ଆଇପିଏଲ୍‌-୧୫: ମୁହାମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୨୧/୦୫: ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।  ଶନିବାର କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ନିଜ ନିଜର ଅନ୍ତିମ ଲିଗ୍‌ ଖେଳିବେ । କ୍ୟାପିଟାଲ୍ସ ୧୩ଟି ମ୍ୟାଚ୍‌ରୁ ୭ ବିଜୟ ସହ ମୋଟ ୧୪ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ମୁମ୍ବାଇକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୬ରେ ପହଞ୍ଚିବ । ଚତୁର୍ଥ ସ୍ଥାନରେ ଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ (୧୬) ଦୁର୍ବଳ ରନ୍‌ ରେଟ୍‌ ଯୋଗୁ ପଞ୍ଚମ ସ୍ଥାନକୁ ଖସିବା ସହ ପ୍ଲେ-ଅଫ୍‌ରୁ ବାଦ ପଡ଼ିବ । ଯଦି ମୁମ୍ବାଇ ଶେଷ ଲିଗ୍‌ରେ ବିଜୟୀ ହୁଏ, ତା’ହେଲେ କ୍ୟାପିଟାଲ୍ସର ଅଭିଯାନ ଶେଷ ହୋଇଯିବ । ରୟାଲ୍‌ ଚ୍ୟାଲେଞ୍ଜର୍ସର ଭାଗ୍ୟ ମୁମ୍ବାଇ ଇଣ୍ଡିଆନ୍ସ ହାତରେ ରହିଛି । ତେଣୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରିବେ । ରିଷଭ ପନ୍ତଙ୍କ ନେତୃତ୍ୱାଧିନ କ୍ୟାପିଟାଲ୍ସ ଦଳ ପୂର୍ବ ଦୁଇଟି ଲିଗ୍‌ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସକୁ ହରାଇଥିଲା । ଏହା ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ କରିଛି । ଅସୁସ୍ଥ ପୃଥ୍ୱୀ ଶ’ଙ୍କ ସ୍ଥାନରେ ପୂର୍ବ ମ୍ୟାଚ୍‌ରେ ଓପନ କରିଥିବା ସର୍ଫରାଜ ଖାନ ବିସ୍ଫୋରକ ବ୍ୟାଟିଂ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଅନ୍ୟ ପଟରେ ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ ଜବରଦସ୍ତ ଫର୍ମରେ ରହିଛନ୍ତି । କେବଳ ଅଧିନାୟକ ପନ୍ତଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି ।ମୁମ୍ବାଇକୁ ହରାଇବାକୁ ହେଲେ ପନ୍ତଙ୍କୁ ବଡ଼ ଇନିଂସ୍‌ ଖେଳିବାକୁ ପଡ଼ିବ । ବୋଲିଂ ବିଭାଗ ଦୃଢ଼ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ସହ ସିଜନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଷନ ଫର୍ମକୁ ଫେରିଲେ ଦଳ ବଡ଼ ସ୍କୋର କରିପାରିବ । ମଧ୍ୟକ୍ରମରେ ଟିମ୍‌ ଭେଡିଡ୍‌ ଓ ଯୁବ ବ୍ୟାଟର ତିଳକ ବର୍ମା ନିମୟିତ ଭଲ ପ୍ରଦର୍ଶନ କରୁଛନ୍ତି । ବୋଲିଂ ବିଭାଗ ଦିଲ୍ଲୀ ବ୍ୟାଟରଙ୍କୁ ରୋକି ପାରିଲେ ଦଳର ବିଜୟ ସହଜ ହୋଇପାରିବ ।

ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ୍‌ ୱାର୍ଣ୍ଣର, ସର୍ଫରାଜ ଖାନ, ମିଚେଲ ମାର୍ଶ, ରିଷଭ ପନ୍ତ, ଲଳିତ ଯାଦବ, ରୋଭମାନ ପାୱେଲ, ଅକ୍ଷର ପଟେଲ, ସର୍ଦୁଲ ଠାକୁର, କୁଲଦୀପ ଯାଦବ, ଆନରିଚ୍‌ ନର୍ଜ, ଖଲିଲ ଅହମ୍ମଦ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଇଶାନ କିଷନ, ତିଳକ ବର୍ମା, ରମଣଦୀପ ସିଂହ, ଟ୍ରିଷ୍ଟନ ଷ୍ଟବ୍ସ, ଟିମ୍‌ ଡେଭିଡ୍‌, ଡାନିଲ୍‌ ସାମ୍ସ, ସଞ୍ଜୟ ଯାଦବ, ଯଶପ୍ରୀତ ବୁମରା, ରିଲି ମେରେଡିଥ୍‌, ମୁରୁଗାନ ଅଶ୍ୱିନ/ମୟଙ୍କ ମାର୍କଣ୍ଡେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: