପ୍ରକଳ୍ପକୁ କରାଇବାରେ ରାଜ୍ୟ ସରକାର ଆଜି ଲାଗିପଡ଼ିନଥାନ୍ତେ ।

ମହାନଦୀ ବଂଚାଓ ଆନ୍ଦୋଳନ ଅଧୁରା ରହିବ କି?
ମହାନଦୀ ବଂଚାଓ ଆନ୍ଦୋଳନ ପ୍ରଥମ ଦିନରୁ ମୁଁ ଏଥିରେ ସଂଶ୍ଲିଷ୍ଟ ରହିଛି । ମୁଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିଥିଲି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରି ମହାନଦୀକୁ କାବେରୀ ନଦୀ ଭଳି ନହେବାକୁ ଅନୁରୋଧ କରିଥିଲି । କିନ୍ତୁ ଭାରତ ସରକାର ଏବଂ ଓଡ଼ିଶା ସରକାର ଆଜି ମହାନଦୀକୁ କାବେରୀ ନଦୀ ସମସ୍ୟା ଭଳି ପରିଣତ କରିଦେଲେଣି । ଭାରତରେ ଆନ୍ତଃରାଜ୍ୟ ନଦୀ ବିଲ୍ ଆସିଥିଲା, ସେତେ ବେଳେ ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହାର କପି ଦେଇ କହିଥିଲିକି ଏହି ବିଲ୍‌କୁ ବନ୍ଦ କରିବା ଦରକାର । ଆପଣଙ୍କ ରାଜ୍ୟର ଅଧିକାର ପାଇଁ ଆପଣଙ୍କୁ ଠିଆହେବାକୁ ପଡ଼ିବ । ହେଲେ ମୁଖ୍ୟମନ୍ତ୍ରୀ ଏହି ବିଲ୍‌କୁ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଲ ଉପରେ କିଛି କଲେ ନାହିଁ । ଯାହାର ପ୍ରଭାବ ଆଜି ପଡ଼ିଛି । ଓଡ଼ିଶାର ବହୁତ କ୍ଷତି ସହିବାକୁ ପଡ଼ିବ । ମହାନଦୀର ଯେଉଁ ବିବାଦ ରହିଛି । ସତରେ ତାହା କାବେରୀ ବିବାଦ ଭଳି ଚାଲିଛି । ଓଡ଼ିଶାର ଲୋକମାନେ ସଂଗଠିତ ହେଲେ ବିବାଦ ତୁଟିବ । ଟ୍ରିବୁନାଲ ଠିକ୍ ଭାବରେ କାମ କରୁନାହିଁ । ଛତିଶଗଡ଼ ଯେଉଁ ବ୍ୟାରେଜ ନିର୍ମାଣ କରିଛି । ତାହା ଠିକ୍ ନୁହେଁ । ଓଡ଼ିଶାକୁ ତାର ଅଧିକାର ମିଳିବା ଦରକାର । ମହାନଦୀକୁ ବଂଚାଇବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ମହାନଦୀ ବଂଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!