Odian News
52

ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜୟଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୫/୧୦ : ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦିନକୁ ଦିନ ନୂଆ ନୂଆ ଖିଅ ଖୋଲୁଛି । ବିଜେପି ଓ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ନେଇ ଶାଣିତ ଆକ୍ରମଣ ଚଳାଇଥିବା ବେଳେ ବିଜେଡ଼ି ଏହାର ଜବାବ ଦେବାକୁ ଯାଇ ପଞ୍ଚାୟତ ନିର୍ବାଚନ ପାଇଁ ଏହାସବୁ ନାଟକ ବୋଲି କହିଛି ।ମମିତାଙ୍କୁ ହତ୍ୟା ପୂର୍ବରୁ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କର ରାୟପୁରସ୍ଥିତ ବାସଭବନରେ ତାଙ୍କ ଘନିଷ୍ଠ କୁହାଯାଉଥିବା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତାଙ୍କ ମଧ୍ୟରେ ବୁଝାମଣା କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଅଭିଯୋଗ ଆଣିଛନ୍ତି। ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମମିତାଙ୍କ ହତ୍ୟା ଘଟଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏଭଳି ଭୟଙ୍କର ଘଟଣା ଆଗରୁ କେବେ ଓଡ଼ିଶାରେ ହୋଇ ନଥିଲା । ଏହାକୁ ନେଇ ପୁଲିସ ଏବେ ନାଟକ ରଚୁଛି। ପୁଲିସ ଯେଉଁ ଭଳି ଭାବରେ ତଦନ୍ତ କରିବା କଥା ତାହା କରୁନାହିଁ; ବରଂ ପୁଲିସ ଡ଼ିଆଇଜି ଓ ଏସପି ଅପରାଧ ଘଟଣାର ତଦନ୍ତ ନାଁରେ ଚଳଚ୍ଚିତ୍ର ସୁଟିଂ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ପୁଲିସ ପକ୍ଷରୁ ଯେଉଁ ତଦନ୍ତ କରାଯାଉଛି ତାହା କେବଳ ଜନମାନସକୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ। ଗୋବିନ୍ଦକୁ ଖସେଇ ଦେବାକୁ ଗୃହ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ପୁଲିସ ଆଗରେ ଯଦି ଗୋବିନ୍ଦ ସତ ମାନିଛି, ତେବେ ଆଜି ପର୍ଯ୍ୟନ୍ତ ପୁଲିସ ନ୍ୟାୟିକ ସ୍ବୀକାରୋକ୍ତି କାହିଁକି ହୋଇନାହିଁ। ଅପରାଧ ତଦନ୍ତ ବିଷୟରେ ଯାହାର ସାଧାରଣ ଜ୍ଞାନ ନାହିଁ ସେହିମାନେ ଏହି ମାମଲାର ଦାୟିତ୍ୱ ନେଇଛନ୍ତି ।ସେ ପ୍ରଶ୍ନ କରିଛନ୍ତି ଯେ, ହାଜତ ବଦଳରେ ୪ ଦିନ ଧରି ବାରାକ୍‌ରେ କାହିଁକି ଗୋବିନ୍ଦକୁ ରଖାଗଲା ? କୌଣସି ଅଭିଯୁକ୍ତକୁ ଧରିଲେ ତାକୁ ହାଜତରେ ରଖାଯିବା କଥା; ଜେରା କରିବା ପରେ ସେ ହାଜତ ବଦଳରେ ବାରାକ୍‌ରେ ରହିଲା କିଭଳି? ବର୍ତ୍ତମାନ ଏହି ଘଟଣାକୁ ଦୁର୍ବଳ କରିବା ପାଇଁ ପୁଲିସ ଲାଗି ପଡିଛି। ମାଟିତଳୁ ଯେଉଁ ପାଉଁଜି ଓ ସୁନା ଚେନ୍‌ ଉଦ୍ଧାର କରାଯାଇଛି, ତାହାର ଚିହ୍ନଟ ଓ ତା’ର ଟିଆଇ ପରେଡ଼ କାହିଁକି କରାଯାଉନାହିଁ ? ଦୁଇ ମାସ ଧରି ଏହି ଘଟଣା ଚାଲିଛି। ମମିତାକୁ ବୁଝେଇ ସମାଧାନ କରିବା ଲାଗି ବିଭିନ୍ନସ୍ତରରେ ଚେଷ୍ଟା କରାଯାଉଥିଲା । ଏ କଥା ପୁଲିସ ଏବଂ ସ୍ଥାନୀୟ ଲୋକେ ଜାଣିଛନ୍ତି। କେବଳ ମନ୍ତ୍ରୀ ସେଠାକୁ ଯାଇନାହାନ୍ତି; ବରଂ ଅନେକ ସରକାରୀ ଅଧିକାରୀ ବି ସେଠାକୁ ଯାଇଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ରାୟପୁର କାହିଁକି ସେମାନଙ୍କୁ ନେଇ ଯାଇଥିଲେ, ତା’ର ତଦନ୍ତ ହେଲେ ସବୁ ସତ ପଦାକୁ ଆସିପାରିବ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି। ସତ ଘଟଣା ଗୁଡିକୁ ସରକାରୀ ସ୍ତରରେ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ ଚାଲିଛି। ପୁଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ତଦନ୍ତ ବିବରଣୀ ପ୍ରଦାନ କରାଯାଇଛି ତାହାକୁ ମୁଖ୍ୟମନ୍ତ୍ରୀ ନିଜେ ଅନୁଧ୍ୟାନ କରନ୍ତୁ। ସରକାରଙ୍କ କେତେକ ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଲୁଚାଉଛନ୍ତି। ମୁଖ୍ୟମନ୍ତ୍ରୀ ଏସବୁ ଅନୁଧ୍ୟାନ କରି ଚୁପ ବସିଲେ ଚଳିବ ନାହିଁ, ଠୋସ୍ ପଦ‌େ‌କ୍ଷପ ନେବାର ଆବଶ୍ୟକତା ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!