39

ନଭେମ୍ବର ୨ରୁ ପୁଣି ବର୍ଷା

ଭୁବନେଶ୍ୱର ୨୮।୧୦:   ନଭେମ୍ବର  ୨ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ବୁଧବାର ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସମେତ ସାରା ଦେଶରୁ ପଳାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଶୀତ ଆହୁରି ବଢ଼ିବ ବୋଲି କେନ୍ଦ୍ର ନିର୍ଦ୍ଦେଶକ ଏଚ ବିଶ୍ୱାସ ଆକଳନ କରିଛନ୍ତି । କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ନଭେମ୍ବର ୨, ୩ ଓ ୪ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଭୁବନେଶ୍ୱରରେ ଏହି ୩ଦିନ ସ୍ୱଳ୍ପ ବର୍ଷା ହେବାକୁ ଥିବା ବେଳେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ବିଶେଷ କରି ଉତ୍ତର ଉପକୂଳରେ ପ୍ରାୟତଃ ଭାରୀ(୫୪ ମିଲିମିଟର) ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।ତେବେ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ‘ମୋଲାଭେ’ବାତ୍ୟା ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଭିଏତନାମରେ ସ୍ଥଳଭାଗକୁ ଛୁଇଁବ । ଏହାର ଅବଶିଷ୍ଟାଂଶ ଥାଇଲାଣ୍ଡ ମିଆମାର୍‌ ଦେଇ ୨୯ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ରୁପ ନେବ । ଯାହା ୩୦ ସୁଦ୍ଧା ଲଘୁଚାପରେ ପରିଣତ ହେବ । ୩୧ରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗର ଓ ୧ରେ ଉତ୍ତର-ଦକ୍ଷିଣ ହୋଇ ଏହା ସଂଗଠିତ ହେବ । ଯାହା ଫଳରେ ଓଡ଼ିଶାରେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ହେବ । ଅପରପକ୍ଷେ ବର୍ତ୍ତମାନ ରାଜ୍ୟକୁ ଉତ୍ତର ଭାରତରୁ ପବନ ବୋହୁଛି । ଯାହାର ପ୍ରଭାବରେ ତାପମାତ୍ରା କମୁଛି । ଅନୁମାନ କରାଯାଉଛି ଉପକୂଳରେ ୩୦ତାରିଖ ପର୍ଯ୍ୟନ୍ତ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୧ ପର୍ଯ୍ୟନ୍ତ ତାପମାତ୍ରା କ୍ରମଶଃ କମିବ । ୩୦ ସୁଦ୍ଧା ଭୁବନେଶ୍ୱରରେ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ । ତେବେ ୩୧ ତାରିଖରୁ ମେଘୁଆ ପାଗ ଯୋଗୁଁ ଉପକୂଳରେ ଥଣ୍ଡା ପ୍ରାୟ ୩ରୁ ୪ ଡିଗ୍ରୀ କମିବ । ସର୍ବନିମ୍ନ ତାପମାତ୍ରା ବଢ଼ିବ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ରୁ ୩ ଭିତରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବ । ୪ତାରିଖରୁ ପୁଣି ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ଆଜିର ତାପମାତ୍ରା ତୁଳନାରେ ପ୍ରାୟ ୩ଂ ସେଲସିୟସ୍‌ କମ ରହିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!