49

ଓଡ଼ିଶାକୁ ମିଳିଛି ୨୨,୨୬୭.୬୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୬/୧୦ : କୋଭିଡ୍‌-୧୯ ସମୟରେ ମୋଦି ସରକାର ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମେତ କୋଭିଡ୍ ପରିଚାଳନା ଓ ମୁକାବିଲା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ମୋଟ୍  ୨୨,୨୬୭.୬୬ କୋଟିର ସହାୟତା ପ୍ୟାକେଜ୍ ପ୍ରଦାନ କରିଛନ୍ତି ବୋଲି ଶୁକ୍ରବାର ନୂଆଦିଲ୍ଲୀରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୁତ ସୂଚନା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି ଅବସରରେ ଶ୍ରୀ ପ୍ରଧାନ କରୋନା ମହାମାରୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହାସହ ଓଡିଶାକୁ ବିପୁଳ କେନ୍ଦ୍ରୀୟ ସହାୟତା ଦିଆଯାଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଯତ୍ନଶୀଳ ହୋଇ କାମ କରିବା ଦରକାର ବୋଲି ସେ କହିଛନ୍ତି । ସେହିପରି ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଉପଭୋକ୍ତାଙ୍କ ଅତିରିକ୍ତ ଚାହିଦା ପାଇଁ ଏଲଟିସି କ୍ୟାସ ଭାଉଚର ସ୍କିମ୍ କରାଯାଇଛି । ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଲାଭ ପାଇବେ । ତେବେ ଏହି କଠିନ ସମୟରେ ରାଜ୍ୟ ସରକାର ମଧ୍ୟ ନିଜ କର୍ମଚାରୀ ତଥା ଓଡିଶାର ପିଏସୟୁ କର୍ମଚାରୀଙ୍କ ପାଇଁ ଏପରି ସମାନ ଭାବେ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନର ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତି ମାସରେ ବ୍ୟକ୍ତି ପିଛା ୫ କେଜି ଚାଉଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ ମାସିକ ୫ କେଜି ଚାଉଳ ପ୍ରଦାନ କରାଯାଇଛି । ଏହି ମର୍ମରେ ମୋଟ ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ଓଡିଶାକୁ ପ୍ରଦାନ କରାଯାଇଛି । ସେହିପରି ପ୍ରତି ପରିବାରକୁ ମାସିକ ୧ କେଜି ଡାଲି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାର ୯୨.୮୫ ଲକ୍ଷ ପରିବାରକୁ ଡାଲି ଯୋଗାଇ ଦିଆଯାଇଛି । ମୋଟ ୪୪ ହଜାର ୧୩୦ ଟନ୍ ଡାଲି ଓଡିଶାକୁ ଯୋଗାଇ ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି । ଜନଧନ ଆକାଉଣ୍ଟଧାରୀ ମହିଳାଙ୍କ ପାଇଁ ୧୫୦୦ ଟଙ୍କାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶାର ୮୫.୨୦ ଲକ୍ଷ ହିତାଧିକାରୀ ଏହାର ଲାଭ ପାଇଛନ୍ତି । ଓଡ଼ିଶା ପାଇଁ ମୋଟ ୧୨୫୮.୦୨ କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତ୍ତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କିଷାନ(କୃଷକ ସମ୍ମାନ ନିଧି) ଯୋଜନାରେ ରାଜ୍ୟର ୨୦.୩ ଲକ୍ଷ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ମୋଟ ୪୦୦.୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।  କରୋନା ସମୟରେ ଓଡ଼ିଶାର ୨୦.୮୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡ ପିଛା ୧୫୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ ୩୧୨.୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାରେ ୧.୫୪ ଲକ୍ଷ ଇପିଏଫଓ ଆକାଉଣ୍ଟଧାରୀଙ୍କୁ ଇ-ଚାଲାଣ କମ୍ ରସିଦ୍ ଆକାରରେ ୫୯.୦୭ କୋଟି ଦିଆଯାଇଛି । ୪୦, ୬୬୬ ଇପିଏଫଓ ହିତାଧିକାରୀ ୮୭.୭୧ କୋଟି ଟଙ୍କା ଇପିଏଫଓ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି । ୧.୬୨ ଲକ୍ଷ ହିତାଧିକାରୀଙ୍କ ପାଇଁ ୨୪ ପ୍ରତିଶତ ଇପିଏଫ୍ ଭାରତ ସରକାର ଦେଇଛନ୍ତି । ଓଡ଼ିଶା ପାଇଁ ୧୦୧.୪୮ କୋଟି ଟଙ୍କା ସରକାର ଦେଇଛନ୍ତି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଜିଏସଟି କ୍ଷତିପୂରଣ ସ୍ୱରୂପ ୫ ହଜାର ୧୨୨ କୋଟି ଟଙ୍କା ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ସ୍ୱରୂପ ଓଡ଼ିଶାକୁ ୨ ହଜାର ୨୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୧୧୨୯ କୋଟି ଟଙ୍କା ଦିଆଯାଇଛି । ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ମୋଟ ଘରୋଇ ଉତ୍ପାଦର(ଜିଏସଡ଼ିପି)ର ୦.୫ ପ୍ରତିଶତ ମୂଲ୍ୟ ସମାନ ଅତିରିକ୍ତ ୨, ୮୫୮ କୋଟି ଋଣ ନେବା ପାଇଁ ଓଡ଼ିଶାକୁ ଅନୁମତି ଦିଆଯାଇଛି । ଓଡ଼ିଶାକୁ ଆଶ୍ରୟ ସ୍ଥଳ ଏବଂ ୩ ଓଳା ଖାଇବା ପାଇଁ କେନ୍ଦ୍ର ସରକାର ଏସଡ଼ିଆରଏଫ ପାଣ୍ଠିରୁ ୨ ହଜାର ୧୩୯ କୋଟି ଅଗ୍ରୀମ ରାଶି ଜାରୀ କରାଯାଇଛି । ତନ୍ମଧ୍ୟରୁ ପ୍ରଥମ କିସ୍ତିରେ ୮୦୨ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଛି । ମନରେଗା ଏବଂ ପିଏମ ଗରିବ କଲ୍ୟାଣ ରୋଜଗାର ଯୋଜନାରେ ବର୍ଷ ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୪.୫୧ ଲକ୍ଷ ଯବ୍ କାର୍ଡ୍ ଜାରୀ କରାଯାଇଛି । ଏହା ୯.୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଧୀନରେ ଓଡ଼ିଶାରେ ୭୪.୪୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି ।କୋଭିଡ୍‌-୧୯ ପରିଚାଳନା ପାଇଁ ଓଡ଼ିଶାକୁ ୧୦୨ କୋଟି କେନ୍ଦ୍ର ସରକାର ଦେଇଛନ୍ତି । ୮.୫୦ ଲକ୍ଷ ଏନ୍ ୯୫ ମାସ୍କ୍‌, ୨.୫୩ ଲକ୍ଷ ପିପିଇ କିଟ୍‌, ୧୩.୫ ଲକ୍ଷ ଏଚସିକ୍ୟୁ ଡୋଜ୍ ଏବଂ ୫୬୭ ଭେଣ୍ଟିଲେଟର ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ନାଲକୋ, ଏମସିଏଲ, ଏନଟିପିସି, ଆଇଓସିଏଲ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ।ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିମନ୍ତେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!