55

ସୌନ୍ଦର୍ଯ୍ୟର ଅପୂର୍ବ ମିଳନ, ହୁକିଟୋଲା ଓ ବତିଘର, ପର୍ଯ୍ୟଟକ ବିଭାଗର ଅବହେଳା

ମହାକାଳପଡ଼ା,୨୭/୯: ଆଖି ଆଗରେ ତରଙ୍ଗାୟିତ ନୀଳ ଜଳରାଶି । ଯେଉଁ ଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ଭୟଙ୍କର ସେ ଜଳଯାତ୍ରା । ପ୍ରକୃତିର ଏ ଭୀମକାନ୍ତ ସୌନ୍ଦର୍ଯ୍ୟ ଭିତରେ ରହିଛି ଇତିହାସର ବହୁ ଅକୁହା କାହାଣୀ । ହୁକିଟୋଲା ଓ ବତିଘର ଏହି ଦୁଇଟି ଐତିହାସିକ ସ୍ଥାନକୁ ବୁଲି ଦେଖିଲେ ସତେ ଯେମିତି ଫେରିଯିବାକୁ ହୁଏ ଇଂରେଜ ସରକାରଙ୍କ ଶାସନ କାଳକୁ । କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ୍‌ରୁ ୨୫ କିଲୋମିଟର ଦୂର ଗଲେ ପଡ଼େ ଖରିନାସି ଗାଁ । ଏହି ଗାଁରୁ ଖରିନାସିର ନଦୀ ଗଳିଆ ଦେଇ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ଦୁଇ ଘଂଟା ଗଲେ ହୁକି ଟୋଲାରେ ପହଂଚିହୁଏ । ଏହି ହକିଟୋଲାରୁ ପୁଣି ଚହଟା ନଦୀ ମୁହାଁଣରୁ ଏକ ଗଂଟା ୪୫ ମିନିଟ୍ ଜଳଯାତ୍ରା ପରେ ଫଲସ୍ ପଏଟଂରେ ପହଂଚିଲେ ଦେଖିହୁଏ ‘ବତିଘର’ । ପୂର୍ବରୁ ସ୍ଥଳଭାଗରେ ଗମନା ଗମନର ସୁବିଧା ନଥିଲା । ଓଡ଼ିଶା ଆସିବାକୁ ହେଲେ ଜଳପଥ ହିଁ ଥିଲା ସୁବିଧା ପଥ । ତାହା ପୁଣି ଷ୍ଟିମର ଭଳି ଜଳଯାନର ଏକ ମାତ୍ର ଭରସା । ଓଡ଼ିଶାକୁ ଆସିବା ପାଇଁ ହେଲେ ଏକ ମାତ୍ର ପ୍ରବେଶ ପଥ ଥିଲା ‘ହୁକିଟୋଲା’ । ଏହି ଠାରେ ଏକ ପୋତାଶ୍ରୟ ନିର୍ମାଣ ହେବା ପୂର୍ବରୁ ହୁକିଟୋଲା ଠାରୁ ୪ କିଲୋମିଟର ଦୂର ଫଲସ୍ ପଏଟଂ ଠାରେ ନିର୍ମିତ ହୋଇଥିଲା ବତିଘର । ୧୮୩୬ ମସିହା ଡିସେମ୍ବର ୬ରେ ଏହି ବତିଘର କାର୍ଯ୍ୟ ଆରମ୍ଭ ହୋଇ ୧୮୩୬ ଅକ୍ଟୋବର୧୬ରେ ଶେଷ ହୋଇଥିଲା । ୧୨୫ ଫୁଟ୍ ଏହି ବତିଘରେ ଯନ୍ତ୍ରଚାଳିତ ଜେନେରେଟର ଦ୍ୱାରା ଆଜି ପର୍ଯ୍ୟନ୍ତ ଜଳି ଉଠୁଛି ଉଜ୍ୱଳ ଆଲୋକ । ୧୮୬୬ ମସିହାରେ ଓଡ଼ିଶାରେ ଦେଖାଦେଇଥିଲା ନ’ଅଙ୍କ ଦୁର୍ଭିକ୍ଷ ସମୟରେ ପ୍ରତିଦିନ ଖାଦ୍ୟ ଅଭାବରୁ ଲୋକେ ପୋକମାଛି ପରି ମରିବାକୁ ଲାଗିଲେ । ଇଂରେଜ ସରକାର ଏହି କାରଣରୁ ଚିନ୍ତାରେ ପଡ଼ିବା ସହିତ ବାହାର ରାଜ୍ୟରୁ ଖାଦ୍ୟଶସ୍ୟ ଆଣିବା ପାଇଁ କୌଣସି ବିକଳ୍ପ ରାସ୍ତା ପାଇଲେ ନାହିଁ । ଶେଷରେ ଇଂରେଜ ସରକାର ଏବ ବନ୍ଦର ପାଇଁ ଏଠାରେ କାର୍ଯ୍ୟ ଆରମ୍ଭ କଲେ । ତତ୍କାଳୀନ ମୁଖ୍ୟଯନ୍ତ୍ରୀ ହୁକି ୱାକରଙ୍କ ନାମ ଅନୁସାରେ ହୁକିଟୋଲା ଦିଆଯାଇଥିଲା । ବର୍ଷକ ମଧ୍ୟରେ ବନ୍ଦର କାର୍ଯ୍ୟ ଶେଷ ହୋଇଥିଲା । ଏହି ବନ୍ଦରରେ ବାରବାଟୀ ଦୁର୍ଗରୁ ଆସିଥିବା ପଥରେ ବନ୍ଦର ଅଫିସ୍‌, କଷ୍ଟମ ଅଫିସ୍‌, ପୋଷ୍ଟ ଅଫିସ୍‌, ଗୋଦାମ ଘର, ବର୍ଥ ଏବଂ ଏହା ସହିତ କର୍ମଚାରୀଙ୍କ ରହିବା ଘର ନିର୍ମିତ ହୋଇଥିଲା । ଏହି ବନ୍ଦରକୁ କଟକ ସହିତ ଯୋଗଯୋଗ ପାଇଁ କଟକ-ମାର୍ଶାଘାଇ କେନାଲକୁ ଖେଳାଯାଇ ଜମ୍ବୁ ମୁହାଣ ସହିତ ମିଶାଯାଇଥିଲା । ହୁକିଟୋଲା ବନ୍ଦରକୁ ବ୍ରିଟିଶ ଏବଂ ଫରାସୀରୁ ଜାହାଜ ଆସୁଥିଲା । ଓଡ଼ିଶାର ଖାଦ୍ୟ ଶସ୍ୟ ରହିବା ପାଇଁ ଏକ ବଡ଼ ଗୋଦାମ ଘର ରହିଥିଲା । ବର୍ଷା ଜଳକୁ ବର୍ଷସାରା ଏଠାରେ ଘରର ଛାତ ଉପରେ ସଂରକ୍ଷଣ ରଖାଯିବାର ବ୍ୟବସ୍ଥା କରାଯିବା ବ୍ୟବହାର ଉପଯୋଗୀ କରାଯାଇଥିଲା । ଏହି ହୁକିଟୋଲା ବନ୍ଦର ପାଇଁ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷରେ ଶହଶହ ଲୋକ ନିଜ ଜୀବନ ବଂଚାଇ ପାରି ଥିଲେ । ୧୯୨୪ ରେ ଏହା ଅକାମୀ ହୋଇପଡ଼ିଲା । ପାରାଦ୍ୱୀପ ଠାରେ ନୂତନ ବନ୍ଦର ପ୍ରତିଷ୍ଠା ପରେ ଶ୍ରୀହୀନ ହୋଇପଡ଼ିଲା ହୁକିଟୋଲା । ୧୯୭୦ ମସିହାରେ ହୁକିଟୋଲା ସହିତ ତାର ପ୍ରାକୃତିକ ପରିବେଶ ପାଇଁ ବନବିଭାଗକୁ ହସ୍ତାନ୍ତର କରିଦିଆଯାଇଛି । ରାଜ୍ୟସରକାର ଏହି ଦୁଇ ଐତିହାସିକ କିର୍ତୀରାଜିକୁ ପର୍ଯ୍ୟଟନୀସ୍ଥଳର ମାନ୍ୟତା ଦେଇଛନ୍ତି । ଏଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ପର୍ଯ୍ୟଟକ ମାନଙ୍କ ପାଇଁ ନଦୀମୁହାଣରୁ ଯାତାୟତରେ ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରିନାହାଁନ୍ତି କି ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ପର୍ଯ୍ୟଟକମାନଙ୍କ ସୁବିଧା ନଥିବାରୁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଅଧିକ ଆକର୍ଷିତ କାରିପାରୁ ନାହିଁ ଏଦିଗରେ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଏଦିଗରେ ପର୍ଯ୍ୟଟନ ବିଭାଗ ଗୁରୁତ୍ୱ ଦେଲେ ଏହା ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!