Odian News
32

ଓଡ଼ିଶାରେ ସ୍ଥାପନ ହେବ ଭାରତର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର

କଟକ,୨୬/୧୧: ଓଡ଼ିଶାରେ ସ୍ଥାପନ ହେବ ଭାରତର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର| କଟକ ଜିଲା ଚୌଦ୍ୱାର ନିକଟ ଇନ୍ଦ୍ରାଣିପାଟଣା ଶିଳ୍ପାଞ୍ଚଳରେ ଖୁବଶୀଘ୍ର ଭାରତର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର ସ୍ଥାପନ କରାଯିବ । ଭାରତ ସରକାରଙ୍କ ଏମଏସଏମଇ ବିଭାଗର ଏମଏସଇ-ସିଡିପି ଯୋଜନାରେ ଏହି କ୍ଲଷ୍ଟର ସ୍ଥାପିତ ହେବ । ଏଥିପାଇଁ ପ୍ରସ୍ତୁତ ଡିପିଆରକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁମୋଦନ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ  ଭୁବନେଶ୍ୱରସ୍ଥିତ ରପ୍ତାନି ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ତ କ୍ଲଷ୍ଟରର ସାମ୍ପ୍ରତିକ ସ୍ଥିତି ଏବଂ ସୁରୁଖୁରୁରେ କାର୍ଯ୍ୟକାରିତା ନିମନ୍ତେ ଭବିଷ୍ୟତ କୌଶଳ ଚୂଡାନ୍ତ କରିବା ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଥିଲା । ବୈଠକ ପରେ ଶ୍ରୀ ସାହୁ ସୂଚନା ଦେଇ କହିଥିଲେ ଯେ ଇଡକୋ ଇତିମଧ୍ୟରେ ଏହି କ୍ଲଷ୍ଟରର କମନ ଫାସିଲିଟି ସେଣ୍ଟର ପାଇଁ ୬ ଏକର ଜମି ଯୋଗାଇ ଦେଇଛି । ପ୍ରସ୍ତାବିତ କ୍ଲଷ୍ଟର ନିମନ୍ତେ ୩୧.୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର୍‍ ସରକାର ୧୮ କୋଟି ଟଙ୍କା ଏବଂ ରାଜ୍ୟ ସରକାର ୭.୧୮ କୋଟି ଟଙ୍କା ଏମଏସଇ-ସିଡିପି ଯୋଜନା ଅଧୀନରେ ଅନୁଦାନମୂଳକ ସହାୟତା ଆକାରରେ ଯୋଗାଇଦେବେ । ଏଥିପାଇଁ ଏସପିଭି ସଦସ୍ୟମାନେ ୫.୩୧ କୋଟି ଟଙ୍କା ଯୋଗାଇବେ ।ଶ୍ରୀ ସାହୁ କହିଥିଲେ ଯେ ଓଡ଼ିଶା ଅସେମ୍ବ୍ଲି ଅଫ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ (ଓସମେ) ଏହି କ୍ଲଷ୍ଟରକୁ ସମର୍ଥନ ଯୋଗାଇ ଦେଉଛି । ଏଥିରେ ୮୮ଟି ସଦସ୍ୟ ୟୁନିଟ ରହିଛି, ଯେଉଁଥିରୁ ୧୭ଟି ମହିଳା ଉଦ୍ୟୋଗୀ, ୧୨ଟି ଅନୁସୂଚିତ ଜାତି / ଜନଜାତି ଉଦ୍ୟୋଗୀଙ୍କ ପାଇଁ ରଖାଯାଇଛି । ଏହି ଏସପିଭିରେ ରାୟଗଡା ଓ ଗଜପତି ଭଳି ଶିଳ୍ପ କ୍ଷେତ୍ରରେ ପଛୁଆ ଜିଲା ସମେତ ୮ଟି ଜିଲାରୁ ୬୧ ସଦସ୍ୟ ୟୁନିଟକୁ ସ୍ଥାନ ଦିଆଯାଇଛି । ଇଞ୍ଜିନିୟରିଂ କ୍ଲଷ୍ଟରର କମନ ଫାସିଲିଟି ସେଣ୍ଟରରେ ସର୍ବାଧୁନିକ ଯନ୍ତ୍ରପାତି ଏବଂ ଉପକରଣ ରହିବ ଏବଂ ସେଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରା ଯିବ । ଏହା ଉଦ୍ୟୋଗୀ ଓ ଷ୍ଟାର୍ଟଅପଗୁଡିକୁ ପ୍ରତିରକ୍ଷା, ଏରୋସ୍ପେଶ, ତୈଳ ଓ ପ୍ରାକୃତିକ ଗ୍ୟାସ ଆଦି କ୍ଷେତ୍ରରେ ସମର୍ଥନ ଯୋଗାଇଦେବ । ତାହାସହିତ ଏହା ରାଜ୍ୟର ଏମଏସଏମଇଗୁଡିକର ଆବଶ୍ୟକତା ପୂରଣ କରିବ । ରାଜ୍ୟ ସରକାର ଉଦ୍ୟୋଗୀ ଓ ଏମଏସଏମଇଗୁଡିକୁ ପ୍ରୋତ୍ସାହିତ କରିବାକୁ ବିବିଧ ପଦକ୍ଷେପ ଗ୍ରହଣ କରୁଥିବା ସେ ସୂଚନା ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!